ଭୁବନେଶ୍ବର :ମହାମାରୀ କାଳରେ ବି ରାଜସ୍ବ ସଂଗ୍ରହ ଆଶାତୀତ ଭଲ ରହିଛି । ଲଘୁ ଖଣିଜ ପଦାର୍ଥରୁ ୨୦୨୦-୨୧ ରେ ୧୦୦୦ କୋଟି ଟଙ୍କାର ରାଜସ୍ବ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ବେଳେ ମହାମାରୀ ଭଳି ପ୍ରତିକୂଳ ସ୍ଥିତିରେ ୯୬୨ କୋଟିର ଟଙ୍କାର ରାଜସ୍ବ ଆଦାୟ କରାଯାଇଛି ।
୨୦୧୯-୨୦ ବର୍ଷରେ ଏହା ୬୮୦ କୋଟି ଟଙ୍କା ଥିଲା । ପୂର୍ବ ବର୍ଷ ତୁଳନାରେ ୪୧.୪୭ ପ୍ରତିଶତ ରାଜସ୍ବ ଅଭିବୃଦ୍ଧି ଘଟିଛି । ଲଘୁ ଖଣିଜ ଦ୍ରବ୍ୟକୁ ଅଧିକ ପୋଷଣୀୟ ଏବଂ ବୈଜ୍ଞାନିକ ପ୍ରଣାଳୀରେ ଉତ୍ତୋଳନ କରିବା ପାଇଁ ଅଧିକରୁ ଅଧିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ପାଇଁ ପ୍ରଚେଷ୍ଟା ଜାରି ରହିଛି । ଏଥିପାଇଁ ସମନ୍ବିତ ଲଘୁ ଖଣିଜ ଖଣି ପରିଚାଳନା ପଦ୍ଧତି ନୀତି କାର୍ଯ୍ୟକାରୀ ହେବାକୁ ଯାଉଥିବା ନେଇ ବିଭାଗ ପକ୍ଷରୁ ଜଣାଯାଇଛି ।
୨୦୨୦-୨୧ ଆର୍ଥିକ ବର୍ଷରେ ୫୦୬ ପ୍ରକାର ନୂଆ ଲଘୁ ଖଣିଜ ଉତ୍ସର ଚିହ୍ନଟ କରାଯାଇ ପରିଚାଳନା ଅନ୍ତର୍ଭୁକ୍ତ କରାଯାଇଛି । ସେଥିମଧ୍ୟରେ ୫୦ ଏକରରୁ ଉର୍ଦ୍ଧ୍ବ ପରିମିତ ୧୨ଟି ବୃହତ ନଦୀ ବାଲି ଶଯ୍ୟା ଅନ୍ତର୍ଭୁକ୍ତ ରହିଛି । ରାଜ୍ୟ ଜଳ ସମ୍ପଦ ବିଭାଗକୁ ଏଭଳି ବୃହତ ନଦୀ ବାଲି ଶଯ୍ୟାର ଚିହ୍ନଟକରଣ ନିମନ୍ତେ ସାମିଲ କରାଯାଇଛି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଲଘୁ ଖଣିଜ ପଦାର୍ଥ ପରି କଞ୍ଚାମାଲର ଆବଶ୍ୟକତା ରହିଛି ।
ଏହାର ଚୋରା, ବେଆଇନ୍ ଉତ୍ତୋଳନ ହେଉଛି । ଏହାକୁ ରୋକିବା ପାଇଁ ଏବଂ ରାଜସ୍ବ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ତରୀୟ ପରିବେଶ ପ୍ରଭାବ ନିର୍ଦ୍ଧାରଣ କର୍ତ୍ତୁପକ୍ଷ, ଭୁ-ବିଜ୍ଞାନ ନିର୍ଦ୍ଦେଶାଳୟ କର୍ତ୍ତୁପକ୍ଷ ଏବଂ ସହଯୋଗୀ ଅନୁଷ୍ଠାନ ସହିତ ନିୟମିତ ସମନ୍ବୟ ରଖି ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଆବଶ୍ୟକ ପରିବେଶ ମଞ୍ଜୁରୀ ଓ ମାଇନିଂ ପ୍ଲାନ୍ ଅନୁମୋଦନ କରାଯାଉଛି । ଏହି ଆର୍ଥିକ ବର୍ଷରେ ୨୭୭୨ ଟି ଖଣିଜ ଉତ୍ସ ଭୂବିଜ୍ଞାନ ନିର୍ଦ୍ଦେଶାଳୟ ପ୍ରାଧୀକୃତ ଅଧିକାରୀଙ୍କ ଦ୍ବାରା ମଞ୍ଜୁରୀ କରାଯାଇଥିବା ବେଳେ ଏସ୍.ଇ.ଆଇ.ଏ.ଏ (ପରିବେଶ ପ୍ରଭାବ ନିର୍ଦ୍ଧାରଣ କର୍ତ୍ତୁପକ୍ଷ) ପକ୍ଷରୁ ୧୦୦୦ଟି ଉତ୍ସର ପରିବେଶ ମଞ୍ଜୁରୀ କରାଯାଇଛି । ଫଳରେ ଏହି ବର୍ଷ ଶେଷରେ ୧୫୪୬ ଖଣିଜ ଉତ୍ସ ପରିଚାଳନା ଅନ୍ତର୍ଭୁକ୍ତ ହୋଇପାରିଛି ।
ଖଣିଜ ପଦାର୍ଥର ପ୍ରାଶାସନିକ ପରିଚାଳନା ବ୍ୟବସ୍ଥା ଚୋରି, ବେଆଇନ୍ ଉତ୍ତୋଳନକୁ ରୋକିବା ପ୍ରଶାସନ ପାଇଁ ବଡ ଆହ୍ବାନ ହୋଇଛି । ଏ ଦିଗରେ ଫଳପ୍ରଦ ପଦକ୍ଷେପ ସ୍ବରୂପ ଖଣିଜ ପଦାର୍ଥ ଉତ୍ସଗୁଡିକରେ ୨୬୬୫ଟି ଉତ୍ସର ସୀମା ସରହଦ ଚିହ୍ନଟ କରାଯାଇ ଖୁଣ୍ଟ ପୋତା ଯାଇଛି । ୧୧୧୨ଟି ଉତ୍ସର ସର୍ବେକ୍ଷଣ କାର୍ଯ୍ୟ ସରିଛି । ଖଣିଜ ଉତ୍ସ ଓ ଗଚ୍ଛିତ ରହିଥିବା ଖଣିଜ ସମ୍ପଦ ଉତ୍ସ ସ୍ଥଳଗୁଡିକର ନିୟମିତ ତଦାରଖ କରାଯାଉଛି । ଉତ୍ସ ଗୁଡିକ ସଂପୃକ୍ତ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ୧୫ ଦିନରେ ଥରେ ଓ ତହସିଲସ୍ତରୀୟ ଟିମ୍ ଦ୍ବାରା ମାସକୁ ଥରେ ତଦାରଖ କରାଯାଉଛି ।
ଖଣିଜ ପଦାର୍ଥର ବେଆଇନ୍ ଖନନ, ଲଘୁ ଖଣିଜ ପଦାର୍ଥର ଚୋରା ଚାଲାଣକୁ ରୋକିବା ପାଇଁ ଚଳିତ ବର୍ଷ ତହସିଲ, ସବ୍ ଡିଭିଜନ, ଜିଲ୍ଲାସ୍ତରୀୟ ସ୍କ୍ବାର୍ଡ ଦ୍ବାରା ୩୯,୬୨୧ଟି ଚଢଉ କରାଯାଇଛି । ୩୧, ୭୫୮ଟି ବେଆଇନ୍ ଖଣିଜ ମାମଲା ଠାବ କରାଯିବା ସହିତ ୧୯,୮୦୬ ଟି ଯାନବାହନ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି । ଏ ବାବଦରେ ଚଢଉ ସ୍କ୍ବାର୍ଡ ପକ୍ଷରୁ ୬୮,୫୨,୮୭,୯୮୭ ଟଙ୍କାର ରୟାଲ୍ଟି ଏବଂ ଜୋରିମାନା ଆଦାୟ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ