ପୁରୀ: ଗଣତନ୍ତ୍ରର ମହାପର୍ବର ଫଳାଫଳ ପ୍ରକାଶ ପାଇବ ଆସନ୍ତା 23 ତାରିଖରେ । ଏଥିପାଇଁ ପୁରା ଦେଶ ପ୍ରସ୍ତୁତ । ତେବେ ପୁରୀ କେନ୍ଦ୍ରୀୟ ବିଦ୍ୟାଳୟରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ପୁରୀ ଲୋକସଭା ପାଇଁ ମତ ଗଣନା କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପ୍ରସ୍ତୁତି ସରିଛି ।
ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଗୁରୁବାର ସକାଳ 8ଟାରୁ ଭୋଟ ଗଣନା ଆରମ୍ଭ ହେବ । ଏଥିପାଇଁ 8ଟି ରୁମରେ ବ୍ୟବସ୍ଥା ହୋଇଛି । ପ୍ରଥମେ ପୋଷ୍ଟଲ ବାଲଟ ଗଣତି ହେବ । ଉଭୟ ଲୋକସଭା ଓ ବିଧାନସଭା ଆସନର ମତ ଗଣନା ନେଇ 7ଟି ଟେବୁଲର ବ୍ୟବସ୍ଥା ରହିଛି । ଏହା ସରିବା ପରେ ପର୍ଯ୍ୟାୟକ୍ରମେ 7ଟି ଲେଖାଏଁ ଗଣତି ହେବ । ଅନ୍ତିମ ପର୍ଯ୍ୟାୟରେ ଭିଭିପାଟର ଚିରିକୁଟି ଗଣନା ଓ ମେଳ ହେବ । ପ୍ରତି ନିର୍ବାଚନ ମଣ୍ଡଳୀର 5ଟି ଲେଖାଏଁ ଭିଭିପାଟର ଗଣନା ଓ ମେଳ କରାଯିବ । 6ଟି ବିଧାନସଭା ପାଇଁ 6 ଜଣ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଏହି ଭୋଟ ଗଣନା ହେବ । ଏଥି ସହ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ରିଟର୍ଣ୍ଣିଂ ଅଫିସର ପ୍ରତି ଟେବୁଲ ଗଣନାରେ ରହିବେ ।