ଓଡିଶା

odisha

By

Published : Jan 27, 2020, 11:19 PM IST

Updated : Jan 28, 2020, 7:45 AM IST

ETV Bharat / briefs

ସରକାରୀ ଖର୍ଚ୍ଚ ବୃଦ୍ଧି: କାହା ସ୍ଵାର୍ଥରେ ?

ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ବଜେଟ୍‌-୨୦୨୦। ଗୋଟିଏ ପଟେ ଦେଶର ଅର୍ଥନୀତିରେ ଲାଗି ରହିଥିବା ମାନ୍ଦାବସ୍ଥାକୁ ସୁଧାରିବାର ଆହ୍ବାନ ଏବଂ ଅନ୍ୟପଟେ ବିଭିନ୍ନ ସ୍ତରରେ ସରକାରୀ ଖର୍ଚ୍ଚ ବଢ଼ାଇବା ଦାବି ପରିସ୍ଥିତିକୁ ଜଟିଳ କରିବାରେ ଲାଗିଛି। ପ୍ରଶ୍ନ ଉଠୁଛି ଏପରି ସ୍ଥିତିରେ ଖର୍ଚ୍ଚ ପରିମାଣ ବଢ଼ାଇବା ଦ୍ଵାରା ଅର୍ଥନୀତି ଏକ ନିରନ୍ତର ପ୍ରଗତୀ ପଥକୁ ଫେରିଆସିପାରିବ କି?

govt expenditure increase in  budget report
ଫେବୃୟାରୀ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ବଜେଟ୍‌-୨୦୨୦

ଫେବୃୟାରୀ୧ ତାରିଖରେ ଉପସ୍ଥାପନ ହେବାକୁ ଯାଉଛି ବଜେଟ୍‌-୨୦୨୦। ଗୋଟିଏ ପଟେ ଦେଶର ଅର୍ଥନୀତିରେ ଲାଗି ରହିଥିବା ମାନ୍ଦାବସ୍ଥାକୁ ସୁଧାରିବାର ଆହ୍ବାନ ଏବଂ ଅନ୍ୟପଟେ ବିଭିନ୍ନ ସ୍ତରରେ ସରକାରୀ ଖର୍ଚ୍ଚ ବଢ଼ାଇବା ଦାବି ପରିସ୍ଥିତିକୁ ଜଟିଳ କରିବାରେଲାଗିଛି। ପ୍ରଶ୍ନ ଉଠୁଛି ଏପରି ସ୍ଥିତିରେ ଖର୍ଚ୍ଚ ପରିମାଣ ବଢ଼ାଇବା ଦ୍ଵାରା ଅର୍ଥନୀତି ଏକ ନିରନ୍ତର ପ୍ରଗତୀ ପଥକୁ ଫେରିଆସିପାରିବ କି? ଉପସ୍ଥାପନ କରୁଛୁ ମାକ୍ରୋ ଅର୍ଥନୀତିଜ୍ଞ ରେଣୁ କୋହଲିଙ୍କ ଏ ବିଷୟରେ ବିଶ୍ଳେଷଣ।

ହାଇଦ୍ରାବାଦ: ଅତ୍ୟଧିକ ଋଣକୁ ଅର୍ଥନୀତିରେ ବିଯୁକ୍ତାତ୍ମକ ଅଗ୍ରଗତି ବୋଲି ଗ୍ରହଣ କରାଯାଏ। ପୁଣି ଯେଉଁ ଅର୍ଥନୀତି ବର୍ଷକୁ ମାତ୍ର ୫ ପ୍ରତିଶତ ହାତରେ ଆଗକୁ ବଢ଼ୁଛି ସେଠାରେ ଖର୍ଚ୍ଚକୁ ସଂଗଠିତ ସମ୍ବଳ ବିକାଶ ଦିଗରେ ବ୍ୟବହାର କରିବା ଆବଶ୍ୟକ ରହିଛି। ଏଣୁ ବିଗତ ବର୍ଷଗୁଡ଼ିକରେ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ତୁଳନାରେ ଚାହିଦା ନବଢ଼ିବା ବୋଧ ହୁଏ ଆସନ୍ତା ଫେବୃୟାରୀ ୧ ତାରିଖରେ ଉପସ୍ଥାପନ ହେବାକୁ ଥିବା କେନ୍ଦ୍ର ବଜେଟ୍‌ ପାଇଁ ସବୁଠାରୁ ଗୁରୁତ୍ଵପୂଣ୍ଣ ଆହ୍ବାନ ହେବ।

୨୦୧୭-୧୮ ପରେ ଏହା ଲଗାତାର ତୃତୀୟ ବର୍ଷ ଯେଉଁଠି ବିକାଶ ନିମ୍ନମୁଖୀ ହୋଇଛି। ୨୦୧୨-୧୩ ଆର୍ଥିକ ବର୍ଷରେ ମଧ୍ୟ ଜିଡିପି ହାର ୧.୮ ପ୍ରତିଶତ କମିଥିଲା କିନ୍ତୁ ବିଗତ କିଛିବର୍ଷ ହେଲା ଜିଡିପିରେ ହ୍ରାସ ଉପଭୋକ୍ତା କ୍ଷେତ୍ରକୁ ପ୍ରଭାବିତ କରିଛି। ଫଳରେବ୍ୟବସାୟିକ ଉତ୍ସାହ କମିଛି। ଭବିଷ୍ୟତରେ ତାଙ୍କ ରୋଜଗାର ବଢ଼ିବ ନା ନାହିଁ ସେ ଅନିଶ୍ଚିତତା ଭିତରେ ସାଧାରଣ ଖାଉଟି ପଡ଼ିଛନ୍ତି।

ଏଭଳି ପରିସ୍ଥିତିରେ ଅର୍ଥନୀତିକୁ ସୁଧାରିବା ଲାଗି ସରକାରଙ୍କ ଉପରେ ଯଥେଷ୍ଟ ଚାପ ରହିଛି। ଏହା ବି ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଅନେକ ଏହି ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ଫିସ୍କାଲ୍‌ ଷ୍ଟିମୁଲେସନ୍‌ (ଖର୍ଚ ପରିମାଣ ଯଥେଷ୍ଟ ବଢ଼ାଇବା) ପ୍ରକ୍ରିୟାକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି। ଆଉ କିଛି ଏହାର ବିପକ୍ଷରେ ମତ ଦେଉଛନ୍ତି। ଏହି ବିପକ୍ଷବାଦୀଙ୍କ ମତରେ ଅତ୍ୟଧିକ ଖର୍ଚ୍ଚ ଦ୍ଵାରା ଅଧିକ ଦିନ ଧରି ଆମେ ଏହି ମାନ୍ଦାବସ୍ଥାକୁ ପରିଚାଳନା କରିପରିବା ନାହିଁ। ଆମକୁ ଏଥିରୁ ବର୍ତ୍ତିବାକୁ ପଡ଼ିବ। ଖର୍ଚ ପରିମାଣ
ବଢ଼ାଇଲେ ତାହା ମାନ୍ଦାବସ୍ଥା ପରିସ୍ଥିତିକୁ ଆହୁରି ବଢ଼ାଇବ।

ଏହିପରି ପରସ୍ପର ବିରୋଧୀ ଯୁକ୍ତି ଭିତରେ ପ୍ରଶ୍ନ ଉଠୁଛି, ସରକାରୀ ଖର୍ଚ୍ଚ ବଢ଼ାଇବା ଦ୍ଵାରା ଅର୍ଥନୀତି ସୁଧୁରିପାରିବ କି? ଏହା କ’ଣ ନିରନ୍ତର ଅଗ୍ରଗତି ଆଡ଼କୁ ଫେରିପାରିବ? ଏଥିଲାଗି କୌଣସି ସହଜ ବା ଅଯୋଗ୍ୟ ଉତ୍ତର ନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, ଅର୍ଥନୀତି କୌଣସି ଗୋଟିଏ ନିର୍ଦିଷ୍ଟ କାରକ ଉପରେ ଆଧାରିତ ନୁହେଁ। ଅନେକ ଗତିଶୀଳ ପ୍ରସଙ୍ଗ ବା କାରକ ଏଥିରେ ଅନ୍ତର୍ଭୁକ୍ତ। ପୁଣି ସମସ୍ତ କାରକ ମାନଙ୍କ ଏକାସଙ୍ଗେ ଉତ୍‌ଥାନ ବା ପତନ ହୁଏ ନାହିଁ।

ଏଣୁ ସରକାର ଯଦି ଅର୍ଥନୀତିକୁ ସୁଧାରିବା ଲାଗି ଖର୍ଚ୍ଚ ବଢ଼ାନ୍ତି ତେବେ କୌଣସି ଅଙ୍ଗ ବା କାରକ ପାଇଁ ତାହା ଶୁଭ ଫଳ ଦେଇପାରେ ହେଲେ ଆଉ କିଛି ପାଇଁ ତାହା ଖରାପ ଫଳ ଦେବା ଆଶଙ୍କା ରହିଛି। ପିଏମ୍‌-କିଶାନ୍‌ ଭଳି ଯୋଜନାରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ୍‌ କରି ସେମାନଙ୍କୁ ଅର୍ଥ ଆବଣ୍ଟନ କରିବା ଦ୍ଵାରା ଚାଷୀଙ୍କ ପାଖରେ ସିଧାସଳଖ ଅର୍ଥ ପହଞ୍ଚିପାରିବ। ହାତରେ ଟଙ୍କା ପଡ଼ିଲେ ସେମାନେ ଅଧିକ ଖର୍ଚ୍ଚ କରିବାକୁ ସମର୍ଥ ହେବେ।

ଏହା ସମସ୍ତଙ୍କୁ ଜଣା ଯେ, ଧନୀଙ୍କ ତୁଳନାରେ ଗରିବ ଲୋକ ଆୟ ଅପେକ୍ଷା ଅଧିକ ବ୍ୟୟ କରନ୍ତି। ଯେହେତୁ କୃଷକଙ୍କ ସଂଖ୍ୟା ଦେଶରେ ଅଧିକ, ସେମାନଙ୍କ ପାଖରେ ସିଧାସଳଖ ଅର୍ଥ ପହଞ୍ଚାଇବାର ଅର୍ଥ ହେଉଛି ଦେଶର ଏକ ବିଶାଳ ଜନସଂଖ୍ୟା ପାଖରେ ଖର୍ଚ୍ଚ କରିବାର ସାମର୍ଥ୍ୟ ସୃଷ୍ଟି କରି ଦେଶରେ କାରବାରକୁ ଉତ୍ସାହିତ କରିବା। ଏହି କାରବାର ବଢ଼ିଲେ ଦେଶର ସାମଗ୍ରିକ ଘରୋଇ ଉତ୍ପାଦନ ବା ଜିଡିପିରେ ବି ଅଭିବୃଦ୍ଧି ଘଟିବ। ଅର୍ଥାତ୍‌ ଯେତେ ପରିମାଣରେ ଖର୍ଚ୍ଚ ବଢ଼ିବ, ସେହି ପରିମାଣରେ ଅର୍ଥନୀତି ପ୍ରଗତି କରିବ।

କିନ୍ତୁ ଏହାପରେ ଅର୍ଥନୀତିକ ସ୍ଥିତି କ’ଣ ହେବ? ଏହି ପ୍ରକାର ଅର୍ଥନୀତିକ ପ୍ରଗତୀ କ୍ଷଣସ୍ଥାୟୀ ହୋଇଥାଏ। ଏହାକୁ ନିରନ୍ତର ରଖିବାକୁ ହେଲେ ଆମକୁ ନିରନ୍ତର ଭାବେ ନିବେଶ କରିବାକୁ ହେବ। ଏହାବାଦ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ହେବ। ଏହା ହେଲେ ଯାଇ ଲୋକଙ୍କ ପାଖରେ କିଣିବାର ଶକ୍ତି ବଢ଼ିବ ବା ବଜାରରେ ଉପଭୋକ୍ତାଙ୍କ ସଂଖ୍ୟା ବଢ଼ିବ।

ଯଦି ଆମେ ନିକଟ ଅତୀତରେ ଅଧିକ ଖର୍ଚ ଓ କମ୍‌ ଜିଡିପି ଲକ୍ଷ୍ୟ କରୁଛୁ ତେବେ ତାହା ଯେ କ୍ଷଣସ୍ଥାୟୀ ଏହା ସ୍ପଷ୍ଟ। ଉଦାହରଣ ଭାବେ ୨୦୧୮ ଏବଂ ୨୦୧୯ ଆର୍ଥିକ ବର୍ଷକୁ ତୁଳନା କରାଯାଉ। କେନ୍ଦ୍ର ସରକାରଙ୍କ ବିଭିନ୍ନ ସବ୍‌ସିଡି ଯୋଜନା- ଯେମିତି ଖାଦ୍ୟ, ସାର ଏବଂ ଜାଳେଣୀ ଗ୍ୟାସ୍‌ ସବ୍‌ସିଡି ସହ ପିଏମ୍‌ କିଶାନ୍‌ ଯୋଜନା ସହ ସର୍ବନିମ୍ନ ସହାୟତା ଯୋଜନା ଆଦିକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ସରକାରଙ୍କ ଏହି ସବ୍‌ସିଡି ନିବେଶ ୨୦୧୮ ଆର୍ଥିକ ବର୍ଷରେ ପୂର୍ବବର୍ଷ ତୁଳନାରେ ୩୫ ପ୍ରତିଶତ ବଢ଼ିଥିଲା।

୨୦୧୯ ଆର୍ଥିକ ବର୍ଷରେ ଏହି ପରିମାଣ ୨୦୧୮ ତୁଳନାରେ ୨୩ ପ୍ରତିଶତ କମିଥିଲା। କିନ୍ତୁ ୨୦୧୯ରେ ଜିଡିପି ହାର ୨୦୧୮ଠାରୁ କମିଛି। ଅର୍ଥାତ୍‌ ଗୋଟିଏ ବର୍ଷରେ ଖର୍ଚ୍ଚ କମିଛି କିନ୍ତୁ
ଅର୍ଥନୀତିକ ଅବସ୍ଥା ବିଗିଡ଼ିଛି। ଆଉ ଏକ କ୍ରମରେ ଭିତ୍ତିଭୂମି ବିକାଶ ପାଇଁ ସରକାରୀ ଖର୍ଚ ଦିଗକୁ ବିଶ୍ଳେଷଣ କରାଯାଉ। ରାସ୍ତା, ବ୍ରିଜ୍‌, ବନ୍ଦର ଓ କୋଠାବାଡ଼ି ନିର୍ମାଣରେ ଆମେ ସରକାରୀ ଖର୍ଚକୁ ଆକଳନ କରିବା। ଏହି ପ୍ରକାର ଖର୍ଚ୍ଚ ବଢ଼ିବା ଦ୍ଵାରା ସିମେଣ୍ଟ, ଷ୍ଟିଲ୍‌ ଏବଂ ଅନ୍ୟାନ୍ୟ କୋଠାବାଡ଼ି ନିର୍ମାଣ ସାମଗ୍ରୀ ବିକ୍ରି ବଢ଼ିଛି। ଆଉ ନିର୍ମାଣ କ୍ଷେତ୍ରରେ ଅଣ କୁଶଳୀ ନିଯୁକ୍ତି ବିବଢ଼ିଛି।

ଏହି କ୍ଷେତ୍ରରେ ପ୍ରାରମ୍ଭିକ ନିବେଶ ଖର୍ଚକୁ ବଢ଼ାଇଛି। କାରଣ ଏହା ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହି ପ୍ରକାର ଖର୍ଚର ପ୍ରଭାବ ଅଧିକ ସ୍ଥାୟୀ ହୋଇଥାଏ। ସେଥିପାଇଁ ସରକାରୀ ସ୍ତରରେ ଖର୍ଚ ବଢ଼ାଇବା ଲାଗି ଏହି ପ୍ରକାର ନିବେଶରେ ଅଧିକ ଧ୍ୟାନ ଦେବା ପାଇଁ ଯୁକ୍ତି ବଢ଼ାଯାଏ। କିନ୍ତୁ ଏହି ପ୍ରକାର ନିବେଶ ଜନମଙ୍ଗଳ ବା ସିଧାସଳଖ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ଯୋଜନାଗୁଡ଼ିକ ଭଳି ସଙ୍ଗେ ସଙ୍ଗେ ପ୍ରଭାବ ଦେଖାଇ ନଥାଏ।

କିନ୍ତୁ ଲଗାତାର ଜିଡିପି ହଆସ ପାଇବା ପ୍ରମାଣିତ କରୁଛି ଯେ, ଏହି ପ୍ରକାର ନିବେଶ ମଧ୍ୟ ସେତେଟା ଉତ୍ସାହ ଦେଇପାରେ ନାହିଁ। ଭିତ୍ତିଭୂମି କ୍ଷେତ୍ରରେ ନିବେଶ କରି ଜିଡିପିର ହ୍ରାସକୁ ରୋକିବା ଲାଗି ସରକାର ଅନେକ ପ୍ରୟାସ କରିଛନ୍ତି। ୨୦୧୪ରୁ ୨୦୧୯ ଭିତରେ ଅର୍ଥନୀତିକ ନିବେଶ ତଥା ଖର୍ଚକୁ ତୁଳନା କଲେ ଏହି ବିଷୟ ସ୍ପଷ୍ଟ ହୁଏ। ଏପରିକି ୨୦୧୮ ଏବଂ ୨୦୧୯ ଆର୍ଥିକ ବର୍ଷରେ ସରକାର ୪ ଟ୍ରିଲିୟନ୍‌ ଟଙ୍କା ଲେଖାଏଁ ଭିତ୍ତିଭୂମି କ୍ଷେତ୍ରରେ ଖର୍ଚ କରିଛନ୍ତି।

ତଥାପି ଜିଡିପି ୨୦୧୭ ମସିହାରେ ୮.୨ ପ୍ରତିଶତରୁ ଖସି ୨୦୧୮ ମସିହାରେ ୭.୮କୁ ଖସି ଆସିଥିଲା। ଆଉ ୨୦୧୯ ଆର୍ଥିକ ବର୍ଷରେ ଜିଡିପି ହାର ୬,୮ ପ୍ରତିଶତରେ ପହଞ୍ଚିଛି। ପ୍ରତିବର୍ଷ ଜିଡିପି ହାର ହ୍ରାସ ପାଇଁ ଏବେ ୫ ପ୍ରତିଶତରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି। ଏହି ପ୍ରକାର ଅର୍ଥନିତିକ ଅଧୋଗତିକୁ ଆମକୁ ଗମ୍ଭୀରତାର ସହ ବିଚାର କରିବାକୁ ହେବ। ଯେହେତୁ ସରକାରଙ୍କ ଖର୍ଚ କରିବାର ନୀତି ଏହାର ଜିଡିପିକୁ ଧରି ରଖିବାରେ ସମର୍ଥ ହୋଇପାରୁ ନାହିଁ, ଆମକୁ ନୀତିରେ ପରିବର୍ତ୍ତନ ଆଣିବାକୁ ହେବ।


କାରଣ ସରକାରଙ୍କ ପାଖରେ ଉଭୟ ଟିକସ ଓ ଅଣ ଟିକସ ଆୟର ଉତ୍ସ ସୀମିତ ଅଟେ। ଯଦି ଏମିତି ଖର୍ଚ କରି ଚାଲିବା ତେବେ ଆମର ସିମୀତ ସମ୍ପଦ ଶେଷ ହେବ।
ଆମେ କେତେଦିନ ଖର୍ଚ ତୁଲାଇବା ଲାଗି ଋଣ କରୁଥିବା? ଯେତେବେଳେ ସରକାରୀ ଅର୍ଥ ବ୍ୟବସ୍ଥାରେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହୁଏ ସେତେବେଳେ ସାଧାରଣତଃ ସତର୍କ ଘଣ୍ଟି ବାଜେ। ନିଅଣ୍ଟିଆ ପରିସ୍ଥିତି କ’ଣ? ଆୟ ଅପେକ୍ଷା ବ୍ୟୟ ବଢ଼ିଲେ ନିଅଣ୍ଟିଆ ପରିସ୍ଥିତି ସୃଷ୍ଟିହୁଏ ।

ଆଉ ଏହି ନିଅଣ୍ଟିଆ ପରିସ୍ଥିତିକୁ ସୁଧାରିବା ଲାଗି ସରକାରଙ୍କୁ ଋଣ କରିବାକୁ ପଡ଼ିଥାଏ। ଏ ବର୍ଷର ରାଜସ୍ଵ ଆୟ କରିମାଣକୁ ଦେଖିଲେ ସବୁ ଆଡ଼ୁ ତାହା ସଙ୍କୁଚିତ ହୋଇଥିବା ପରିଲକ୍ଷିତ ହୁଏ। କର୍ପୋରେଟ୍‌ ଟିକସ ପରିମାଣ କମିଛି। ସରକାରଙ୍କ ରାଜସ୍ଵ ଆୟ ପରିମାଣ ୨.୬ରୁ ୩ ଟ୍ରିଲିୟନ୍‌ ଟଙ୍କା କମିଛି। ଗଲା ୨୦ ବର୍ଷ ଭିତରେ ଯାହା ହୋଇ ନଥିଲା ଏଥର ପ୍ରତ୍ୟେକ୍ଷ କରରେ ହ୍ରାସ ପାଇ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଅଣ ଟିକସ ରାଜସ୍ଵ ମଧ୍ୟ କମିଛି। ଭାରତ ପେଟ୍ରୋଲିୟମ୍‌, କଣ୍ଟେନର କର୍ପୋରେସନ୍‌ ଏବଂ ସିପିଂ କର୍ପୋରେସନ୍‌ରେ ବିଳମ୍ବିତ ନିବେଶ ହେତୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ସରକାର ଏହା ଭିତରେ ନିଜର ସ୍ଥିତିରେ ସୁଧାର ଆଣିବା ଲାଗି ୧୦୦ ବିଲିୟନ୍‌ ଟଙ୍କା ରିଜର୍ଭ ବ୍ୟାଙ୍କ୍‌ରୁ ଡିଭିଡେଣ୍ଟ ଆକାରରେ ଅଗ୍ରୀମ ଆଣିବାକୁ ଚେଷ୍ଟା କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ଏହାସହ ତୈଳ କମ୍ପାନୀଙ୍କ ଓ ସରକାରୀ ଉଦ୍ୟୋଗଗୁଡ଼ିକରୁ ଅଧିକ ଡିଭିଡେଣ୍ଟ ଆଦାୟ ଏବଂ ଟେଲିକମ୍‌ କମ୍ପାନୀଙ୍କଠାରୁ ବକେୟା ଦେୟ ଆଦାୟ କରି ସରକାର ଅର୍ଥନୀତିକ ଅବସ୍ଥାକୁ ସୁଧାରିବା ଲାଗି ଚେଷ୍ଟା କରିଛନ୍ତି। ସରକାର କିପରି ନଗଦ ନିଅଣ୍ଟରେ ପଡ଼ିଛନ୍ତି ତାହା ଏହି ପ୍ରକାର ଅବ୍ୟବସ୍ଥା ସ୍ପଷ୍ଟ କରୁଛି। ଆଉ କିଛି ନୁହେଁ, ଚଳିତ ବର୍ଷ ଦେଶର ଆର୍ଥିକ ନିଅଣ୍ଟିଆ ପରିସ୍ଥିତ ଜିଡିପିର ୩.୮ରୁ ୪.୧ ପ୍ରତିଶତ ହେବ, ଯାହା ପୂର୍ବରୁ ୩.୩%ରେ ସୀମିତ ରହିବ ବୋଲି ନିର୍ଦ୍ଧାରଣ କରାଯାଇଥିଲା।

ଏଥିରେ ସରକାର ଏନ୍‌ଏଚ୍‌ଏଆଇ, ଆଇଆର୍‌ଏଫ୍‌ସି, ଏଫ୍‌ସିଆଇ ପ୍ରଭୃତି ସରକାରୀସଂସ୍ଥା ମାନଙ୍କ ଦ୍ଵାରା ଆଣୁଥିବା ଋଣ ପରିମାଣ ତଥା ବଜେଟ୍‌ ବାହାରର ଋଣକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ବାସ୍ତବରେ ସର୍ବ ସାଧାରଣରେ ନିଅଣ୍ଟିଆ ପରିସ୍ଥିତିକୁ ଲୋକ ଲୋଚନଠୁ ଦୂରେଇବା ଲାଗି ସରକାର ଏହି ମାଧ୍ୟମକୁ ଋଣ ଆଣିବା ଲାଗି ଦିନକୁ ଦିନ ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି।

ଯଦିଓ ସରକାର ଅର୍ଥନୀତିକ ନିୟମ ( ଅର୍ଥନୀତିକ ଦାୟିତ୍ଵ ଓ ବଜେଟ୍‌ ପରିମଚାଳନା ଆଇନ-୨୦୦୩)କୁ ପାଳନ କରୁଛନ୍ତି ବୋଲି ଦର୍ଶାଉଛନ୍ତି ଯାହା ଧୀରେ ଧିରେ ଆର୍ଥିକ ନିଅଣ୍ଟିଆ ସ୍ଥିତିକୁ କମାଇବା ପକ୍ଷରେ ଯୁକ୍ତି ବାଢ଼ୁଛି କିନ୍ତୁ ସାରକାର ଏହିପରି ବଜେଟ୍‌ ବାହାରେ ଅନେକ ଅର୍ଥ ଋଣ ଆକାରରେ ଆଣିବା ପ୍ରକ୍ରିୟା ବଢ଼ାଇ ଚାଲିଛନ୍ତି। ଏହିପରି ସ୍ଥିତିରେ ରାଷ୍ଟ୍ରର ସମୁଦାୟ ଋଣ ପରିମାଣକୁ ହିସାବ କଲେ ତାହା ଜିଡିପିର ୮.୫ ପ୍ରତିଶତରୁ ୯ ପ୍ରତିଶତ ବୋଲି ବିଶ୍ଵାସ କରାଯାଏ।

ଅନୁଶୀଳନରୁ ଜଣାଯାଏ ଯେ ଏହି ସମୁଦାୟ ଋଣ ପରିମାଣ ଭାରତର ମୋଟ ସଞ୍ଚୟ ସହ ସମାନ। ଫଳରେ ଚାହିଦାକୁ ପୂରଣ କରିବା ଲାଗି ଘରୋଇ କ୍ଷେତ୍ରକୁ ଅଧିକ ସୁଧ ହାରରେ ଋଣ ଆଣିବାକୁ ପଡ଼ିଥାଏ। ଯେହେତୁ ସରକାରୀ ସ୍ତରରେ ଅଧିକରୁ ଅଧିକ ଖର୍ଚ୍ଚ ହେଉଛି, ଘରୋଇ କ୍ଷେତ୍ରରେ ଚାହିଦା କମିବା ସ୍ଵଭାବିକ। ପୁଣି କିଛି ଅର୍ଥନୀତିକ ବିଷାରଦ ଯେଉଁମାନେ ଅର୍ଥନୀତିକ ସ୍ଥିତିକୁ ସୁଧାରିବା ଲାଗି ଅଧିକରୁ ଅଧିକ ସରକାରୀ ଖର୍ଚ ଉପରେ ଗୁରୁତ୍ଵ ଦିଅନ୍ତି ସେମାନଙ୍କ ମତରେ ଏଫ୍‌ଆର୍‌ବିଏମ୍‌ ଆଇନ-୨୦୧୭ର ଗଳାବାଟ ସୃଷ୍ଟିକୁ ନେଇ ଅନେକ ଯୁକ୍ତି ବାଢ଼ନ୍ତି।

ସେମାନଙ୍କ ମତରେ ସାଜାର ଜିଡିପିର ୦.୫ ପ୍ରତିଶତ ଅର୍ଥକୁ ଏହିପରି ଅର୍ଥନୀତିକ ସବ୍‌ସିଡି ତଥା ଖର୍ଚ ପାଇଁ ବ୍ୟବହାର କରିପାରିବେ। ଅର୍ଥାତ୍‌ ଏହା ଆହୁରି ଅଧିକ ଋଣ ପାଇଁ ବାଟ ଖୋଲୁଛି। ଅନ୍ୟପକ୍ଷରେ ଏହା ମଧ୍ୟ ଯୁକ୍ତି ଆସୁଛି ଯେ, ବିକାଶ ପ୍ରକ୍ରିୟାରେ ଉନ୍ନତି ଆଣିବା ଲାଗି ସରକାର ଏଫ୍‌ଆର୍‌ବିଏମ୍‌ ଆଇନରେ ଦିଆଯାଇଥିବା ବିବିଧ ବାଧାକୁ ବର୍ତ୍ତିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ଉଚିତ। ଏହା ହେଲେ ବଜାରରେ ଆମର ଯେଉଁ ବିଶ୍ଵସନୀୟତା ରହିଛି ତାହା ବାଧା ପାଇବ।

ଅଧିକନ୍ତୁ, କେବଳ ଯେ ଆର୍ଥିକ ନିଅଣ୍ଟ ଏକ ସମସ୍ୟା ତାହା ନୁହେଁ, ଦିନକୁ ଦିନ ଋଣ ଭାର ବି ବଢ଼ିବାରେ ଲାଗିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏପରି ପରିମାଣରେ ଋଣରେ ବୁଡ଼ି ରହିଛନ୍ତି ଯେ, ତାହା ଜିଡିପିର ୭୦ ପ୍ରତିଶତରେ ପହଞ୍ଚିଛି। ଏହି ପରିସ୍ଥିତିକୁ ନିବେଶକମାନେ ଭାରି ନିକଟରୁ ଅୁନଧ୍ୟାନ କରୁଛନ୍ତି। ଯାହାଦ୍ଵାରା ସେମାନେ ଆସ୍ଥା ହରାଉଛନ୍ତି। ପ୍ରଶ୍ନ ହେଉଛି ଯଦି ସରକାର ଚାହିଦାକୁ ପୂରଣ କରିବାଲାଗି ଦିନକୁ ଦିନ ଅଧିକରୁ ଅଧିକ ପରିାମଣରେ ଋଣ କରିବେ, ତେବେ କ’ଣ ହେବ?


ଏଥିରେ ଲାଭ ଅପେକ୍ଷା କ୍ଷତି ଯଥେଷ୍ଟ ହେବ। ଅନେକ ଘରୋଇ ସଂସ୍ଥା ଏହାଦ୍ଵାରା ପ୍ରଭାବିତ ହେବେ। ଖରାପ ଋଣ ପରିମାଣ ଅସାହିତ ଭାବେ ବଢ଼ି ଚାଲିବ। ବ୍ୟାଙ୍କ୍‌ ହେଉ ବା ଏନ୍‌ବିଏଫ୍‌ସି ସମସ୍ତେ ପ୍ରଭାବିତ ହେବ। ବଡ଼, ଛୋଟ କମ୍ପାନୀ, ଏମ୍‌ଏସ୍‌ଏମ୍‌ଇ ଏବଂ ସାଧାରଣ ବାସ ସ୍ତରରେ ଏହା ପ୍ରଭାବିତ ହେବ। ଏଣୁ ଏଭଳି ଏକ ଦୁସ୍ଥିତିକୁ ମୁକାବିଲା କରିବା ଲାଗି ସ୍ଵଳ୍ପ ଋଣ ହାର ଘୋଷଣା କରାଯିବା ଆବଶ୍ୟକ।


ସବୁଠାରୁ ଉଚିତ ପଦକ୍ଷେପ ହେବ ସରକାରଙ୍କୁ ନିଜ ଖର୍ଚ ତାଲିକାକୁ ସୀମିତ ରଖିବାକୁ ହେବ। ବିଭିନ୍ନ ସ୍ତରରେ ଦିଆଯାଉଥିବା ସବ୍‌ସିଡି ଖର୍ଚ୍ଚ, ତଥା ଚାହିଦା ବଢ଼ାଇବା ଲାଗି ଦିଆଯାଉଥିବା ସିଧାସଳଖ ଅର୍ଥ ଯୋଜନାର ଆକାରକୁ କମାଇବାକୁ ହେବ। ଯେଉଁ ଭଳି ଭାବେ ବଜାରରେ ମାନ୍ଦାବସ୍ଥା ଚାଲିଛି ତାହା ଖର୍ଚକୁ ଆଶଶତୀତ ଭାବେ ବୃଦ୍ଧି କରିବାର ସମସ୍ତ ରାସ୍ତାକୁ ବନ୍ଦ କରିଦେଇଛି। ବରଂ, ତାହା ଆମକୁ କିଛି ସମୟ ଲାଗି ନିମ୍ନ ଅଗ୍ରଗତି ହାରକୁ ଗ୍ରହଣ କରିବାକୁ ଆହ୍ବାନ ଦେଉଛି।

( ଏହି ସନ୍ଦର୍ଭରେ ସୂଚିତ କରାଇଥିବା ସମସ୍ତ ଯୁକ୍ତି ଲେଖକଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ପର୍ଯ୍ୟବେଷିତ) ପ୍ଲାଷ୍ଟିକ ବନ୍ଦ ହେବା ପରେ ଅନେକ ଲୋକ ମାଟି ଜିନିଷ ପ୍ରତି ନିଜର ଆଗ୍ରହ ଦେଖାଉଛନ୍ତି। ଆଗକୁ ଖରା ଦିନ ଆସୁଥିବାରୁ ଲୋକେ ମାଟି ବୋତଲ କିଣୁଥିବା କିଣୁଛନ୍ତି।

Last Updated : Jan 28, 2020, 7:45 AM IST

ABOUT THE AUTHOR

...view details