ଓଡିଶା

odisha

ETV Bharat / business

ଆଜିଠୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ - Govt kick-starts Budget making exercise

ଫେବୃଆରୀ ପହିଲାରେ ଆଗତ ହୋଇପାରେ 2021-22ର ଆୟବ୍ୟୟର ଅଟକଳ । ଏ ନେଇ ଶୁକ୍ରବାରରୁ ପ୍ରାକ ବଜେଟ ପ୍ରସ୍ତୁତି ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ଆଜିଠୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ
ଆଜିଠୁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

By

Published : Oct 16, 2020, 9:40 PM IST

ନୂଆଦିଲ୍ଲୀ: 2021-22 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁକ୍ରବାର ଅର୍ଥମନ୍ତ୍ରାଳୟ ଏନେଇ ସୂଚନା ଦେଇଛି । ତେବେ ଏହି ପ୍ରକ୍ରିୟା ଏଭଳି ସମୟରେ ଆରମ୍ଭ ହୋଇଛି, ଯେବେ କୋଭିଡ-19 ସଙ୍କଟରେ ପ୍ରଭାବିତ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ଆବଶ୍ୟକ ରହିଛି ।

ଆଗାମୀ ଆର୍ଥିକ ବର୍ଷର ବଜେଟ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । ଏଥିରେ ମହାମାରୀରେ ପ୍ରଭାବିତ ରାଜସ୍ବ ସଂଗ୍ରହ , ବିନିବେଶ , ବ୍ୟୟ, ରପ୍ତାନୀ ଓ ଖାଦ୍ୟ ବସ୍ତୁର ଦାମ ସମେତ ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ର ଉପରେ ଦୃଷ୍ଟି ଦେବା ଆବଶ୍ୟକ ରହିଛି । କାରଣ କୋଭିଡ ଯୋଗୁଁ ରାଜସ୍ବ ପ୍ରବଳ ମାତ୍ରାରେ ହ୍ରାସ ହୋଇଛି । ବିଭିନ୍ନ ସେକ୍ଟରର ଗତିବିଧି ଧୀମା ପଡିଛି । ଅଭିବୃଦ୍ଧି ହାର ଆଶା ଠାରୁ ପ୍ରବଳ ଖସିଛି । ଏଭଳି ସ୍ଥିତିରେ ସବୁ ସେକ୍ଟରକୁ ସୁହାଇଲା ଭଳି ବଜେଟ ଆଣିବା ଚ୍ୟାଲେଞ୍ଜିଂ ହେବ ।

ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ( ଆଇଏମଏଫ) ଅନୁସାରେ ଏ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 10.3 ପ୍ରତିଶତ ହ୍ରାସ ଅନୁମାନ ରହିଛି । ସେହିଭଳି ଭାରତୀୟ ରିଜର୍ଭ ବ୍ୟାଙ୍କର ଅନୁମାନ ରହିଛି କି ଚଳିତ ଆର୍ଥିକ ବର୍ଷ ଦେଶର ଅର୍ଥବ୍ୟବସ୍ଥା 9.5 ପ୍ରତିଶତ ଖସିପାରେ । ଅର୍ଥମନ୍ତ୍ରାଳୟ କାର୍ଯ୍ୟକ୍ରମ ଅନୁସାରେ 2020-21ର ସଂଶୋଧିତ ଅନୁମାନ ଓ 2021-22ର ବଜେଟ ଅନୁମାନର ଅନ୍ତିମ ରୂପ ପାଇଁ ପାଖାପାଖୀ 1 ମାସ ଚାଲିବାକୁ ଥିବା ପ୍ରକ୍ରିୟା ଶୁକ୍ରବାର ଆରମ୍ଭ ହୋଇଛି ।

ଏହି ବୈଠକ ନଭେମ୍ବର 12 ଯାଏଁ ଚାଲିବ । କାର୍ଯ୍ୟକ୍ରମ ଅନୁସାରେ ପ୍ରଥମ ବୈଠରେ ଆର୍ଥିକ ସେବା ବିଭାଗ ସହ ଏମଏସଏମଇ , ଆବାସ, ଇସ୍ପାତ ଓ ବିଦ୍ୟୁତ କ୍ଷେତ୍ରର ଆଧିକାରୀ ସମେତ ଅନ୍ୟ ସବୁ ସାମିଲ ଅଛନ୍ତି । ଅର୍ଥମନ୍ତ୍ରାଳୟର ବଜେଟ ବିଭାଗ ଏକ ନୋଟିସରେ କହିଛି କି, ତେବେ, ଚଳିତ ବର୍ଷ କୋଭିଡ -19 ସ୍ଥିତି ଏବଂ ଶାରୀରିକ ଦୂରତା ଅନୁସରଣ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜେଟ୍ ପୂର୍ବ ବୈଠକରେ ଯୋଗଦେବା ପାଇଁ ମନ୍ତ୍ରଣାଳୟ / ବିଭାଗରୁ 5 ଅଧିକାରୀଙ୍କ ସୀମା ସ୍ଥିର କରାଯିବ । ଏଥିରେ ନିର୍ଦ୍ଦେଶକ / ଡେପୁଟି ସେକ୍ରେଟାରୀ (ଡିଏସ୍) ଙ୍କ ଅଧିନରେ ଥିବା ଅଧିକାରୀମାନେ ସାମିଲ ହେବେ ନାହିଁ ।

ଏହା ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ ହେବ । ତେବେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ 2021 ଫେବୃଆରୀ 1 ରେ ଉପସ୍ଥାପିତ ହେବାର ସମ୍ଭାବନା ଅଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବ୍ରିଟିଶ ଯୁଗରୁ ରହିଥିବା ଫେବୃଆରୀ ଶେଷରେ ବଜେଟ ଉପସ୍ଥାପନ କରିବାର ଅଭ୍ୟାସକୁ ବଦଳାଇଥିଲେ । ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରଥମ ଥର 2017 ଫେବୃଆରୀ ପହିଲାରେ ବଜେଟ ପାରିତ କରିଥିଲେ । ତେବେ ସାଧାରଣ ବଜେଟ ଫେବୃଆରୀ ଶେଷରେ ଆଗତ ବଦଳରେ ଆରମ୍ଭରେ ହେଉଛି ।

ABOUT THE AUTHOR

...view details