ନୂଆଦିଲ୍ଲୀ: ଭାରତକୁ ଝଟକା । ପ୍ୟାରିସରେ ଥିବା ଭାରତ ସରକାରଙ୍କ ସମ୍ପତ୍ତି ଜବତ କରିବ ବ୍ରିଟେନର କେୟର୍ନ ଏନର୍ଜି । କେୟର୍ନ ଏନର୍ଜି ଭାରତ ସରକାରଙ୍କ 20ଟି ସମ୍ପତ୍ତି ଜବତ କରି 1.17 ବିଲିୟନ ଡଲାର ବସୁଲ କରିବ । ଭାରତ ସହିତ କେୟର୍ନର ଏକ ଟିକସ ବିବାଦ ମାମଲାର ଶୁଣାଣି କରି ଫ୍ରାନ୍ସ କୋର୍ଟ ଏହି ଅନୁମତି ଦେଇଛନ୍ତି । ତେବେ ଏହି ଜବତ ସମ୍ପତ୍ତି ମଧ୍ୟରେ ଅଧିକାଂସ ଫ୍ଲାଟ ରହିଛି । ଯାହାର ମୂଲ୍ୟ 20 ମିଲିୟନ ୟୋରୋରୁ ଅଧିକ । ଏଗୁଡିକ ହେଲା ଫ୍ରାନ୍ସ ସ୍ଥିତ ଭାରତର ସରକାରୀ ପ୍ରତିଷ୍ଠାନ ।
ଫ୍ରାନ୍ସ କୋର୍ଟ, ଟ୍ରିବ୍ୟୁନାଲ ଜୁଡିସିଆର ଡି ପ୍ୟାରିସ ଜୁନ 11 ତାରିଖରେ କେୟର୍ନ ଆବେଦନର ଶୁଣାଣି କରି କେନ୍ଦ୍ରୀୟ ପ୍ୟାରିସରେ ଭାରତୀୟ ସରକାରୀ ମାଲିକାନାରେ ଥିବା ଆବାସିକ ରିଏଲ ଇଷ୍ଟେଟ ଜବତ କରିବାକୁ ଅନୁମତି ଦେଇଛନ୍ତି ଏବଂ ବୁଧବାର ସନ୍ଧ୍ୟା ସୁଦ୍ଧା ଏନେଇ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡିଛି । ତେବେ କେୟର୍ନ ସେହି ସବୁ ସମ୍ପତ୍ତିରେ ରହୁଥିବା ଭାରତୀୟ ଅଧିକାରୀଙ୍କୁ ବେଦଖଲ କରିବା ନେଇ କୌଣସି ସମ୍ଭାବନା ପ୍ରକାଶ ପାଇନାହିଁ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ପରେ ଭାରତ ସରକାର ସେହିସବୁ ସମ୍ପତ୍ତିକୁ ଆଉ ବିକ୍ରୟ କରିପାରିବ ନାହିଁ ।