ନୂଆଦିଲ୍ଲୀ: ବଢିଲା ଚନ୍ଦା କୋଚରଙ୍କ ଅଡୁଆ। ଭିଡିଓକନ ଋଣ ଜାଲିଆତି ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଏମଡି ଚନ୍ଦା କୋଚର ଓ ତାଙ୍କ ପରିବାରର ପ୍ରାୟ 78 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଏଥିରେ ତାଙ୍କର ମୁମ୍ବାଇ ସ୍ଥିତ ଫ୍ଲାଟ ଓ ସ୍ବାମୀ ଦୀପକ କୋଚରଙ୍କ କିଛି ସମ୍ପତ୍ତି ମଧ୍ୟ ରହିଛି।
କୋଚର ଦମ୍ପତ୍ତିଙ୍କ ପାଖରେ ବର୍ତ୍ତମାନ 900 କୋଟିରୁ ଊର୍ଦ୍ଧ୍ବ ସ୍ଥାବର-ଅସ୍ଥାବର ସମ୍ପତ୍ତି ରହିଛି। ସେଥିରୁ 78 କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇସାରିଲାଣି।
2019 ମାର୍ଚ୍ଚ 1 ତାରିଖରେ ଇଡି ପକ୍ଷରୁ ଚନ୍ଦା କୋଚର ଓ ଭିଡିଓକନ କମ୍ପାନୀ ମୁଖ୍ୟ ବେଣୁଗୋପାଳ ଧୂତଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରାଯାଇଥିଲା। ଏହା ପୂର୍ବରୁ ଚନ୍ଦାଙ୍କ ବିରୋଧରେ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ) ଲୁକଆଉଟ ନୋଟିସ ଜାରି କରିଥିଲା । ଭିଡିଓକନକୁ ଦିଆଯାଇଥିବା ବେଆଇନ ଋଣ ମାମଲାର ଯାଞ୍ଚ ପାଇଁ ବାରମ୍ବାର ଚନ୍ଦା କୋଚରଙ୍କୁ ମୁମ୍ବାଇସ୍ଥିତ ଇଡି କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା।
ଜବତ ହେଲା ଚନ୍ଦାଙ୍କ ସମ୍ପତ୍ତି 2012ରେ ଭିଡିଓକନ ଗ୍ରୁପକୁ ଆଇସିଆଇସିଆଇ ପକ୍ଷରୁ 3250 କୋଟି ଟଙ୍କାର ଋଣ ଦିଆଯାଇଥିଲା। ଆଉ ଏହି ସମୟରେ ବ୍ୟାଙ୍କର ପ୍ରମୁଖ ଭାବେ ଚନ୍ଦା କୋଚର କାର୍ଯ୍ୟଭାର ସମ୍ଭାଳୁଥିଲେ। ଏହି ଋଣ ନେଣଦେଣରେ ଅନିୟମତା ଦେଖାଯାଇଥିବାରୁ ସମସ୍ତଙ୍କ ନଜରକୁ ଚନ୍ଦା କୋଚର ଆସିଥିଲେ। ଫଳରେ ବାଧ୍ୟ ହୋଇ ତାଙ୍କୁ ପଦବୀ ଛାଡିବାକୁ ପଡିଥିଲା।