ଓଡିଶା

odisha

By

Published : Apr 16, 2019, 8:39 AM IST

Updated : Apr 16, 2019, 9:32 PM IST

ETV Bharat / briefs

କାହିଁକି ରାଗିଗଲେ କ୍ୟାପଟେନ କୁଲ ?

ଦୀର୍ଘ 12 ବର୍ଷ କ୍ୟାରିୟରରେ ଧୋନି ପ୍ରଥମ ଥର ପାଇଁ ନିୟମ ବାହାରେ କାମ କରିଛନ୍ତି। ସମସ୍ତେ ସମାଲୋଚନା କରୁଛନ୍ତି। କିନ୍ତୁ ମନରେ ଆସୁଛି ଗୋଟିଏ ପ୍ରଶ୍ନ, କଣ କେବଳ ଗୋଟିଏ ଭୁଲ ପାଇଁ ଜଣଙ୍କ ସଫଳ କ୍ୟାରିୟରରେ ଦାଗ ଲଗାଇବାକୁ ଯଥେଷ୍ଟ ?

ଫାଇଲ ଫଟୋ

ହାଇଦ୍ରାବାଦ: ‘ରାଜ, ନାମ ତ ସୁନା ହି ହୋଗା ।’ ଏହି ଡାଏଲଗ୍‌ଟି ସମସ୍ତଙ୍କ ପାଇଁ ପରିଚିତ । ବଲିଉଡ ଷ୍ଟାର ଶାହାରୁଖ୍‌ ଖାନଙ୍କ ସୁପରହିଟ୍‌ ଫିଲ୍ମ ଦିଲୱାଲେ ଦୁଲହନିଆ ଲେ ଜାଏଙ୍ଗେର ଏହା ଲୋକପ୍ରିୟ ସଂଳାପ । ଏହା ଥିଲା ରିଲ୍‌ ଲାଇଫ୍‌ର କାହାଣୀ । କିନ୍ତୁ ରିଅଲ ଲାଇଫ୍‌ରେ ଏହି ଡାଏଲଗ୍‌ ଜଣଙ୍କ ପାଇଁ ଏକଦମ ପରଫେକ୍ଟ । ଏହି ଡାଏଲଗ୍‌ରେ କେବଳ ନାମ ବଦଳାଇଦେଲେ ସମସ୍ତେ ତାଙ୍କ ପରିଚୟ ପାଇଯାଆନ୍ତି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ୍‌, ଇଟିଭି ଭାରତ

‘କ୍ୟାପ୍ଟେନ କୁଲ, ନାମ ତ ସୁନା ହି ହୋଗା ।’ ଏହି ଗୋଟିଏ ଡାଏଲଗ୍‌ ଆଉ ସମସ୍ତଙ୍କ ସାମନାରେ ଆସିଯାଏ ଜଣେ ସରଳ, ନିରୀହ ଓ ଶାନ୍ତ ସ୍ବଭାବ ମଣିଷର ଚିତ୍ର । ସବୁବେଳେ ହସ ମିଜାଜ, ମୁହଁରେ ସରଳତାର ଚିହ୍ନ, ସମସ୍ତ ପରିସ୍ଥିତିରେ ଅବିଚଳିତ । ଅଧିକାଂଶ ସମୟରେ ଚୁପ୍‌ଚାପ୍‌ ରହୁଥିବା ଏହି ମଣିଷ ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଅଚିହ୍ନା ନୁହେଁ । ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

ଫାଇଲ ଫଟୋ

କ୍ରିକେଟ୍‌ ଇତିହାସରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଧୋନିଙ୍କୁ ସବୁଠାରୁ ଶାନ୍ତ ସ୍ବଭାବ ତଥା ବିବାଦମୁକ୍ତ ବ୍ୟକ୍ତିତ୍ବ ବୋଲି କୁହାଯାଏ । ନିଜର ଶାନ୍ତ ସ୍ବଭାବ ସେ କେବେ ବି ହରାନ୍ତି ନାହିଁ । ପରିସ୍ଥିତି ଯେତେ ଗମ୍ଭୀର ହୋଇଥାଉ ନା କାହିଁକି ସବୁବେଳେ ସେ ବିନ୍ଦାସ ମୁଡ୍‌ରେ ରହନ୍ତି । କିନ୍ତୁ ତାଙ୍କ ମୁଣ୍ଡରେ ଚାଲିଥାଏ ବିଭିନ୍ନ ପ୍ରକାର ଚିନ୍ତାଧାରା । ପରାଜୟ ଦ୍ବାରରେ ଦଳ ଥିଲେ ମଧ୍ୟ ସେ ଚିନ୍ତା କରୁଥାନ୍ତି କିପରି ପାଇବେ ବିଜୟର ରାସ୍ତା । ସେଥିପାଇଁ ତ ଶେଷ ମୂହୁର୍ତ୍ତରେ ମଧ୍ୟ ରିସ୍କ ନେବାକୁ ସେ ପଛାନ୍ତି ନାହିଁ । ଆଉ ତାଙ୍କ କୁଲନେସ୍‌ର ସମସ୍ତେ ଦିୱାନା । ପରାଜୟ ସମୟରେ ମଧ୍ୟ ତାଙ୍କ ଥଣ୍ଡା ମିଜାଜକୁ ସମସ୍ତେ ପ୍ରଶଂସା କରନ୍ତି ।

ଫାଇଲ ଫଟୋ

କିନ୍ତୁ ଦୀର୍ଘ 12 ବର୍ଷର କ୍ୟାରିୟରରେ ପ୍ରଥମ ଥର ପାଇଁ ଲାଗିଛି କଳା ଦାଗ । ଭାଙ୍ଗିଛି ପାରମ୍ପରିକ ଧାରା । ଆଶ୍ଚର୍ଯ୍ୟ ହୋଇଛି କ୍ରିକେଟ୍‌ ସମୁଦାୟ । ଏପରି ଘଟଣା କେହି ଆଶା କରିନଥିଲେ । ବିଶ୍ବାସ କରିପାରୁନାହାନ୍ତି କ୍ରିକେଟ୍‌ପ୍ରେମୀ । ଧୋନିଙ୍କୁ ଭଲ ପାଉଥିବା ମଣିଷ ମଧ୍ୟ ହୋଇଛି ଚକିତ । ପ୍ରଥମ ଥର ପାଇଁ କ୍ୟାପ୍ଟେନ କୁଲ ହରାଇଛନ୍ତି ହଟ୍‌ । ହରାଇଛନ୍ତି ନିଜ କୁଲନେସ୍‌ । ଥଣ୍ଡା ମିଜାଜରେ ରହୁଥିବା ମଣିଷ ପ୍ରଥମ ଥର ଗରମ ହୋଇଛି । ବଡ ବଡ ମୂହୁର୍ତ୍ତରେ ଥଣ୍ଡା ରହୁଥିବା ମଣିଷ ଛୋଟ ଘଟଣାଟିରେ କ୍ରୋଧ ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଫାଇଲ ଫଟୋ

ପ୍ରଥମ ଥର ଏପରି ଏକ ବିରଳ ମୂହୁର୍ତ୍ତ ଦେଖାଯାଇଥିଲା ଯେବେ ଧୋନି ରାଗରେ ନିଜ ନିୟନ୍ତ୍ରଣ ହରାଇ ବସିଥିଲେ । ଗତ ଗୁରୁବାର ଖେଳାଯାଇଥିବା ଚେନ୍ନାଇ-ରାଜସ୍ଥାନ ମ୍ୟାଚର ଶେଷ ଓଭରର 4ର୍ଥ ବଲରେ ଏହି ଘଟଣା ଘଟିଥିଲା । ବେନ ଷ୍ଟୋକ୍ସ ବୋଲିଂ କରିଥିବା ଏହି ବଲ ଏକ ଲୋ ଫୁଲଟସ୍‌ ଥିଲା । ଯାହାକୁ ମୁଖ୍ୟ ଅମ୍ପାୟାର ଉଲହସ ଗନ୍ଧେ ନୋ ବଲ୍‌ ଡାକିଥିଲେ । ମାତ୍ର ଲେଗ୍‌ ଅମ୍ପାୟାର ବ୍ରୁସ ଓକ୍ସେନଫୋର୍ଡଙ୍କ ହସ୍ତକ୍ଷେପ ପରେ ନିଜ ନିଷ୍ପତ୍ତିରେ ସେ ପରିବର୍ତ୍ତନ କରିଥିଲେ ।

ଫାଇଲ ଫଟୋ

ତେବେ ଏହା ଆଉଟ୍‌ ହୋଇ ଡ୍ରେସିଂ ରୁମ୍‌ରେ ବସିଥିବା ଧୋନିଙ୍କୁ ଉତକ୍ଷିପ୍ତ କରିଥିଲା। ଧୋନି ଏହାର ପୂର୍ବବର୍ତ୍ତୀ ବଲରେ ଆଉଟ୍‌ ହୋଇଯାଇଥିଲେ। ଏହି ଘଟଣାରେ ନିଜ ନିୟନ୍ତ୍ରଣ ହରାଇ ସେ ପଡିଆ ମଧ୍ୟକୁ ଚାଲି ଆସିଥିଲେ। ଏହା ସହ ଅମ୍ପାୟାରଙ୍କ ସହ କିଛି ବିତର୍କ କରିଥିବା ଦେଖିବାକୁ ମିଳିଥିଲା। ନିୟମ ଅନୁସାରେ ଆଉଟ୍‌ ହୋଇଥିବା କୌଣସି ଖେଳାଳି ବିନା ଅନୁମତିରେ ମ୍ୟାଚ ଚାଲିଥିବା ସମୟରେ ପଡିଆ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ତେବେ ଏଠାରେ ଉଠୁଛି ଅନେକ ପ୍ରଶ୍ନ ।

କାହିଁକି ହଟ୍‌ ହେଲେ କ୍ୟାପ୍ଟେନ କୁଲ ? କଣ ଥିଲା ପରିସ୍ଥିତି ? କାହିଁକି ଧୋନି ହରାଇଲେ କୁଲନେସ ? ଏପରି କଣ ହେଲା ଯାହା ଧୋନିଙ୍କୁ ରାଗିବାକୁ ବାଧ୍ୟ କଲା ? ପୂର୍ବ ବଲରେ ଧୋନି ଆଉଟ୍‌ ହୋଇଥିଲେ । ହୁଏତ ସେ ଚାହୁଁଥିଲେ ଶେଷ ଯାଏଁ ରହି ଦଳକୁ ବିଜୟ କରିବାକୁ । କିନ୍ତୁ ତାହା ସମ୍ଭବ ନହେବାରୁ ତାଙ୍କୁ ବାଧିଥିଲା । ସେଥିପାଇଁ ବୋଧହୁଏ ସେ ରାଗିଯାଇଥିବେ। କାରଣ ତାଙ୍କ ଭିତରେ ହାରିଯିବାର ଡର ଥିଲା । ପଡିଆରେ ଥିଲେ 2 ନୂଆ ବ୍ୟାଟ୍ସମ୍ୟାନ । ଯାହା ତାଙ୍କୁ ସାମାନ୍ୟ ବିଚଳିତ କରିଥିଲା ।

ଚେନ୍ନାଇ ସେତେପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ହାରିଥିଲା । ଆଉ ଧୋନି ଚାହୁଁଥିବେ ସାରା ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ରହିବାକୁ । ବ୍ୟାନ ପରେ ଫେରି ଗତଥର ସେ ଜିତିଥିଲେ । ଏଥର ମଧ୍ୟ ଚମ୍ପିଆନ ହେବାକୁ ସେ ନିଶ୍ଚୟ ଚାହୁଁଥିବେ । କିନ୍ତୁ ଗୋଟିଏ ମ୍ୟାଚ ହାରିଯାଇଥିବାରୁ ବାକି କୌଣସି ମ୍ୟାଚ ହାରିବାକୁ ସେ ଚାହୁଁନଥିବେ। ସେଥିପାଇଁ ଅମ୍ପାୟାରଙ୍କ ଏକ ଭୁଲ ନିଷ୍ପତ୍ତି କାଳେ ତାଙ୍କୁ ହରାଇଦେବ ଏହି ଡର ଲାଗିରହିଥିଲା ତାଙ୍କ ଭିତରେ। ତଥାପି ଏହାସବୁ ପ୍ରକୃତ କାରଣ ହୋଇନଥିବା। କେବଳ ଏକ ଅନୁମାନ।

ଏଥର ଆଇପିଏଲରେ ଅମ୍ପୟାରିଂ ବହୁତ ଖରାପ ରହିଛି । ଏହାର ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି । ଯାହାକୁ ନେଇ ଖେଳାଳି ଅସନ୍ତୋଷ ହୋଇଛନ୍ତି । ହୁଏତ ଏହି କାରଣ ପାଇଁ ମଧ୍ୟ ଧୋନି ନିୟନ୍ତ୍ରଣ ହରାଇଥାଇପାରନ୍ତି । ହେଲେ ନିଜର ଏହି ଭାବନା ସେ ପଡିଆ ବାହାରେ ରହି ମଧ୍ୟ ପ୍ରକାଶ କରିପାରିଥାନ୍ତେ । ଅନେକ ସମୟରେ ଖେଳାଳିଙ୍କୁ ଏପରି ବିବାଦ ପରିସ୍ଥିତିରୁ ଟାଣି ଆଣୁଥିବା ଧୋନି ନିଜେ କାହିଁକି ବିବାଦ ମଧ୍ୟକୁ ପ୍ରବେଶ କଲେ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କାରଣ ଅମ୍ପାୟାର କିଛି ଭୁଲ କରିନଥିଲେ । ନିୟମ ରହିଛି ଏହିଭଳି ସ୍ଥିତିରେ ମୁଖ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଲେଗ୍‌ ଅମ୍ପାୟାର ପରିବର୍ତ୍ତନ କରିପାରିବେ ।

କିନ୍ତୁ ଧୋନିଙ୍କ କାର୍ଯ୍ୟ ନିୟମ ଭିତରେ ନଥିଲା । ଏପରି ନିୟମ ନାହିଁ ଯେ ଆଉଟ୍‌ ହୋଇଥିବା ବ୍ୟକ୍ତି ପଡିଆ ଭିତରକୁ ପ୍ରବେଶ କରିପାରିବେ । ସିଏ ଯିଏ ହେଉନା କାହିଁକି ଥରେ ଆଉଟ୍‌ ହେଲେ ଫିଲ୍ଡକୁ ଫେରିବାର କୌଣସି ନିୟମ ନାହିଁ । ପୁଣି ଅମ୍ପାୟାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର ଅଧିକାର କୌଣସି ଖେଳାଳିଙ୍କର ନାହିଁ । କିନ୍ତୁ ଧୋନି ସମସ୍ତ ନିୟମ ଉଲ୍ଲଙ୍ଘନ କରିଥିଲେ । ଅବଶ୍ୟ ଏଥିପାଇଁ ସେ ସବୁଆଡୁ ସମାଲୋଚନା ହୋଇଛନ୍ତି । ତାଙ୍କୁ ଫାଇନ୍‌ ମଧ୍ୟ ଲାଗିଛି । ଦୋଷ ସ୍ବୀକାର କରିଥିବାରୁ ବଡ ଦଣ୍ଡ ପାଇନାହାନ୍ତି । ମାତ୍ର ତାଙ୍କୁ ସମର୍ଥନ ମଧ୍ୟ ମିଳିଛି । ଯେତେ ଯାହା ହେଲେ ମଧ୍ୟ ସେ ମଣିଷ । ଆଉ ନିଜ ଉପରୁ ନିୟନ୍ତ୍ରଣ ହରାଇବା ସ୍ବାଭାବିକ କଥା । ଏତେ ବର୍ଷ କ୍ୟାରିୟରରେ ଏକ ଛୋଟ ଭୁଲ ପାଇଁ ଜଣଙ୍କୁ ଆକଳନ କରିବା ଠିକ୍‌ ନୁହେଁ ।

ସ୍ଥିତି ଯାହା ଥାଉ ନା କାହିଁକି ଧୋନି କେବେ ହେଲେ କ୍ରୋଧିତ ହୁଅନ୍ତି ନାହିଁ । ପରାଜୟ ମୂହୁର୍ତ୍ତରେ ମଧ୍ୟ ସେ ଜିତିବାର ପ୍ରୟାସ କରୁଥାନ୍ତି । ମୁହଁରେ ନଥାଏ ଚିନ୍ତାର ସାମାନ୍ୟତମ ଚିହ୍ନ । ବୋଲର ମାଡ ଖାଉଥିଲେ ମଧ୍ୟ ରାଗିଯାଆନ୍ତି ନାହିଁ । କଥା ହୁଅନ୍ତି, ବୁଝାନ୍ତି । କିନ୍ତୁ ସେଦିନ ଦୃଶ୍ୟ ଥିଲା ସମ୍ପୂର୍ଣ୍ଣ ଅଲଗା । ଧୋନିଙ୍କ କ୍ରୋଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମ୍ୟାଚ ଫାଇନାଲ ନଥିଲା କିମ୍ବା ଶେଷ ମ୍ୟାଚ ନଥିଲା । ଅମ୍ପାୟାର ମଧ୍ୟ ନିୟମ ପାଳିଥିଲେ । କିନ୍ତୁ ଧୋନୀଙ୍କ ରାଗର କାରଣ ଖୋଜି ପାଉନାହାନ୍ତି କେହି ।

ଏଥର ଆଇପିଏଲରେ ଧୋନି ଅନେକ ପରିବର୍ତ୍ତନୀୟ ଲାଗୁଛନ୍ତି । ନିଜ ସ୍ବଭାବରେ ଟିକେ ଆକ୍ରମଣାତ୍ମକ ଭାବ ଆଣିବା ସହ ବୋଲରଙ୍କୁ ଗାଳି କରୁଛନ୍ତି । ନିଜେ ଦାୟିତ୍ବ ନେଇ ଭଲ ବ୍ୟାଟିଂ କରି ଦଳକୁ ଜିତାଉଛନ୍ତି । ଏତେ ବର୍ଷ କ୍ୟାରିୟରରେ ତାଙ୍କ ସ୍ବଭାବରେ ଏପରି ପରିବର୍ତ୍ତନ କଣ ପାଇଁ ? କଣ ପୁଣିଥରେ ସେ ଟିମ ଇଣ୍ଡିଆର ଅଧିନାୟକ ପଦ ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି କି ? ଏହା କେବଳ ଏକ ଆକଳନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2019, 9:32 PM IST

ABOUT THE AUTHOR

...view details