ଅନୁଗୋଳ: 'ଫନି' ପାଇଁ ଚିନ୍ତାରେ ଚାଷୀ । ବିଶେଷ କରି ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଏଦୃଶ୍ୟ ହେଉଛି ଅନୁଗୋଳ ଜିଲ୍ଲା ଯାମୁଁନାଳୀ ପଞ୍ଚାୟତର ଜଣେ ଚାଷୀଙ୍କ । ତାଙ୍କ ଏକର ଏକର ଜମିରେ ପରିବା ଚାଷ କରି ସେ ଜୀବିକା ନିର୍ବାହ କରୁଥିଲେ । ମାତ୍ର ଫନି ତାଙ୍କ ଜୀବିକାକୁ ଛଡାଇ ନେଇଛି ।
ଫନିର ପ୍ରଳୟଙ୍କାରୀ ରୂପ କ୍ଷେତରେ ଲାଗିଥିବା ସବୁ ପରିବାକୁ ଧ୍ବଂସବିଧ୍ବସ୍ତ କରିଛି । କଖାରୁ ଠାରୁ ଆରମ୍ଭ କରି କାକୁଡି ଜହ୍ନି, ପୋଟଳ, ଭେଣ୍ଡି ଆଦି ସବୁ ପରିବାକୁ ନଷ୍ଟ କରିଦେଇଛି । ବାତ୍ୟା ପରେ ଜମିରେ ପାଣି ପଶି ଗଛ ମୂଳେ ପାଣି ଜମା ରହି ସବୁ ଗଛକୁ ନଷ୍ଟ କରିଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ । ଏସଂକ୍ରାନ୍ତରେ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ କୌଣସି ଲାଭ ମିଳିନଥିବା ଚାଷୀ ଅଭିଯୋଗ ଆଣିଛନ୍ତି ।