ଓଡିଶା

odisha

By

Published : Apr 24, 2021, 10:36 PM IST

Updated : Apr 24, 2021, 10:59 PM IST

ETV Bharat / business

ସଟଡାଉନ ମାଡରେ ଅର୍ଥନୀତି ହେବ ଡାଉନ, ଦେଶ ସହିବ 1.5 ଲକ୍ଷ କୋଟି କ୍ଷତି

ଦଳି ଚକଟି ଦେଲାଣି କୋରୋନା । ସପ୍ତାହନ୍ତ ସଟଡାଉନ ଅର୍ଥନୀତି ପାଇଁ ପଡିବ ମହଙ୍ଗା । କୋଭିଡ କଟକଣା ପ୍ରଭାବରେ ଓଡିଶାର କ୍ଷତି ବଢିବା ସହ ଦେଶର ଅର୍ଥନୀତିରୁ ଧୋଇ ହୋଇଯିବ 1.5 ଲକ୍ଷ କୋଟି ଟଙ୍କା । ଅଧିକ ପଢନ୍ତୁ..

ସଟଡାଉନ ମାଡରେ ଅର୍ଥନୀତି ହେବ ଡାଉନ ,  ଦେଶ ସହିବ 1.5 ଲକ୍ଷ କୋଟି କ୍ଷତି
ସଟଡାଉନ ମାଡରେ ଅର୍ଥନୀତି ହେବ ଡାଉନ , ଦେଶ ସହିବ 1.5 ଲକ୍ଷ କୋଟି କ୍ଷତି

ଭୁବନେଶ୍ବର: କୋରୋନା ଲଢେଇର ମୁକାବିଲା କରି ଅଣ୍ଟା ସଳଖୁଥିବା ଅର୍ଥନୀତିକୁ ଏବେ ପୁଣି ଆଘାତ । ସଂକ୍ରମଣ ସଂଖ୍ୟା ବୃଦ୍ଧି ଫେରାଇଲାଣି ଲକଡାଉନ ଓ ସଟଡାଉନ । ଫଳରେ ଜୀବନ ସହ ଏବେ ଜୀବିକା ସଙ୍କଟରେ । କ୍ଷତି ବଢିବା ସହ ବିଗିଡିଗଗଲାଣି ଆର୍ଥିକ ଗତିବିଧି । ସପ୍ତାହନ୍ତ ସଟଡାଉନ ପ୍ରଭାବରେ ଓଡିଶା 1900 କୋଟିରୁ ଉର୍ଦ୍ଧ୍ବ ଟଙ୍କା କ୍ଷତି ସହିପାରେ ।

ଦୋକାନ ବଜାର ବନ୍ଦ, ଯାତାୟତ ଠପ । ବିଭିନ୍ନ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ଯୋଗୁଁ ବ୍ୟବସାୟ ବାଧାପ୍ରାପ୍ତ ଆଦି କାରଣରୁ କମୁଛି ଆୟ । ଫଳରେ ରାଜସ୍ବ ଧୋଇ ହୋଇଯାଉଛି । ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ର ସଦ୍ୟତମ ରିପୋର୍ଟ ଅନୁସାରେ ରାଜ୍ୟରେ ଲାଗୁ ଲକଡାଉନ ଓ ସପ୍ତାହନ୍ତ ସଟଡାଉନ ଆଦି କଟକଣା କାରଣରୁ ଦେଶ ଅର୍ଥନୀତିକୁ 1.5 ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିପାରେ । ମହାମାରୀ ପ୍ରଭାବରେ 2020 ବର୍ଷ ଦେଶର ଅର୍ଥନୈତିକ ଇତିହାସରେ ସବୁଠୁ ବଡ ହ୍ରାସ ରହିଥିଲା ବେଳେ 2021 ପୁଣି ବଢାଉଛି ଚିନ୍ତା ।

ମୋଟ କ୍ଷତି 1.5 ଲକ୍ଷ କୋଟି ଟଙ୍କା ରହିଥିଲା ବେଳେ ସେଥିମଧ୍ୟରୁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ 80% ରହିଛି । ସେହିପରି ମୋଟ କ୍ଷତି ପରିମାଣରେ କେବଳ ମହାରାଷ୍ଟ୍ର 54% ସହିପାରେ ବୋଲି ରିପୋର୍ଟରେ ଉଲ୍ଲେଖ ଅଛି । ଏଭଳି ଭାବେ କଡା କଟକଣା କାରଣରୁ ମଧ୍ୟପ୍ରଦେଶ ପ୍ରାୟ 21,712 କୋଟି ଟଙ୍କା, ରାଜସ୍ଥାନ 17,237 କୋଟି ଟଙ୍କା କ୍ଷତି ସହିପାରେ । ଏଭଳି ଭାବେ ଓଡିଶା 1927 କୋଟି ଟଙ୍କା କ୍ଷତି ସହିବ ବୋଲି ଦର୍ଶାଯାଇଛି । ଏ ନେଇ ଏପ୍ରିଲ 23 ରେ ଏସବିଆଇ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଡ. ସୌମ୍ୟ କାନ୍ତି ଘୋଷ ରିପୋର୍ଟରେ ଲେଖିଛନ୍ତି ।

ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି ) 11% ରହିପାରେ ବୋଲି ଏସବିଆଇ ନିକଟରେ ଆକଳନ କରିଥିବା ବେଳେ ଆରବିଆଇ 10.5 ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଆଶା ରଖିଛି । ସେପଟେ ଅନ୍ୟ ଆର୍ଥିକ ରେଟିଂ ଏଜେନ୍ସି ପୁଣି ଅର୍ଥନୀତିର ଗତି ଓ କଟକଣା ପ୍ରଭାବ ଦେଖି ବିକାଶ ହାର ଅନୁମାନ ସଂଶୋଧନ କରୁଛନ୍ତି । ରେଟିଂ ଏଜେନ୍ସିଙ୍କ ୟୁଟର୍ଣ୍ଣ ଓ ସମ୍ପ୍ରତ୍ତି ଆକ୍ସନକୁ ଦୃଷ୍ଟିରେ ରଖି ଅନୁମାନ ହୋଇଛି କି ଅର୍ଥନୀତିକୁ ବଡ କ୍ଷତି ସହିପାରେ ।

କୋଭିଡ-19 ଟିକାକରଣ ଅଭିଯାନରେ ଓଡିଶା 18 ବର୍ଷରୁ ଉର୍ଦ୍ଧ୍ବ 3.10 କୋଟି ଲୋକ ଟିକା ନେବାକୁ ଯୋଗ୍ୟ । ରାଜ୍ୟରେ ପ୍ରାୟ 50 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି ଏବଂ ଏପ୍ରିଲ ଶେଷ ସୁଦ୍ଧା ଏହି ସଂଖ୍ୟା 60 ଲକ୍ଷ ପର୍ଯ୍ୟନ୍ତ ହେବ ବୋଲି ଏସବିଆଇ ରିପୋର୍ଟରେ ଦର୍ଶାଇଛି । ତେବେ ଅବଶିଷ୍ଟ 2.4 କୋଟି ମଧ୍ୟରୁ ଯଦି ଅର୍ଦ୍ଧେକ କେନ୍ଦ୍ର ଦ୍ବାରା ଟୀକାକରଣ କରନ୍ତି, ତେବେ ବାକି ଲୋକଙ୍କ ପାଇଁ ଓଡିଶାକୁ 968 କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଯାହା ରାଜ୍ୟ ସ୍ବାସ୍ଥ୍ୟ ଖର୍ଚ୍ଚ ବଜେଟର ପ୍ରାୟ 10 ପ୍ରତିଶତ ଅଟେ ।

Last Updated : Apr 24, 2021, 10:59 PM IST

ABOUT THE AUTHOR

...view details