ଭୁବନେଶ୍ବର: ଅଦମ୍ୟ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ଶାରୀରିକ ଅକ୍ଷମତା । ଏହି ଉକ୍ତିର ଯଥାର୍ଥତାକୁ ପ୍ରମାଣିତ କରିଥିଲେ ରାଜଧାନୀ ଭୁବନେଶ୍ୱରର ପାନଦୋକାନୀ ଟୁଟୁ ଦଳେଇ। ପରିବାର କହିଲେ ସ୍ବାମୀ-ସ୍ତ୍ରୀ ଦୁଇ ଜଣ । ଟୁଟୁଙ୍କ ନିଜ ଘର ସୁଦୁର ଗଞ୍ଜାମ ଜିଲ୍ଲା । ଦୀର୍ଘ 20 ବର୍ଷ ତଳେ ପେଟ ପୋଷିବାର ନିଶା ତାଙ୍କୁ ଭୁବନେଶ୍ବରକୁ ନେଇ ଆସିଥିଲା । ପରେ ସେଠାରେ ଶ୍ରମିକ ଭାବେ କାମ କରି କିଛି ସଞ୍ଚୟ ଟଙ୍କାରେ ନିଜେ ଗୋଟିଏ ପାନ ଦୋକାନ ଖୋଲିଥିଲେ ।
ଟୁଟୁ ପ୍ରଥମେ ଗଙ୍ଗନଗରରେ ନିଜ ଦୋକାନ ଆରମ୍ଭ କରିଥିଲେ । କିନ୍ତୁ ସେଠାରୁ ତାଙ୍କ ଦୋକାନ ଉଠାଇ ଦିଆଯିବା ପରେ ରାଜଧାନୀର ନିର୍ମାଣ ସୌଧ ସମ୍ମୁଖରେ ଏକ ଦୋକାନ ଖୋଲିଥିଲେ । ହେଲେ ଫନି ତାଙ୍କର ସ୍ବପ୍ନକୁ ଉଜାଡି ଦେଇଛି । ଏବେ ଟୁଟୁଙ୍କ ବାସ-ବେଉସା ଯେମିତି ମାଟିରେ ଲୋଟିଛି । ଭଙ୍ଗା ଦଦରା ଦୋକାନରେ କଟୁଛି ରାତିଦିନ । ଟୁଟୁ ଶାରିରୀକ ଅକ୍ଷମ ହୋଇଥିବାବେଳେ ଦୋକାନ ଖଣ୍ଡିକ ପରିବାର ପାଇଁ ଥିଲା ସାହାରା । ହେଲେ ପ୍ରଳୟଙ୍କାରୀ ଫନି ଟୁଟୁଙ୍କୁ ବେସାହାରା କରିଥିବା ବେଳେ ସ୍ତ୍ରୀଙ୍କୁ ସଜେଇଛି ଦିନ ମଜୁରିଆ ।