ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦ୍ରବ୍ୟ ଓ ସେବାକର (ଜିଏସଟି) କ୍ଷତିପୂରଣ ବାବଦକୁ 30 ହଜାର କୋଟି ଜାରି କରିଛି କେନ୍ଦ୍ର । ମାର୍ଚ୍ଚ 27ରେ ଏହି ଅର୍ଥରାଶିକୁ ଜାରି କରିଥିଲା ଅର୍ଥ ମନ୍ତ୍ରଣାଳୟ । ଯେଉଁଥିରେ କେନ୍ଦ୍ର ପକ୍ଷରୁ ଇଣ୍ଟିଗ୍ରେଟେଡ ଜିଏସଟି ବାବଦ କିସ୍ତିରେ 28 ହଜାର କୋଟି ଜାରି କରିଛି ଅର୍ଥ ମନ୍ତ୍ରଣାଳୟ । ଯାହାକୁ ସମାନ ଭାଗରେ ବିଭକ୍ତ କରି (14 ହଜାର କୋଟି) ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ବଣ୍ଟା ହୋଇଛି ।
ଗତକାଲି (ମଙ୍ଗଳବାର) ଜାରି କରାଯାଇଥିବା ଅର୍ଥରାଶିରେ ପାଞ୍ଚଟି ରାଜ୍ୟକୁ ପାଖାପାଖି 1 ହଜାର କୋଟିରୁ ଅଧିକ ଟଙ୍କା ଜାରି କରାଯାଇଛି। ଯେଉଁଥିରେ ମହାରାଷ୍ଟ୍ର 2,115 କୋଟି, କର୍ଣ୍ଣାଟକ 1,263 କୋଟି, ଉତ୍ତରପ୍ରଦେଶ 1,167 କୋଟି, ତାମିଲନାଡୁ 1,041 କୋଟି ଏବଂ ଗୁଜରାଟକୁ 1,009 କୋଟି ଜାରି କରାଯାଇଛି ।
ଗତବର୍ଷ ଆର୍ଥିକବର୍ଷ (2020-21) ଶେଷ ଅର୍ଥାତ (ମାର୍ଚ୍ଚ 31) ସୁଦ୍ଧା ଏପର୍ଯନ୍ତ ମୋଟ ଜିଏସଟି ବାବଦ କ୍ଷତିପୂରଣ ଅର୍ଥରାଶି 70 ହଜାର କୋଟି ଜାରି କରାଯାଇଥିବା ନିଜ ବିବୃତିରେ ସୂଚନା ଦେଇଛି ଅର୍ଥମନ୍ତ୍ରଣାଳୟ । ଏହାବାଦ କେନ୍ଦ୍ର ଉପରେ ଆହୁରି 63 ହଜାର କୋଟି ବାକି ରହିଥିବା ଗତକାଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଜିଏସଟି ଲାଗୁ କରାଯିବା ପରେ ରାଜସ୍ବରେ 1.10 ଲକ୍ଷ କୋଟି ଟଙ୍କାର ଆନୁମାନିକ ହ୍ରାସ ଦେଖାଦେଇଛି । ଏହାକୁ ପୂରଣ କରିବା ପାଇଁ କେନ୍ଦ୍ର 2020 ଅକ୍ଟୋବରରେ ଏକ ସ୍ପେଶାଲ ୱିଣ୍ଡୋ ବ୍ୟବସ୍ଥା ଆରମ୍ଭ କରିଥିଲା । ଯାହାକୁ ଗୋଟେ ଗୋଟେ କିସ୍ତି ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରାଯାଉଛି ।