ଭୁବନେଶ୍ବର: ସରିଯାଇଛି ସାଧାରଣ ନିର୍ବାଚନ । ଏବେ କ୍ଷମତାସୀନ ଦଳ ମାନେ ନିର୍ବାଚନରେ ଦେଇଥିବା ପ୍ରତିଶୃତି ପୂରଣ କରିବାର ସମୟ । ଆଉ କେନ୍ଦ୍ରରେ ପୁଣିଥରେ ବିଜେପି ସରକାର ଗଠନ କରିବା ପରେ ବଦଳି ଯାଇଛି ବିଜେଡିର ଆଭିମୁଖ୍ୟ । ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ରାଜ୍ୟ ମୁହାଁମୁହିଁ ହେଉଥିବା ବେଳେ ସରକାର ଗଠନ ପରେ ଉଭୟ ଦଳ ଏବେ ପରସ୍ପରକୁ ସାହାଯ୍ୟ କରିବାକୁ ଆଗଭର । କେନ୍ଦ୍ର ସରକାରଙ୍କ ଏକ ମହତ୍ତ୍ବକାଂକ୍ଷୀ ଯୋଜନା ହେଉଛି ଆୟୁଷ୍ମାନ ଭାରତ ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଏହି ଯୋଜନା ମାଧ୍ୟମରେ ଭାରତ ବର୍ଷରେ ଯେକୌଣସି ସ୍ଥାନରେ ଜଣେ ରୋଗୀ ଚିକିତ୍ସିତ ହୋଇପାରିବ । କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଲାଗୁ କରିବାକୁ ଓଡିଶା ସମେତ କିଛି ରାଜ୍ୟ ନାରାଜ ଥିଲେ । ତେବେ ମୋଦି ଦ୍ବିତୀୟ ଥର କ୍ଷମତାକୁ ଆସିଲା ପରେ ଯେଉଁରାଜ୍ୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିନାହାନ୍ତି ସେହି ରାଜ୍ୟ ଗୁଡିକୁ ପୁଣିଥରେ ମନାଇବାକୁ ଉଦ୍ୟମ କରିଛନ୍ତି । ଖାସ ଓଡିଶାରେ ଲାଗୁ କରିବାକୁ ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର ।
ସେଥିପାଇଁ ଗତକାଲି ଆୟୁଷ୍ମାନ ଭାରତର ସିଇଓ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ତେବେ ମୁଖ୍ୟଶାସନ ସଚିବ କହିଛନ୍ତି ଆଲୋଚନା ସକରାତ୍ମକ ଥିଲା ଆହୁରି ଦୁଇରୁ ତିନୋଟି ପର୍ଯ୍ୟାୟ ଆଲୋଚନା ହେବ ବୋଲି କହିଛନ୍ତି । ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟ ଦେଖି ବିରୋଧୀ ଏବେ ସରକାରଙ୍କୁ ନିଶାଣ କରିଛନ୍ତି । କଂଗ୍ରେସ ଅଭିଯୋଗ କରିଛି ଏବେ ନବୀନ ମୋଦିଙ୍କ ସହ ଭିତିରି ସଂର୍ପକ ରଖି ନିଜ ବିଜୁ ସ୍ବାସ୍ଥ୍ୟ କଲ୍ୟାଣକୁ କେନ୍ଦ୍ର ସରକାରଙ୍କ କାନ୍ଧରେ ରଖିବାକୁ ଚେଷ୍ଟା କରିଛନ୍ତି ।
ଆଉ ବିଜେପି କହିଛି ନିର୍ବାଚନ ପୂର୍ବରୁ ଏହି ଯୋଜନା କାର୍ଯ୍ୟକାରୀ କରିଥିଲେ କାଳେ ମୋଦି ଫାଇଦା ନେଇଯିବେ ସେଇ ଡରରେ ନବୀନ ଏହାକୁ ଗ୍ରହଣ କରିନଥିଲେ । ଏବେ ନିର୍ବାଚନ ସରିବା ପରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି କିନ୍ତୁ ରାଜ୍ୟର ଅନେକ ଲୋକ ଯୋଜନାରୁ ବଞ୍ଚିତ ହେଲେ ବୋଲି ଦଳ କହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭିଭାରତ