ଭୁବନେଶ୍ବର: ସାମୁଦ୍ରିକ ଝଡ 'ଫନି'ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରର ଅବସ୍ଥାରେ ଉନ୍ନତି ଘଟିବା ପରିବର୍ତ୍ତେ ସଂଗୀନ ଆଡକୁ ଗତି କରୁଛି । ଯେଉଁ ସହର ଦେଶର ପ୍ରଥମ ସ୍ମାର୍ଟସିଟି ତାଳିକାରେ ସ୍ଥାନ ପାଇବା ସହ ଅନେକ ବିଶ୍ବସ୍ତରୀୟ କ୍ରୀଡାର ଆୟୋଜନ କରି ଦେଶ ବିଦେଶରେ ପରିଚିତ ହୋଇପାରିଥିଲା ସେହି ସହର ଏବେ ବାତ୍ୟା 'ଫନି'ରେ ଆକେତା ମାକେତା ହୋଇଯାଇଛି ।
ଗତ ତିନିଦିନ ଧରି ରାଜଧାନୀ ବାସୀ ପାଣି, ବିଜୁଳି ପାଇଁ ତ୍ରାହି ତ୍ରାହି ଡାକିଲେଣି । ବିଜୁଳି କେବେ ଆସିବ କେହିବି ସ୍ପଷ୍ଟ ସୂଚନା ଦେଇ ପାରୁନାହାଁନ୍ତି । ଯାହା ଲୋକଙ୍କର ସମସ୍ୟାକୁ ଦ୍ବିଗୁଣିତ କରିଛି । ଆଉ ଲୋକେ ଏବେ ରାତ୍ର ଅନ୍ଧାରରୁ ରକ୍ଷା ପାଇବା ପାଇଁ ହଜିଯାଉଥିବା ଲଣ୍ଠନକୁ ଭରଷା କରିଛନ୍ତି ।