ଉଦାରୀକରଣର ତିନି ଦଶନ୍ଧି ପରେ, ପରିଶେଷରେ ଭାରତ ଏକ ଦୀର୍ଘକାଳୀନ ଋଣ ସୁଯୋଗ ସନ୍ନିହିତ ଆଧୁନିକ ଅର୍ଥ ଲଗାଣକାରୀ ବଜାର ସୃଷ୍ଟି ଦିଗରେ ଆଗ୍ରହ ପ୍ରକାଶ କରିଛି । ଯଦି ଭାରତର ଏହି ଉପକ୍ରମ ସଫଳ ହୁଏ, ତେବେ, ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏହା ସହାୟକ ହେବା ସହିତ ‘ନନ୍ ପର୍ଫର୍ମିଂ ଆସେଟ୍’ ବା ଅନର୍ଜକ ସଂପତ୍ତି ପରିମାଣ ବୃଦ୍ଧି ଯୋଗୁଁ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦର ଆଶଙ୍କା ମଧ୍ୟ ହ୍ରାସ ପାଇବ ।
1973 ମସିହାରେ ମୁକ୍ତିଲାଭ କରିଥିବା ହିନ୍ଦି ସିନେମା ‘ସୌଦାଗର’ର ନାୟକ ଅମିତାଭ ବଚ୍ଚନ ଘର ତିଆରି ଗୁଡ଼ ବିକି ଜୀବିକା ନିର୍ବାହ କରୁଥିବା ବେଳେ ସୁନ୍ଦରୀ ପଦ୍ମା ଖାନ୍ନାଙ୍କ ପାଇଁ ପତ୍ନୀ ନୂତନଙ୍କୁ ଛାଡ଼ପତ୍ର ଦେଇଥିଲେ । କିନ୍ତୁ ପରେ ଗ୍ରାହକମାନେ ତାଙ୍କ ଦ୍ବାରା ତିଆରି ଗୁଡ଼କୁ ପ୍ରତ୍ୟାଖ୍ୟାନ କରିବାରୁ ସେ ନୂତନଙ୍କ ମହତ୍ତ୍ବକୁ ବୁଝିପାରିଥିଲେ । ଏବେ ପୁଣି ଏକ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଗଠନ ଲାଗି 20,000 କୋଟି ଟଙ୍କାର ପ୍ରାରମ୍ଭିକ ପୁଞ୍ଜି ଯୋଗାଣ ଏବଂ ବେସରକାରୀ ମାଲିକାନାରେ ଅଧିକରୁ ଅଧିକ ଏଭଳି ସଂସ୍ଥା ଗଠନର ସୁଯୋଗ ସୃଷ୍ଟି ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିଷ୍ପତ୍ତି ଯୋଗୁଁ ଭିତ୍ତିଭୂମି କ୍ଷେତ୍ରରେ ଅର୍ଥଲଗାଣ ସମେତ ଆହୁରି ଅନେକ କ୍ଷେତ୍ରରେ ‘ସୌଦାଗର’ ଚଳଚ୍ଚିତ୍ର ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଛି ।
ଉଦାରୀକରଣ ନୀତି ଅବଲମ୍ବନର ତିନି ଦଶନ୍ଧି ପରେ, ପରିଶେଷରେ ଭାରତ ଏକ ଦୀର୍ଘକାଳୀନ ଋଣ ସୁଯୋଗ ସନ୍ନିହିତ ଆଧୁନିକ ଅର୍ଥଲଗାଣକାରୀ ବଜାର ସୃଷ୍ଟି ଦିଗରେ ଆଗ୍ରହ ପ୍ରକାଶ କରିଛି । ଯଦି ଭାରତର ଏହି ଉପକ୍ରମ ସଫଳ ହୁଏ, ତେବେ, ଭିତ୍ତିଭୂମି ଗଠନ କ୍ଷେତ୍ରରେ ଏହା ସହାୟକ ହେବା ସହିତ ‘ନନ୍ ପର୍ଫର୍ମିଂ ଆସେଟ୍’ ବା ଅନର୍ଜକ ସଂପତ୍ତି ପରିମାଣ ବୃଦ୍ଧି ଯୋଗୁଁ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦର ଆଶଙ୍କା ମଧ୍ୟ ହ୍ରାସ ପାଇବ ଏବଂ ଭାରତରେ, ବିଶେଷତଃ ପେନ୍ସନ୍ ପାଣ୍ଠି କ୍ଷେତ୍ରରେ, ବିଦେଶୀ ସଂସ୍ଥାଗତ ପୁଞ୍ଜିନିବେଶକାରୀଙ୍କ (FII) ସଂଖ୍ୟା ବୃଦ୍ଧି ପାଇବ ।
ଦାସମୁନ୍ସୀଙ୍କ କଥା ସତ ପ୍ରମାଣିତ ହେଲା
2003 ମସିହାରେ, ସଂସଦରେ ଭାରତୀୟ ଭିତ୍ତିଭୂମି ଉନ୍ନୟନ ବ୍ୟାଙ୍କ (IDBI) ଆଇନ-1964 ଉଚ୍ଛେଦ ହେବା ପରଠାରୁ ଭାରତର ଆର୍ଥିକ ଦୃଶ୍ୟପଟ୍ଟରେ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଆସିଛି । ଭାରତୀୟ ଭିତ୍ତିଭୂମି ଉନ୍ନୟନ ବ୍ୟାଙ୍କ ବା IDBI ଏକ ଅଗ୍ରଗାମୀ ଉନ୍ନୟନ ଆର୍ଥିକ ସଂସ୍ଥା (DFI) ଥିଲା ଏବଂ ଏହା ଅନ୍ୟ ଦୁଇଟି ପ୍ରମୁଖ DFI ଏବଂ ଅନ୍ୟାନ୍ୟ କେତେକ କ୍ଷୁଦ୍ର ସଂସ୍ଥା ସମୂହର ନିୟନ୍ତ୍ରକ ରୂପେ କାର୍ଯ୍ୟ କରୁଥିଲା । ଦୁଇ ପ୍ରମୁଖ DFI ହେଲେ ଭାରତୀୟ ଭିତ୍ତିଭୂମି ଅର୍ଥଲଗାଣକାରୀ ନିଗମ (IFCI) ଏବଂ ଭାରତୀୟ ଶିଳ୍ପ ଋଣ ଏବଂ ବିନିଯୋଗ ନିଗମ (ICICI) ।
1998 ମସିହାରୁ ଏହି ନିଷ୍ପତ୍ତି ସଂପର୍କରେ ସଙ୍କେତ ପ୍ରକାଶ ପାଇଥିଲା । ସେତେବେଳେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଏମ୍. ନରିସିଂହନ୍ ଏବଂ IDBIର ଅଧ୍ୟକ୍ଷ ଏସ୍.ଏଚ୍. ଖାନଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଟି ଉଚ୍ଚସ୍ତରୀୟ କମିଟି, ସାର୍ବଜନୀନ ବ୍ୟାଙ୍କିଂ ଏବଂ ନିର୍ଦ୍ଧାରିତ ସମୟ ଭତ୍ତିକ ଋଣ ବା ‘ଟର୍ମ ଲୋନ୍’ ଉପରେ ବିଭିନ୍ନ DFIର ବସ୍ତୁତଃ ଏକଚାଟିଆ କାରବାର ଉଚ୍ଛେଦ କରିବା ଲାଗି ସୁପାରିସ କରିଥିଲେ । ଏହି ସୁପାରିସ ରିପୋର୍ଟ ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ଭିତ୍ତିକ ଋଣ ପ୍ରଦାନ ନିମନ୍ତେ ସରକାର ବ୍ୟାଙ୍କମାନଙ୍କୁ ଅନୁମତି ଦେଲେ ଏବଂ ଏହାର ସୁଯୋଗ ନେଇ ICICI ଏକ ବ୍ୟାଙ୍କ ଖୋଲିଦେଲା ।
ସେତେବେଳେ ଏହା DFI ନିୟନ୍ତ୍ରକ ଆଇନ ଉଚ୍ଛେଦ ସଂପର୍କିତ ଏକ ଔପଚାରିକ ପ୍ରକ୍ରିୟା ମାତ୍ର ଥିଲା । ବିଶେଷଜ୍ଞମାନେ ଯୁକ୍ତି ଦର୍ଶାଇଥିଲେ ଯେ DFI ବିନା ଯୁକ୍ତରାଷ୍ଟ୍ର ଆମେରିକାରେ କାରବାର ଚାଲିଛି । ସେତେବେଳେ, ଅନ୍ୟୂନ ଜଣେ ସାଂସଦ, କଂଗ୍ରେସର ପ୍ରିୟ ରଞ୍ଜନ ଦାସମୁନସୀ, ସରକାରଙ୍କ ଏହି ପଦକ୍ଷେପକୁ ସଂସଦରେ ବିରୋଧ କରିଥିଲେ । ସରକାର ଏ ସଂପର୍କରେ ପୁଣି ଚିନ୍ତା କରନ୍ତୁ ବୋଲି ସେ ଚାହୁଁଥିଲେ । ଦୁଇ ଦଶନ୍ଧି ପରେ, ଏବେ ଦାସମୁନସୀଙ୍କ କଥା ସତ ପ୍ରମାଣିତ ହୋଇଛି ।
ଗୁରୁତର ତ୍ରୁଟି
ବ୍ୟାଙ୍କିଂ ଭାଷାରେ ଟର୍ମ ଲୋନ୍ ବା ନିର୍ଦ୍ଦିଷ୍ଟ ସମୟସୀମା ଭିତ୍ତିକ ଋଣ ଏକ ‘ଭରସା ବିହୀନ ଋଣ’ । ଏହାର ଅର୍ଥ ଏହି ଋଣକୁ ବାଲାନ୍ସ ଶିଟ୍ରେ ପ୍ରକାଶ କରାଯାଇ ନଥାଏ ଏବଂ ତେଣୁ, ଏହାର ଅନାଦାୟ ସମ୍ଭାବନା ଅଧିକ । ହେଲେ, ଏକ ଅଭିବୃଦ୍ଧିଗାମୀ ଅର୍ଥବ୍ୟବସ୍ଥାରେ ଏହାର ଭୂମିକା ଗୁରୁତ୍ବପୂର୍ଣ୍ଣ । କାରଣ, ଅଧିକ ଆର୍ଥିକ ସମ୍ପଦ ନଥିବା କ୍ଷୁଦ୍ର ଉଦ୍ୟୋଗୀମାନେ ହିଁ ବଡ଼ ହେବାକୁ ଲକ୍ଷ୍ୟ ରଖିଥାଆନ୍ତି । ଏହି ଋଣ ବନ୍ଦ କରିଦେବାର ଅର୍ଥ, କେବଳ ବଡ଼ ବଡ଼ କମ୍ପାନୀକୁ ଏବଂ ଅନାଦାୟ ସମ୍ଭାବନା କମ୍ ଥିବା ପ୍ରକଳ୍ପକୁ ଋଣ ପ୍ରଦାନ । ବୃତ୍ତିଧାରୀରୁ ଉଦ୍ୟୋଗୀ ପାଲଟିଥିବା ଜଣେ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହଲଦିଆ ପେଟ୍ରୋ କେମିକାଲ୍ସ ଏହାର ଏକ ପ୍ରକୃଷ୍ଟ ଉଦାହରଣ ।
ଗତ ଦଶନ୍ଧିରେ, ଅନେକ ସ୍ବଳ୍ପ ପରିଚିତ ମାଲିକଙ୍କ ଦ୍ବାରା ଗଠିତ ତାପଜ ଶକ୍ତି କେନ୍ଦ୍ର ସମୟ ସୀମା ଭିତ୍ତିକ ଋଣ ସୁବିଧା ହାସଲ କରିଥିଲେ । ସାଧାରଣତଃ ରାଜପଥ ଭିତ୍ତିଭୂମି ଗଠନ କ୍ଷେତ୍ରରେ ଗୃହୀତ BOOT (ନିର୍ମାଣ-ମାଲିକାନା-ପରିଚାଳନା-ହସ୍ତାନ୍ତର) ପ୍ରକଳ୍ପ ଗୁଡ଼ିକ ପାଇଁ ସମୟ ଭିତ୍ତିକ ଋଣ ଆବଶ୍ୟକ ହୋଇଥାଏ ।
ଜଣେ BOOT ପ୍ରକଳ୍ପ ନିର୍ମାଣକାରୀ ତାଙ୍କ ପକ୍ଷରୁ ସମ୍ଭାବିତ ତ୍ରୁଟିବିଚ୍ୟୁତି ନିମନ୍ତେ ମଧ୍ୟ ଗ୍ୟାରେଣ୍ଟି ଦେଇଥାଆନ୍ତି । କିନ୍ତୁ ଭୂମି ଅଧିଗ୍ରହଣରେ ବିଳମ୍ବ ହେଲେ କିମ୍ବା ଆଶାନୁରୂପ ଟୋଲ୍ ସଂଗ୍ରହ ହୋଇ ନପାରିଲେ ସେଥିପାଇଁ ତାଙ୍କୁ ଦାୟୀ କରାଯାଇପାରିବ ନାହିଁ । ଯଦି ପ୍ରସ୍ତାବିତ ପ୍ରକଳ୍ପରେ ଦର୍ଶାଯାଇଥିବା ଅନୁମାନ ଭୁଲ ପ୍ରମାଣିତ ହୁଏ, ତେବେ ବିନିଯୋଗ କରାଯାଇଥିବା ଅର୍ଥ ଫେରି ପାଇବା ପାଇଁ ଋଣଗ୍ରହୀତାଙ୍କ ପାଖରେ ପର୍ଯ୍ୟାପ୍ତ ଉପାୟ ନଥାଏ ।
ସଂକ୍ଷେପରେ କହିବାକୁ ଗଲେ, ନିର୍ଦ୍ଧାରିତ ସମୟ ସୀମା ଭିତ୍ତିକ ଋଣ ପ୍ରଦାନ କ୍ଷେତ୍ରରେ ବିଶେଷ ଦକ୍ଷତାର ଆବଶ୍ୟକତା ରହିଛି । ବ୍ୟାଙ୍କିଂ କ୍ଷେତ୍ରରେ ଉଦାରୀକରଣ ନୀତି ଅବଲମ୍ବନର ଯଥାର୍ଥତାକୁ ସ୍ବୀକାର କରାଯାଉଥିଲେ ହେଁ ଉଭୟ ଅଟଳ ବିହାରୀ ବାଜପେୟୀ ସରକାର (1998-2004) ଏବଂ ମନମୋହନ ସିଂହ ସରକାର (2004-2014) ଏଭଳି ଦକ୍ଷତାର ବିକାଶ ନିମନ୍ତେ ସୁଯୋଗ ସୃଷ୍ଟି କରିବାରେ ବିଫଳ ହୋଇଥିଲେ । ଦେଶରେ ଦୀର୍ଘକାଳୀନ ବଣ୍ଡ୍ ନିମନ୍ତେ ଏକ ବଜାର ନଥିଲା । ଏଭଳି ବଜାର ସୃଷ୍ଟି କ୍ଷେତ୍ରରେ ଋଣ ସୀମା ବୃଦ୍ଧିରେ ରିଜର୍ଭ ବ୍ୟାଙ୍କର କଟକଣା ଓ ନିୟନ୍ତ୍ରଣ ବ୍ୟବସ୍ଥା ବାଧା ସୃଷ୍ଟି କରୁଥିଲା । ସମାଜବାଦୀ ନୀତିରେ ପରିଚାଳିତ କର୍ମଚାରୀଙ୍କ ଭବିଷ୍ୟନିଧି ସଂସ୍ଥା (EPFO) କାରଣରୁ ମଧ୍ୟ ବଜାର ନୀତି ଭିତ୍ତିକ ପେନ୍ସନ୍ ପାଣ୍ଠିର ଅଭିବୃଦ୍ଧି କଷ୍ଟକର ହୋଇପଡ଼ିଥିଲା ।