ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସୂର୍ଯ୍ୟଦେବଙ୍କ ପ୍ରଚଣ୍ଡ ରୌଦ୍ରତାପରେ ତ୍ରାହିତ୍ରାହି ଡାକୁଛନ୍ତି ସାଧାରଣ ଜନତା । ତେଣୁ ପ୍ରତିଦିନ ରାଜଧାନୀ ଭୁବନେଶ୍ବରକୁ ବିଭିନ୍ନ କାମରେ ଆସୁଥିବା ଲୋକଙ୍କୁ ଟିକିଏ ଜଳକଷ୍ଟରୁ ମୁକ୍ତିଦେବା ପାଇଁ ବିଭିନ୍ନ ସ୍ବେଛାସେବୀ ସଂଗଠନ ସହାୟତାରେ ବିଏମସି ସମଗ୍ର ଭୁବନେଶ୍ବରରେ 90 ଗୋଟି ଜଳଛତ୍ର ଖୋଲି ଲୋକଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ କରୁଛି ।
ସେଥିମଧ୍ୟରୁ ଭୁବନେଶ୍ବର ଅଟୋ ରିକ୍ସା ମହାସଂଘ ୩୦ଟି, ସାଇ ସେବା ସମିତି ୧୩ଟି, ନାସେଫ ଏନଜିଓ ୧୦ଟି ସେଣ୍ଟଜନ ଆମ୍ବୁଲାନ୍ସ ୭ଟି, ସ୍ବୟଂ ସହାୟିକା ଗୋଷ୍ଠୀ ୩ଟି, ଅଟୋ ଟ୍ରଷ୍ଟ ୩ଟି, ଅନ୍ୟ ୨୩ଟି ସଂସ୍ଥା, ଏପରି ଭାବେ ମୋଟ ୯୦ଟି ଜଳଛତ୍ର ଶିବିର ବିଭିନ୍ନ ବସଷ୍ଟାଣ୍ଡ ଓ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଖୋଲାଯାଇଛି । ପ୍ରତି ଜଳଛତ୍ରକୁ ଭୁବନେଶ୍ବର ମହାନଗର ନିଗମ ତରଫରୁ 5ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଉଛି । ଫନି ପୂର୍ବରୁ ଅନେକ ଜଳଛତ୍ର ଖୋଲାଯାଇଥିଲେ ମଧ୍ୟ ଫନି ମାଡରେ ସେସବୁ ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିଲା ।