ଓଡିଶା

odisha

ETV Bharat / briefs

ରଜ ସହ ରାମରଜା ପାଳୁଛନ୍ତି ଶ୍ରୀବନ୍ତପୁରବାସୀ

ରଜ ସମୟରେ ଯାଜପୁରର ଶ୍ରୀବନ୍ତପୁର ଓ ତାର ଆଖପାଖ ଅଞ୍ଚଳରେ ପାଳିତ ହୁଏ ରାମରଜା ପର୍ବ । ବଙ୍ଗୀୟ ଢଙ୍ଗରେ ଏବଂ ବୈଦିକ ରୀତିନୀତିରେ ପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ କରାଯାଇ ମଣ୍ଡପ ମାନଙ୍କରେ ଚାଲିଛି ପୂଜାର୍ଚ୍ଚନା  । ଏଠାରେ ପ୍ରାୟ 8ଟି ସ୍ଥାନରେ ରାମଚନ୍ଦ୍ର ମହାପ୍ରଭୁଙ୍କ ସହ ଦେବୀ ସୀତା, ଭ୍ରାତା ଲକ୍ଷ୍ମଣ ଓ ଭକ୍ତ ହନୁମାନଙ୍କ ମାଟିମୂର୍ତ୍ତି ପୂଜା ପାଉଛନ୍ତି ।

By

Published : Jun 15, 2019, 9:13 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ଓଡିଶାର ଗଣପର୍ବ ରଜ ସହ ଯାଜପୁରର ଶ୍ରୀବନ୍ତପୁର ଓ ତାର ଆଖପାଖ ଅଞ୍ଚଳ ପାଳୁଛନ୍ତି ରାମରଜା ପର୍ବ । ବ୍ରାହ୍ମଣୀ ଶାଖା ଖରସ୍ରୋତା ନଦୀ ତଟରେ ଶ୍ରୀବନ୍ତପୁର ଗାଁ । ପ୍ରତିବର୍ଷ ରଜ 3 ଦିନ ଏଠାରେ ପାଳିତ ହୁଏ ରାମରଜା ମହୋତ୍ସବ । ଏହି ସମୟରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା କଲେ ମନବାଞ୍ଛା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ପ୍ରଥମେ ଶ୍ରୀବନ୍ତପୁର ଗାଁର ମଝିସାହିରୁ ଆରମ୍ଭ ହୋଇଥିବା ଏହି ରାମରଜା ଉତ୍ସବ ଏବେ ଆଖପାଖ ଅଞ୍ଚଳକୁ ବ୍ୟାପିଛି । ଏବେ ଶ୍ରୀବନ୍ତପୁର, ବାରଡାଙ୍ଗୀ, ଭଗତଭଗବାନପୁର, ଆନନ୍ଦବଜାର, ବାଗଡିଆଁ ପ୍ରଭ୍ରୁତି 8ଟି ସ୍ଥାନରେ ପାଳିତ ହେଉଛି ଏହି ନିଆରା ପର୍ବ । ରଜ ସହ ରାମରଜା ପର୍ବ ବେଶ ଜମୁଛି । ଝିଅବୋହୂ ଓ ତରୁଣ ତରୁଣୀ ରାମରଜା ବୁଲି ରଜର ମଜା ନେଉଛନ୍ତି ।

ସୂଚନାଥାଉକି, 1905 ମସିହାରେ ଶ୍ରୀବନ୍ତପୁର ମଝିସାହିରେ ପ୍ରଥମେ ଆରମ୍ଭ ହୋଇଥିଲା ରାମରଜା ପର୍ବ । ଦୀର୍ଘ ପ୍ରାୟ 114 ବର୍ଷ ଧରି ପାଳିତ ହେଉଥିବା ଏହି ଉତ୍ସବର ଐତିହାସିକ ପୃଷ୍ଠଭୂମି କିଛି ନିଆରା । ସେତେବେଳେ ବ୍ରିଟିଶ ଶାସନ କାଳରେ ଗାଁର କିଛି ଲୋକ ସୁଦୂର କଲିକତାରେ ଶ୍ରମକାର୍ଯ୍ୟ କରୁଥିଲେ । ଥରେ କେତେକ ଶ୍ରମିକ କଲିକତାର ରାମରଜା ତଲାକୁ ଠାକୁର ଦେଖି ଯାଇଥିଲେ । ଅଜାଣତରେ ସେଠାରେ ଥିବା ଏକ ନିଷିଦ୍ଧ ଅଞ୍ଚଳରେ ସେମାନେ ପ୍ରବେଶ କରିଥିଲେ । ତେବେ ସେମାନେ ସେଠାରେ ବ୍ରିଟିଶ ପୋଲିସର ନଜରରେ ପଡିଥିଲେ । ବ୍ରିଟିଶ ପୋଲିସର କଠୋର ଦଣ୍ଡବିଧାନ ଭୟରେ ଏହି ଓଡିଆ ଶ୍ରମିକ ମାନେ ଭୟଭୀତ ହୋଇପଡିଥିଲେ । ସେହି ଘଡିସନ୍ଧି ମୁହୂର୍ତ୍ତରେ ସେମାନେ ପ୍ରଭୁ ଶ୍ରୀରାମଙ୍କୁ ସ୍ମରଣ କରି ଏହି ବିପଦରୁ ଉଦ୍ଧାର ପାଇଥିଲେ । ସେଠାରୁ ମାଟି ଆଣି ସେହି ବର୍ଷ ଠାରୁ ଗାଁରେ ଆରମ୍ଭ କରିଥିଲେ ରାମରଜା ପର୍ବ । ପରେ ଏହା ଆଖପାଖ ଗାଁକୁ ବ୍ୟାପିବା ସହ ଏକ ବିରାଟ ମହୋତ୍ସବରେ ପରିଣତ ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ABOUT THE AUTHOR

...view details