ବ୍ରହ୍ମପୁର: ରାଜ୍ୟରେ ଜାରି ରହିଛି କାଳବୈଶାଖୀର ତାଣ୍ଡବ । ଏହାର କରାଳ ରୂପରେ ଅନେକ ପ୍ରାଣ ହରାଉଛନ୍ତି । ଏମିତି ଏକ ଅଘଟଣ ଗଞ୍ଜାମ ଜିଲ୍ଲାର କେ. ନୂଆଗାଁ ଥାନା ଅନ୍ତର୍ଗତ ଶଙ୍କରଖାଳି ଗ୍ରାମରେ ଘଟିଛି । ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ସେହି ଗ୍ରାମର 35 ବର୍ଷୀୟ ସୁଷମା ନାଇକ ।
ସୂଚନାନୁଯାୟୀ, ସୁଷମା ନିଜ ଘର ବାରିପଟକୁ ଯାଇଥିବା ବେଳେ ହଠାତ୍ ପ୍ରବଳ ବର୍ଷା ହେବା ସହ ଘଡଘଡି ଓ ବିଜୁଳି ମାରିଥିଲା । ମାତ୍ର ବଜ୍ରପାତର ତୀବ୍ରତା ଅଧିକ ଥିବାରୁ ମହିଳାଙ୍କ ଶରୀର ଜଳି ଯାଇଥିଲା । ଗ୍ରାମବାସୀ ଘଟଣାସ୍ଥଳରୁ ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ସ୍ବାସ୍ଥ୍ୟ କେନ୍ଦ୍ରରେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ପହଞ୍ଚିଥିବା ବେଳେ କେ. ନୂଆଗାଁ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସରକାରଙ୍କ ପକ୍ଷରୁ ପରିବାର ବର୍ଗଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।