ଭୁବନେଶ୍ବର:ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ବିଭିନ୍ନ ମହଲରୁ ପରାମର୍ଶ ଲୋଡ଼ିଛନ୍ତି । ଓଡ଼ିଶା ବର୍ତ୍ତମାନ ବିକାଶ ଓ ଅଭିବୃଦ୍ଧିର ଜ୍ଵଳନ୍ତ ଉଦାହରଣ ବୋଲି ଦର୍ଶାଇ ଚିରସ୍ଥାୟୀ ଓ ସମାବେଶୀୟ ବିକାଶ ସାଧନ, ଆଞ୍ଚଳିକ ଅସମତା ଓ ଦାରିଦ୍ର୍ୟ ହ୍ରାସ, ପ୍ରଭାବୀ ପ୍ରଶାସନ, ଭିତ୍ତିଭୂମିରେ ବିକାଶ, ପୁଞ୍ଜିନିବେଶ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ରାଜ୍ୟର ଆଭିମୁଖ୍ୟ ବୋଲି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପ୍ରକାଶ କରିଛନ୍ତି । ଆଜି ‘ଓଡ଼ିଶା ଶକ୍ତି କ୍ଷେତ୍ର–ରାଜ୍ୟଠାରୁ ଶିକ୍ଷା' ଶୀର୍ଷକ ୱେବିନାର୍ ମାଧ୍ୟମରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶକ୍ତି ମନ୍ତ୍ରୀ ଏ ଦିଗରେ ସୁଚିନ୍ତିତ ପରାମର୍ଶ ଦେବାକୁ ଆହ୍ୱାନ ଦେଇଛନ୍ତି ।
କ୍ୟାପ୍ଟେନ୍ ମିଶ୍ର କହିଛନ୍ତି ଯେ ବର୍ତ୍ତମାନ ସ୍ଥିତି ଶକ୍ତି କ୍ଷେତ୍ର ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି । କୋଭିଡ୍-୧୯ କଟକଣା ପାଇଁ ଶକ୍ତି ଉପଯୋଗ ହ୍ରାସ ପାଇଛି । କିନ୍ତୁ ଆଗାମୀ ଦିନରେ ଓଡ଼ିଶା ଅଗ୍ରଣୀ ବିଦ୍ୟୁତ ଉପଯୋଗକାରୀ ରାଜ୍ୟ ଭାବେ ଉଭା ହେବା ନିଶ୍ଚିତ ବୋଲି ଉଲ୍ଲେଖ କରି ଲୋକଙ୍କ ଅର୍ଥନୈତିକ ପରିବର୍ତ୍ତନରେ ଶକ୍ତି ଉପଯୋଗର ପ୍ରମୁଖ ଭୂମିକା ରହିଥିବା ପ୍ରକାଶ କରିଛନ୍ତି ସେ କହିଛନ୍ତି ଯେ ଏହା ଲୋକଙ୍କ ଜୀବନଧାରଣର ମାନକୁ ଉନ୍ନତ ଓ ସହଜ କରିବାରେ ସାହାଯ୍ୟ କରିବ ସରକାର ଶସ୍ତା ଓ ଭରସାଯୋଗ୍ୟ ବିଦ୍ୟୁତ ଉପଲବ୍ଧ କରାଇବା ପାଇଁ ସତ ଚେଷ୍ଟିତ । ଓଡ଼ିଶା ବିକାଶ କୈନ୍ଦ୍ରିକ, ଶିଳ୍ପ ଅନୁକୂଳ ଓ ପରିବେଶ ସଚେତନ ରାଜ୍ୟ ହୋଇଥିବାରୁ ଅକ୍ଷୟ ଶକ୍ତି ଉତ୍ପାଦନକୁ ପ୍ରୋତ୍ସାହନ ଦେଇଆସିଛି । ସେ ଆଲୋଚନାରେ ଅଂଶଗ୍ରହଣ କରିଥିବା ବୁଦ୍ଧିଜୀବୀମାନଙ୍କୁ ସବୁଜ ଓ ସ୍ଵଚ୍ଛ ଶକ୍ତି ଉତ୍ପାଦନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରିଥିଲେ । ଶକ୍ତି କ୍ଷେତ୍ରରେ ସରକାର ଅନେକଗୁଡ଼ି ସୁଧାର ଆଣିଥିବା ଉଲ୍ଲେଖ କରି ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ସରକାରୀ-ଘରୋଇ ସହଭାଗିତାରେ କାର୍ଯ୍ୟ କରୁଥିବା କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ବୋଲି କହିଥିଲେ ।
ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଓଡ଼ିଶା ଶତପ୍ରତିଶତ ଗ୍ରାମକୁ ବିଜୁଳି ଯୋଗାଇଛି । ଓଡ଼ିଶା ଦେଶରେ ପ୍ରଥମ ରାଜ୍ୟ ଭାବେ ‘ ଓଡ଼ିଶା ଶକ୍ତି ସଂରକ୍ଷଣ ବିଲିଂ କୋଡ୍ ବିଜ୍ଞାପିତ କରିଛି ୨୦୧୯-୨୦ରେ ସର୍ବମୋଟ ଶକ୍ତି ଉତ୍ପାଦନ କ୍ଷମତା ୭୬୪୮ ମେଗାଓ୍ବାଟ୍ ଥିଲା ଓଡ଼ିଶା ରାଜ୍ୟର ଚାହିଦାଠାରୁ ଅଧିକ ଶକ୍ତି ଉତ୍ପାଦନ କରୁଛି । ରାଜ୍ୟର ଉଭୟ ଶିଳ୍ପ ଓ ଘରୋଇ ବିଦ୍ୟୁତ ଉପଯୋଗ ପରିମାଣ ୭୨ ପ୍ରତିଶତ । ତା’ମଧ୍ୟରୁ କେବଳ ଘରୋଇ କ୍ଷେତ୍ରରେ ୩୭,୪୧% (୭୩୨୭ ଏମ୍) ଉପଯୋଗ ହେଉଥିବା ସେ ଦର୍ଶାଇଥିଲେ ।
ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଅଧିକ ଗୁରୁତ୍ଵ ଦେବା ନିମନ୍ତେ ଓଡ଼ିଶା ଅକ୍ଷୟ ଶକ୍ତି ଆଇନ-୨୦୧୬ ପ୍ରଣୟନ କରିଛି । ବିଶେଷ ଭାବେ ୨୦୨୨ ବେଳକୁ ରାଜ୍ୟ ୨୨୦୦ ମେଗାୱାଟ୍ ସୌରଶକ୍ତି, ୨୦୦ ମେଗାଓ୍ବାଟ୍ ପବନ ଶକ୍ତି, ୧୮୦ ମେଗାଓ୍ବାଟ ବାୟୋଗ୍ୟାସ, ୧୫୦ ମେଗାୱାଟ କ୍ଷୁଦ୍ର ଜଳବିଦ୍ୟୁତ ଏବଂ ୨୦ ମେଗାୱାଟ ବର୍ଜ୍ୟରୁ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଥିବା କଥା ପ୍ରକାଶ କରିବା ସହିତ ରାଜ୍ୟରେ ଶକ୍ତି ଅପଚୟ ରୋକିବା ସହିତ ସଂରକ୍ଷଣ ଦିଗରେ ଗୁରୁତ୍ଵ ଦେଇ ସରକାର ଅନେକ ପଦକ୍ଷେପ ନେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ ସବୁସ୍ତରରୁ ସମର୍ଥନ ଓ ସହଯୋଗ କାମନା କରିବା ସହ ସରକାର ସ୍ମାର୍ଟ ଗ୍ରୀଡ୍ ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ ପଦକ୍ଷେପ ନେଉଥିବା ସେ ଉଲ୍ଲେଖ କରିଥିଲେ ।
ଏହି ୱେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଆସୋଚାମ୍ ଓଡ଼ିଶା ଚାପ୍ଟର୍ର ଅଧ୍ୟକ୍ଷ ତଥା ଭିସା ଷ୍ଟିଲର ଉପସଭାପତି ଓ ପରିଚାଳନା ନିର୍ଦ୍ଦେଶକ ବିଶାଳ ଅଗ୍ରୱାଲ, ଉପାଧ୍ୟକ୍ଷ ସବ୍ୟସାଚୀ ସରକାର, ସଂଗଠନର ଶକ୍ତି ଉପପରିବେଶ ଉପାଧ୍ୟକ୍ଷ ପାର୍ଥ ଚାଟାର୍ଜୀ, ସିଇଓ ପାଓ୍ବାର ଏକ୍ସଚେଞ୍ଜ ଇଣ୍ଡିଆ, ପ୍ରଭାଜିତ କୁମାର ସରକାର ପ୍ରମୁଖ ଯୋଗଦେଇଥିଲେ ।
ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ଆହ୍ଵାନ - ରାଜ୍ୟ ଖଣି ମନ୍ତ୍ରୀ
‘ଓଡ଼ିଶା ଶକ୍ତି କ୍ଷେତ୍ର–ରାଜ୍ୟଠାରୁ ଶିକ୍ଷା' ଶୀର୍ଷକ ୱେବିନାର ଆଲୋଚନା ଚକ୍ର ଆୟୋଜିତ । ରାଜ୍ୟରେ ଶକ୍ତି କ୍ଷେତ୍ରକୁ ଆହୁରି ଅଧିକ ପାରଦର୍ଶୀ, ସୁସଂହତ ଏବଂ ଦକ୍ଷ ଭାବେ ବିକଶିତ କରିବାକୁ ଶକ୍ତି ମନ୍ତ୍ରୀଙ୍କ ଆହ୍ୱାନ । ଅଧିକ ପଢନ୍ତୁ...
ଶକ୍ତି କ୍ଷେତ୍ରକୁ ଅଧିକ ପାରଦର୍ଶୀ କରିବା ପାଇଁ ଶକ୍ତିମନ୍ତ୍ରୀଙ୍କ ଆହ୍ଵାନ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ