ହାଇଦ୍ରାବାଦ: ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ 2021-22 ବର୍ଷର ସାଧାରଣ ବଜେଟ । କୋରୋନା ମାଡରେ ଧରାଶାୟୀ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଏହି ବଜେଟ ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା ହୋଇପାରେ । ଏଣୁ ସମସ୍ତଙ୍କ ନଜର ବଜେଟ ଭାଷଣ ଉପରେ । ତେବେ ଏହି ସମୟରେ ଏପରି କିଛି ଶବ୍ଦ ବ୍ୟବହାର ହୁଏ , ଯାହା ଆପଣ ଜାଣିନଥାଇ ପାରନ୍ତି । ତେବେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କୁ ବଜେଟ ବୁଝାଇବା ପାଇଁ କଠିନ ଶବ୍ଦର ଅର୍ଥ ବତାଇବ ଇଟିଭି ଭାରତ ..
ବଜେଟ କଣ : ଏକ ଆର୍ଥିକ ବର୍ଷର ସରକାର କେତେ ଆୟ କରନ୍ତି , ଆଉ ତାହାକୁ କେଉଁ କେଉଁ ଦିଗରେ କେତେ ଖର୍ଚ୍ଚ କରିବେ , ସେ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ ଚିଠାକୁ କୁହନ୍ତି ବଜେଟ । ବଜେଟ ଘେଷଣା ସମୟରେ ସରକାର ତମାମ ଯୋଜନାର ଘୋଷଣା ମଧ୍ୟ କରିଥାନ୍ତି । ଏଥିରେ ଟିକସ , ବ୍ୟୟ ନେଇ ମଧ୍ୟ ହିସାବ ନିକାଶ ରହିଥାଏ ।
ବଜେଟ କେତେ ପ୍ରକାର: ବଜେଟ ସାଧାରଣତଃ 3 ପ୍ରକାରର । ବାଲାନ୍ସ ବଜେଟରେ ସରକାରଙ୍କ ଆୟ ଓ ଖର୍ଚ୍ଚ ସମାନ ହୋଇଥାଏ । ସରପ୍ଲସ ବଜେଟ (ବଳକା ବଜେଟ) ରେ ସରକାରଙ୍କ ଆୟ ଖର୍ଚ୍ଚ ଠାରୁ ଅଧିକ ହୋଇଥାଏ । ଆଉ ଡେଫିସେଟି ବଜେଟ ବା ନିଅଣ୍ଟ ବଜେଟରେ ସରକାରଙ୍କ ଆୟ ଠାରୁ ଖର୍ଚ୍ଚ କମ ହୋଇଥାଏ ।
ମୋଟ ଘରୋଇ ଉତ୍ପାଦ ବା ଜିଡିପି: କୌଣସି ଦେଶର ଘରୋଇ ସୀମା ଭିତରେ ଉତ୍ପାଦିତ ସାମଗ୍ରୀ ଏବଂ ସେବାର ମୋଟ ବଜାର ମୂଲ୍ୟକୁ ଜିଡିପି କୁହାଯାଏ । ଏକ ନିର୍ଦ୍ଦିଷ୍ଟ ଅବଧି ପାଇଁ ଏହାକୁ ମପାଯାଏ । ଏକ ଦେଶର ଜୀବନ ମାନକୁ ଏହା ଦ୍ବାରା ଦର୍ଶାଯାଇଥାଏ ।
ଆର୍ଥିକ ଘାଟା ( Fiscal Deficit): ମୋଟ ଆୟ ଓ ମୋଟ ବ୍ୟୟ ଭିତରେ ରହିଥିବା ତାରତମ୍ୟକୁ ଆର୍ଥିକ ଘାଟା କୁହାଯାଏ । ଅର୍ଥାତ ସରକାର ଟିକସ ଆଦି ଜରିଆରେ ଯେତେ ଟଙ୍କା ଆଦାୟ କରୁଛନ୍ତି, ଯଦି ତା ଠାରୁ ଅଧିକ ଖର୍ଚ୍ଚ କରନ୍ତି, ତେବେ ସେ ଭିତରେ ଥିବା ଅନ୍ତରକୁ ହିଁ ଆର୍ଥିକ ଘାଟା କୁହାଯାଏ ।
ଅର୍ଥ ବିଲ(Finance Bill) : ସଂସଦରେ ଅର୍ଥବିଲ ଜରିଆରେ ବଜେଟ ଉପସ୍ଥାପନ କରାଯାଏ । ଯେପରି ନୂଆ କର ଲାଗୁ, କର ପ୍ରସ୍ତାବରେ ପରିବର୍ତ୍ତନ ବା ଚଳିତ କର ଢାଞ୍ଚାକୁ ଜାରି ରଖିବା ପାଇଁ ଆଦି ଯେଉଁ ସବୁ ଅର୍ଥବ୍ୟବସ୍ଥା ଜଡିତ ବିଧେୟକ ଅଣାଯାଏ ତାହାକୁ ଅର୍ଥବିଲ କୁହାଯାଏ ।
ପ୍ରତ୍ୟକ୍ଷ ଟିକସ( Direct Tax): କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାର ଆୟ ଉପରେ ଲାଗୁ ହେଉଥିବା ଟିକସକୁ ପ୍ରତ୍ୟକ୍ଷ ଟିକସ କୁହାଯାଏ । ଏହା ଅଧିନରେ ଆୟକର, କର୍ପୋରେଟ ଟିକସ ଆଦି ରହିଥାଏ ।
ପରୋକ୍ଷ ଟିକସ( Indirect Tax): ଉପଭୋକ୍ତା ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା ଉପରେ ଆଦାୟ ଟିକସକୁ ପରୋକ୍ଷ କର କୁହାଯାଏ । ଏହାକୁ ସିଧାସଳଖ ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଏନାହିଁ ।
ଉତ୍ପାଦ ଶୁଳ୍ପ(Custom Duty): ଦେଶର ସୀମା ବାହାରକୁ ଦ୍ରବ୍ୟ ଓ ସାମଗ୍ରୀର ଆମଦାମୀ ଓ ରପ୍ତାନୀ ଉପରେ ସରକାର ଲଗାଉଥିବା କରକୁ ଉତ୍ପାଦ ଶୁଳ୍କ କୁହାଯାଏ ।
ଆର୍ଥିକ ନୀତି( Fiscal Policy): ଆୟ ଓ ଖର୍ଚ୍ଚର ମୋଟକୁ ଯୋଡିବା ପାଇଁ ସରକାର ଆର୍ଥିକ ନୀତି ନିର୍ଦ୍ଧାରଣ କରନ୍ତି । ଆର୍ଥିକ ନୀତିକୁ ବଜେଟ ଜରିଆରେ ଲାଗୁ କରାଯାଏ । ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ଏହା ପ୍ରାଥମିକ ସାଧନ ହୋଇଥାଏ ।
ସେସ ବା ଉପକର (ses): କୌଣସି ମୁଖ୍ୟ ଟିକସ ଉପରେ ଲଗାଯାଉଥିବା ଅତିରିକ୍ତ ଟିକସକୁ ଉପକର କୁହାଯାଏ । ବିଶେଷ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଏହାକୁ ଲଗାଯାଇଥାଏ । ଉଦାହରଣ: ପ୍ରାଥମିକ ଶିକ୍ଷା ଉପରେ ଅଲଗା ଖର୍ଚ୍ଚ ପାଇଁ ଶିକ୍ଷା ସେସ ଲଗାଯାଇଥାଏ ।
ପୁଞ୍ଜି ପ୍ରତ୍ୟାହାର (disinvestment): ରାଷ୍ଟ୍ରାୟତ କମ୍ପାନୀରେ ସରକାରୀ ଅଂଶଧନ ବିକ୍ରି ପ୍ରକ୍ରିୟାକୁ ପୁଞ୍ଜି ପ୍ରତ୍ୟାହାର କୁହାଯାଇଥାଏ ।
ମୁଦ୍ରାସ୍ପୀତି: ବଜେଟ ସମୟରେ ମୁଦ୍ରାସ୍ପୀତି (Inflation) ଶବ୍ଦର ବ୍ୟବହାର ଅଧିକ ହୋଇଥାଏ । ପ୍ରତିଶତ ହାରରେ ଏହାକୁ ଦର୍ଶାଯାଏ । ଦରଦାମ ବଢିଲେ ମୁଦ୍ରାସ୍ପୀତି ହାର ବଢେ । ଅର୍ଥାତ କରେନ୍ସି ଭେଲ୍ୟୁ ହ୍ରାସ ହୋଇଥାଏ । ଯାହା ଫଳରେ କ୍ରୟ କରିବା କ୍ଷମତା କମିଥାଏ । ଆଉ କ୍ରୟ କ୍ଷମତା କମିଲେ ଚାହିଦା ହ୍ରାସ ହୁଏ ।
ଅଫ ବଜେଟ ବରୋଇଂ ବା ବଜେଟ ବାହାର ଋଣ: ଏହି ଋଣକୁ ସରକାର ନେଇନଥାନ୍ତି କିନ୍ତୁ ଏହାକୁ ସରକାରଙ୍କ ନିର୍ଦ୍ଦେଶରେ କୌଣସି ସରକାରୀ କାମ ବା ପ୍ରୋଜେକ୍ଟ ପାଇଁ ନିଆଯାଇଥାଏ । ଉଦାହରଣ ପାଇଁ ସରକାରଙ୍କ ଏକ ବଡ ଖର୍ଚ୍ଚ ରହିଥାଏ ଫୁଡ ସବସିଡି ପ୍ରଦାନ । 2020-21ରେ ସରକାର ମୋଟ ବିଲ 1,51,000 କୋଟି ମଧ୍ୟରୁ କେବଳ 77,892 କୋଟିର ବିଲ ଦେଲେ । ବାକିର ବିଲ ନ୍ୟାସନାଲ ସ୍ମଲ ସେଭିଂ ଫଣ୍ଡ ଜରିଆରେ ପରିଶୋଧ ହୋଇଛି । ଏହା ନ୍ୟାସନାଲ ସ୍ମଲ ସେଭିଂ ଫଣ୍ଡ ଜରିଆରେ ଅଫ ବଜେଟ ବରୋଇଂ ଜରିଆରେ ହୋଇଛାଏ ।
ନେଟ ଇନକମ: ଯେବେ ଆପଣ ଆଇଟିଆର ଫର୍ମ ଭରିବେ, ତେବେ ସେଠାରେ ଆରମ୍ଭ କିଛି ପଏଣ୍ଟ ଭରିବା ପରେ ଆପଣଙ୍କ ସାମ୍ନାରେ ନେଟ ସାଲାରୀର ଏକ କଲମ ଥିବ । ଏହାକୁ ଆପଣଙ୍କୁ ଭରିବାକୁ ପଡିନଥାଏ । ଏହା ଆପେ ଆପେ ପୂରଣ ହୁଏ । ହେଲେ ଏହା କଣ ପ୍ରଶ୍ନ ଉଠିଥାଏ । ତେବେ ଆପଣଙ୍କ ଗ୍ରସ ସାଲାରୀରୁ ଯେବେ ଟ୍ରାଭେଲ ଆଲାଉନ୍ସ , ହାଉସ ରେଣ୍ଟ ଆଲାଉ୍ସ ଭଳି ବହୁତ ଆଲାଉନ୍ସ ବା ଭତ୍ତା ହଟାଇଲେ ଯାହା ରୁହେ ତାହା ନେଟ ସାଲାରୀ ।
କଣ ଟ୍ୟାକ୍ସବଲ ଇନକମ (Taxable income) ? :ଯେବେ ଆପଣଙ୍କ ନେଟ ସାଲାରୀ ବାହାରିଯାଏ, ସେଥିରୁ ଆପଣଙ୍କ ସେଭିଂ ଓ ଡିଡକ୍ସନକୁ ହ୍ରାସ କରାଯାଇଥାଏ । ଯେପରି ଷ୍ଟାଣ୍ଡାର୍ଡ ଡିଡକ୍ସନ 50 ହଜାର ଟଙ୍କାରୁ କମ କରାଯାଇଥାଏ । ଆପଣଙ୍କ ପକ୍ଷରୁ ଟିକସ ବଞ୍ଚାଇବା ପାଇଁ 80 ସି ଅଧିନରେ କରାଯାଇଥିବା ନିବେଶ କୁ ହଟାଯାଇଥାଏ । ଆପଣ ପକ୍ଷରୁ ଦିଆଯାଇଥିବା ହେଲଥ ଇନ୍ସୁରାନ୍ସ ଓ ଲାଇଫ ଇନ୍ସୁରାନ୍ସର ପ୍ରିମିୟମକୁ ଛାଡ କରାଯାଇଥାଏ । ଯଦି କୌଣସି ମେଡିକାଲ ଖର୍ଚ୍ଚ ଥାଏ , ତାହାକୁ ମଧ୍ୟ ହଟାଯାଇଥାଏ । ଏଥିସହ କୌଣସି ପ୍ରପର୍ଟିରୁ ହୋଇଥିବା ଆୟ ବା କୌଣସି ଅନ୍ୟ ସୋର୍ସରୁ ହୋଇଥିବା ଆମଦାନୀକୁ ମଧ୍ୟ ଯୋଡାଯାଇଥାଏ । ଏସବୁ ହେବା ପରେ ସିଧା ସିଧା ଇନକମ ଟ୍ୟାକ୍ସରେ ମିଳୁଥିବା ରିହାତିର ମୂଲ୍ୟକୁ ହଟାଯାଏ (ବର୍ତ୍ତମାନ ସମୟରେ ଏହା ସାଧାରଣ ଲୋକଙ୍କ ପାଇଁ 2.5 ଲକ୍ଷ ରହିଛି ) । ଏସବୁ ପରେ ଯାହା ଆୟ ବଞ୍ଚିଥାଏ , ତାହା ଟ୍ୟାକ୍ସବଲ ଇନକମ ହୋଇଥାଏ । ଯାହା ଉପରେ ଆପଣଙ୍କୁ ଟିକସ ଭରିବାକୁ ପଡେ ।