ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(PMGKP) ଅଧିନରେ ଜୁନ 2 ସୁଦ୍ଧା ପାଖାପାଖି 42 କୋଟି ଲାଭାର୍ଥୀଙ୍କୁ 53,248 କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତ୍ୟକ୍ଷ ଲାଭ ଅନ୍ତରଣ(ଡେବିଟ) ଜରିଆରେ ସିଧାସଳଖ ଏହି ଟଙ୍କା ଦିଆଯାଇଥିବା ନେଇ ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଲକଡାଉନରେ ପ୍ରଭାବିତ ଦୁର୍ବଳ ଓ ଗରିବ ଶ୍ରେଣୀ ଲୋକଙ୍କ ସୁରକ୍ଷା ପାଇଁ ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟି ଟଙ୍କାର PMGKP ଘୋଷଣା କରିଥିଲେ । ଏହି ପ୍ୟାକେଜ ଅଧିନରେ ସରକାର ମହିଳା ଓ ଗରିବ ବରିଷ୍ଠ ନାଗରିକକ ଏବଂ କୃଷକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ଓ ନଗଦ ଦେବାକୁ ଘୋଷଣା କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 8,488 କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ବ୍ୟତୀତ 8.58 କୋଟି ମାଗଣା ଉଜ୍ବଳା ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଥିବାବେଳେ ମୋଟ 9.25 କୋଟି ସିଲିଣ୍ଡର ବୁକ କରାଯାଇଛି। ପ୍ୟାକେଜ ଅଧୀନରେ ସରକାର ଜୁନ 30 ପର୍ଯ୍ୟନ୍ତ ତିନିମାସ ପାଇଁ ଉଜ୍ବଳା ହିତାଧିକାରୀଙ୍କୁ ମାଗଣା ଏଲପିଜି ସିଲିଣ୍ଡର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଥିଲେ ।