ମୁମ୍ବାଇ: ଆଜିକା ଯୁଗରେ ଭିଡିଓ ସେୟାରିଂର ଶ୍ରେଷ୍ଠ ମାଧ୍ୟମ ୟୁଟୁବ। ଶିଖିବା ଠାରୁ ଆରମ୍ଭ କରି ନିଜର ଟ୍ୟାଲେଣ୍ଟକୁ ଏକ୍ସପ୍ଲୋର କରିବାକୁ ସୁଯୋଗ ଦିଏ ୟୁଟୁବ। ଏଥିପାଇଁ ଦିନକୁ ଦିନ ବଢିବାରେ ଲାଗିଛି ୟୁଜର୍ସଙ୍କ ସଂଖ୍ୟା। ଭାରତରେ ପ୍ରାୟ 85 ପ୍ରତିଶତ ଲୋକ ମୋବାଇଲରେ ୟୁଟୁବ ଦେଖିଥାନ୍ତି। ଯେଉଁଥିପାଇଁ ଭାରତ ୟୁଟୁବ ଦର୍ଶକ ଭାବେ ଟପ ଲିଷ୍ଟରେ ରହିଛି।
ଦେଶ ଡିଜିଟାଇଲାଇଜ ହେବା ସହ ବଢୁଛି ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା। ଆଉ ଏହା ମଧ୍ୟରେ ପ୍ରତି ସମସ୍ୟାର ସମାଧାନ ଏବେ ସାଜିଛି ୟୁଟୁବ। ହାତବାରିସି ଭଳି ଚୁଟିକିରେ ବତାଉଛି ବାଟ। ଦେଉଛି ଶିଖିବାର ନୂଆ ନୂଆ ଫର୍ମୁଲା । ଯାହାକୁ ବ୍ୟବହାର କରି ବ୍ୟବସାୟ ବଢିବା ସହ ବହୁ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷିତ ହେବାକୁ ସକ୍ଷମ ହେଉଛନ୍ତି ।
ତେବେ ପ୍ରତିବର୍ଷ ଏହି ୟୁଟୁବ ୟୁଜର୍ସ ମାତ୍ରା ବଢୁଛି। ଚଳିତ ବର୍ଷ 85 ପ୍ରତିଶତ ରହିଥିବା ବେଳେ ଗତ ବର୍ଷ ଏହା 73 ପ୍ରତିଶତ ରହିଥିଲା। 2019 ଜାନୁଆରୀ ହିସାବ ଅନୁଯାୟୀ ଦେଶରେ ୟୁଟୁବର ସ୍ଥାୟୀ ଓ ସକ୍ରିୟ ୟୁଜର୍ସ ସଂଖ୍ୟା 26.5 କୋଟିରେ ପହଞ୍ଚିଲାଣି ।
ସୂଚନା ମୁତାବକ, ଦୀର୍ଘ 11 ବର୍ଷ ଧରି ୟୁଟୁବ ଭାରତରେ କାରବାର କରିଆସୁଛି । ୟୁଟୁବର ବାର୍ଷିକ କାର୍ଯ୍ୟକ୍ରମ ‘ବ୍ରାଣ୍ଡକାଷ୍ଟ ଇଣ୍ଡିଆ’କୁ ସମ୍ବୋଧିତ କରି ଏହାର ମୁଖ୍ୟ କାର୍ଯ୍ୟକାରୀ ସୁଜେନ ବୋଜସିକୀ କହିଛନ୍ତି ଯେ, ‘26.5 କୋଟି ମାସିକ ସକ୍ରିୟ ଉପଭୋକ୍ତାଙ୍କ ପରେ ଆମର ସର୍ବବୃହତ୍ତ ଦର୍ଶକ ବର୍ଗ ଏବେ ଭାରତ। ’
ଏଥି ସହ ସୂଚନା ହେଉ କି ମନୋରଞ୍ଜନ ପ୍ରତିଟି କ୍ଷେତ୍ରରେ ୟୁଟୁବ ସବୁଠୁ ବଡ ମଞ୍ଚ । ଗତ ବର୍ଷେ ମଧ୍ୟରେ ମୋବାଇଲରେ ୟୁଟୁବ ଦେଖୁଥିବା ଦର୍ଶକଙ୍କ ସଂଖ୍ୟା ଦ୍ରୁତ ହାରରେ ବଢିବାରେ ଲାଗିଛି ।