ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗତ 24 ଘଣ୍ଟା ମଧ୍ୟରେ ଛାତି ଥରେଇଲା ଭଳି ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦିଲ୍ଲୀ ପୋଲିସକୁ ଟ୍ବିଟର ମାଧ୍ୟମରେ ଟାର୍ଗେଟ କରିଥିଲେ । ସାଧାରଣ ଜନତା ନିଜ ସୁରକ୍ଷା ପାଇଁ କାହାର ଶରଣରେ ଯିବେ ବୋଲି ପୋଲିସକୁ ପ୍ରଶ୍ନ କରିଥିଲେ । ଯାହାର ପାଲଟା ଜବାବ ଦିଲ୍ଲୀ ପୋଲିସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମିଳିଥିଲା । 2018 ତୁଳନାରେ ଚଳିତ ବର୍ଷ ଅପରାଧ ସଂଖ୍ୟା 10 ପ୍ରତିଶତ କମ ହୋଇଛି । ସେହିପରି ବୃଦ୍ଧାଙ୍କୁ କରାଯାଉଥିବା ହତ୍ୟା ସଂଖ୍ୟା 22 ପ୍ରତିଶତ କମ ହୋଇଛି ବୋଲି କହିଛି ଦିଲ୍ଲୀ ପୋଲିସ ।
ଦିଲ୍ଲୀ ହତ୍ୟା ଘଟଣାକୁ ନେଇ ପୋଲିସ-କେଜ୍ରିୱାଲଙ୍କ ମଧ୍ୟରେ ଟ୍ବିଟର ୱାର
ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଘଟିଥିବା ହତ୍ୟାକୁ ନେଇ ଦିଲ୍ଲୀ ପୋଲିସକୁ ଟ୍ବିଟରରେ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯାହାର ପାଲଟା ଜବାବ ରଖିଛି ପୋଲିସ ।
ସୂଚନାଯୋଗ୍ୟ, ଗତ ଶନିବାର ଠାରୁ ବର୍ତ୍ତମାନ ସୁଦ୍ଧା 3ଟି ଭିନ୍ନ ଭିନ୍ନ ସ୍ଥାନରେ 9ଟି ହତ୍ୟା ହୋଇଛି । ଆଉ ଏଥିପାଇଁ ଆପ ସରକାର ଦେଶର ଆଇନ ବ୍ୟବସ୍ଥା ଏବଂ କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ । ଶନିବାର ସକାଳେ ଦକ୍ଷିଣ ଦିଲ୍ଲୀର ମହରୋଲୀ ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଓ 3 ଛୁଆଙ୍କୁ ଧରି ରହୁଥିବାବେଳେ ସେମାନଙ୍କ ଗଳାକାଟି ହତ୍ୟା କରାଯାଇଛି । ସେହିପରି ଦ୍ବାରକାରେ କିଛି ଅଜଣା ଦୁର୍ବୃତ୍ତ ଜଣେ 51 ବର୍ଷୀୟ ବୃଦ୍ଧଙ୍କ ଘରେ ପଶି ତାଙ୍କ ସ୍ତ୍ରୀ ଓ ତାଙ୍କୁ ଛୁରୀ ଭୂଷି ହତ୍ୟା କରିଥିଲେ । ରବିବାର ସକାଳେ ବଂଶତ ବିହାର ଅଞ୍ଚଳରୁ ଜଣେ ବୃଦ୍ଧ ଦମ୍ପତିଙ୍କ ସହ ତାଙ୍କ ଘରେ କାମ କରୁଥିବା ବ୍ୟକ୍ତିର ମୃତଦେହ ଉଦ୍ଧାର ହୋଇଛି । ସେମାନଙ୍କୁ ମଧ୍ୟ ଗଳାକାଟି ହତ୍ୟା କରାଯାଇଛି ।
ସେପଟେ ଉକ୍ତ ହତ୍ୟା ଘଟଣାକୁ ନେଇ ପୋଲିସ କହିଛି ଯେ, ଯେଉଁସବୁ ହତ୍ୟା ଘଟଣାର ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ମୁଦ୍ଦା କରିଛନ୍ତି ଏହି ସବୁ ମାମଲାରେ ପରିବାରର ସଦସ୍ୟଙ୍କ ହାତ ରହିଛି । ଆଉ ବଂଶତ ବିହାର ମାମଲାରେ କେହି ବନ୍ଧୁ ସମ୍ପର୍କୀୟଙ୍କ ହାତ ଥିବା ନେଇ ପୋଲିସ ପାଖରେ ସୂଚନା ରହିଛି ।