ଭୁବନେଶ୍ୱର: ସାମୁଦ୍ରିକ ଝଡ ଫନିରେ ଭୁବନେଶ୍ୱରରେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ଗଛ ଉପୁଡିଛି । ଯାହାଫଳରେ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ହେଉଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ 'ମିଶନ ଗ୍ରୀନ ଭୁବନେଶ୍ୱର' ପକ୍ଷରୁ ଏକ ନିଆରା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେବେ ସ୍ମାର୍ଟସିଟିର ସବୁଜିମା ଫେରାଇ ଆଣିବାର ପ୍ରଚେଷ୍ଠାରେ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ "ମିଶନ ଗ୍ରୀନ ଭୁବନେଶ୍ୱର" ସେମାନଙ୍କ ପ୍ରଥମ ପର୍ଯ୍ୟାୟ ବୃକ୍ଷରୋପଣ କାର୍ଯ୍ୟକ୍ରମ 19 ଜୁନ 2019ରେ ସମାପନ କରିଛନ୍ତି । ମୁଖ୍ୟତଃ ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନ ଓ ଜନବସତି ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛି 'ମିଶନ ଗ୍ରୀନ୍ ଭୁବନେଶ୍ୱର' ।
ଏହି କାର୍ଯ୍ୟକ୍ରମ ପାଇଁ ଭୁବନେଶ୍ବରର ପ୍ରମୁଖ ସ୍ଥାନମାନଙ୍କରେ ସଚେତନତା ତଥା କ୍ରାଉଡ଼ ଫଣ୍ଡିଙ୍ଗ କରାଯାଇଥିଲା । ଯୁବଗୋଷ୍ଠୀ ଆଉ କିଶୋର କିଶୋରୀ ମାନଙ୍କ ମଧ୍ୟରେ ପରିବେଶ ସଚେତନତା କରେଇବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ । ଏନେଇ ବୁଧବାର ଭୁବନେଶ୍ୱର ଡ଼ମ୍ପିଂ ୟାର୍ଡ଼ ନିକଟସ୍ଥ ବିଶେଶ୍ବର ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା କିଶୋର-କିଶୋରୀଙ୍କୁ ବୃକ୍ଷରୋପଣର ଆବଶ୍ୟକତା ସମ୍ବନ୍ଧୀୟ କର୍ମଶାଳାର ଆୟୋଜନ ସହ ଜଳପାନର ବ୍ୟବସ୍ଥା କରାଯାଇଥିଲା ।