ନୂଆଦିଲ୍ଲୀ: ଅଜଣା ସହରରେ ବାଟ କଢେଇ ନେବାକୁ ଅନେକ ସାହାଯ୍ୟ କରିଥାଏ ଗୁଗୁଲ ମ୍ୟାପ । ହେଲେ ଏବେ ଏହା କୋରୋନା ଯୁଦ୍ଧରେ ସାମିଲ ହୋଇ ସାଧାରଣ ଜନତାଙ୍କୁ କରିବ ସହଯୋଗ । ଭୋଜନ ବିତରଣ କେନ୍ଦ୍ର ସହ ରାତ୍ରି ଆଶ୍ରୟସ୍ଥଳୀ ସମ୍ବନ୍ଧରେ ଦେବ ସୂଚନା ।
କୋରୋନା ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏହି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ପହଞ୍ଚାଇବାକୁ ଗୁଗୁଲ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ହାତ ମିଳାଇଛି ।
କମ୍ପାନୀ କହିଛି ଯେ ସମଗ୍ର ଦେଶରେ 30 ସହରରର ଲୋକ ଗୁଗୁଲ ମ୍ୟାପ, ଗୁଗୁଲ ସର୍ଚ୍ଚ ଓ ଗୁଗୁଲ ଆସିଷ୍ଟାଣ୍ଟ(Google assistant) ଉପଯୋଗ କରି ଏହି ସବୁ ସ୍ଥାନର ସୂଚନା ପାଇପାରିବେ । ଏହି ସ୍ଥାନଗୁଡିକର ସୂଚନା ପାଇବା ପାଇଁ ୟୁଜର୍ସଙ୍କୁ ଉପରୋକ୍ତ କୌଣସି ସେବା ପେଜରେ ଯାଇ ସର୍ଚ୍ଚରେ ‘ଫୁଡ ସେଲ୍ଟର୍ସ’ କିମ୍ବା ‘ନାଇଟ ସେଲ୍ଟର’ ଏବଂ ସହରର ନାଁ ଲେଖିବାକୁ ହେବ ।