ଗ୍ରେଟର ନୋଏଡା: କୋରୋନା ଭାଇରସ ପ୍ରକୋପ ବଢୁଥିବାରୁ ପ୍ରଭାବିତ ହେଉଛି ବିଶ୍ବ ବ୍ୟବସାୟ । ଚୀନର ୟୁହାନରୁ ଗାଡି ଯନ୍ତ୍ରାଂଶ ଯୋଗାଣ ପ୍ରଭାବିତ ଆଶଙ୍କାରେ ଭାରତୀୟ ଅଟୋ ଉଦ୍ୟୋଗ ଭୟଭୀତ । ହେଲେ ଏହାର ବାସ୍ତବିକ ସ୍ଥିତି କିଛି ଦିନ ପରେ ଅର୍ଥାତ ଚୀନରେ ପୁଣି କାରଖାନା କାର୍ଯ୍ୟକାରୀ ପରେ ହିଁ ସାମ୍ନାକୁ ଆସିବ ।
ଗାଡି ନିର୍ମାତା ସଙ୍ଗଠନ ସୋସାଇଟ ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକ୍ଚର୍ସ(ସିଆମ) ସୋମବାର ଏ ନେଇ ସୂଚନା ଦେଇଛି । ସିଆମ ମହାନିର୍ଦ୍ଦେଶ ରାଜେଶ ମେନନ ଗଣମାଧ୍ୟମକୁ କହିଛନ୍ତି ଯେ, ‘ଏବେ ଏ ବିଷୟରେ ଟିପ୍ପଣୀ ଦେବା ଠିକ ହେବ ନାହିଁ । ମୁଁ କେବଳ କହିବି କି ଏହାକୁ ନେଇ ଭୟ ଉପୁଜିଛି । ପ୍ରତ୍ୟେକଙ୍କୁ ଆଜିର ଅପେକ୍ଷା । କାରଣ ଚୀନ ନବବର୍ଷ ଛୁଟି ପରେ ସେଠାରେ ଆଜିଠାରୁ ବଜାର ଖୋଲିବା ସମ୍ଭାବନା ରହିଛି ।’