ନୂଆଦିଲ୍ଲୀ: ଭାରତର ରପ୍ତାନୀ ସେପ୍ଟେମ୍ବର ମାସରେ ବାର୍ଷିକ ଆଧାରରେ 5.99 ପ୍ରତିଶତ ବୃଦ୍ଧି ପାଇ 27.58 ଅରବ ଡଲାରରେ ପହଞ୍ଚିଛି । ଗୁରୁବାର ଜାରି ସରକାରୀ ରିପୋର୍ଟରେ ଏ ନେଇ ସୂଚନା ମିଳିଛି ।
2019 ସେପ୍ଟେମ୍ବରରେ ରପ୍ତାନୀ 26.02 ଅରବ ଡଲାର ରହିଥିଲା । ସେହିପରି ସମୀକ୍ଷାଧୀନ ମାସରେ ଦେଶର ଆମଦାନୀ 19.6 ପ୍ରତିଶତ ହ୍ରାସ ହୋଇ 30.31 ଅରବ ଡଲାର ରହିଛି ।
1 ବର୍ଷ ପୂର୍ବରୁ ଏହି ମାସରେ ଏହା 37.69 ଅରବ ଡଲାର ରହିଥିଲା । ସେପ୍ଟେମ୍ବରରେ ବାଣିଜ୍ୟ ନିଅଣ୍ଟ ହ୍ରାସ ହୋଇ 2.72 ଅରବ ଡଲାର ରହିଥିଲା । ଏକ ବର୍ଷ ପୂର୍ବରୁ ଏହି ମାସରେ ଏହା 11.67 ଅରବ ଡଲାର ଥିଲା ।
ତେବେ ଲକଡାଉନ କଟକଣା ଯୋଗୁଁ ଲଗାତାର 6 ମାସ ଧରି ରପ୍ତାନୀ ହ୍ରାସ ହୋଇଚାଲିଥିଲା । ବାର୍ଷିକ ଆଧାରରେ ଅଗଷ୍ଟ ମାସରେ ରପ୍ତାନୀ 12.66 ପ୍ରତିଶତ ଖସି 22.7 ବିଲିୟନ ଡଲାର ଥିଲା । ପେଟ୍ରୋଲିୟମ , ରତ୍ନ ଆଭୂଷଣ , ଇଞ୍ଜିନିୟରିଂ ସାମଗ୍ରୀ , ରେଡିମେଡ ଗାର୍ମେଣ୍ଟସ, ଲେଦର ଆଇଟମ ଭଳି ପ୍ରମୁଖ ସେକ୍ଟରରେ ରପ୍ତାନୀ ହ୍ରାସ ହୋଇଥିଲା । ଯାହାର ପ୍ରଭାବ ଦେଶର ମୋଟ ରପ୍ତାନୀ ଉପରେ ପଡୁଥିଲା ।
ସେହିଭଳି ଜୁଲାଇ ମାସରେ ରପ୍ତାନୀ କ୍ଷେତ୍ରରେ 10.21 ପ୍ରତିଶତ ହ୍ରାସ ହୋଇ 23.64 ଅରବ ଡଲାର ରହିଥିଲା ବେଳେ ଏହା ପୂର୍ବରୁ ରପ୍ତାନୀ ଏପ୍ରିଲରେ 60.28 ପ୍ରତିଶତ, ମେ’ ରେ 36.47 ପ୍ରତିଶତ ଓ ଜୁନ ମାସରେ 12.41 ପ୍ରତିଶତ ହ୍ରାସ ହୋଇଥିଲା । ଜୁନ୍ ମାସରେ, 18 ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଭାରତରେ ବାଣିଜ୍ୟ ନିଅଣ୍ଟ ନଥିଲା ।