ନୂଆଦିଲ୍ଲୀ: ଦେଶରେ ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ଯୋଗୁଁ ରାଜ୍ୟ ଗୁଡିକୁ ରାଜସ୍ବ ହରାଇବାକୁ ପଡୁଛି । ଏଥିପାଇଁ ରାଜକୋଷରେ ଦେଖାଦେଇଥିବା ନିଅଣ୍ଟକୁ ଭରଣା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଜିଏସଟି କ୍ଷତିପୂରଣ ନେଇ ରହିଥିବା ନିୟମକୁ ସମ୍ମାନ ଜଣାଇବେ ବୋଲି ସରକାର ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ରାଜ୍ୟକୁ ଜିଏସଟି କ୍ଷତିପୂରଣ ରାଶି ଦେବା ବାବଦରେ କେନ୍ଦ୍ର ପାଖରେ 2.35 ଲକ୍ଷ କୋଟି ଟଙ୍କା ଅଭାବ ଦେଖାଦେବ ବୋଲି ଆକଳନ କରାଯାଇଛି । ହେଲେ ସେଥିରୁ 97,000 କୋଟି ଟଙ୍କା ଶୀଘ୍ର ପ୍ରଦାନ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ବାକି ଟଙ୍କା ପାଇଁ ରାଜ୍ୟକୁ 2ଟି ବିକଳ୍ପ ଦିଆଯାଇଥିବାବେଳେ ଏ ନେଇ ଚୂଡାନ୍ତ ନିଷ୍ପତ୍ତି 2ପକ୍ଷଙ୍କ ସହମତି କ୍ରମେ ଆଗାମୀ ଜିଏସଟି ପରିଷଦ ବୈଠକରେ ନିଆଯିବ ।