ଓଡିଶା

odisha

ETV Bharat / briefs

ମନ୍ତ୍ରୀପଦ ପରେ ବି ବଦଳିନି ନନାଙ୍କ ଚରିତ୍ର; ପୋଖରୀରେ ଗାଧୋଇଲେ, ଦହି ମୁଢି ଖାଇଲେ - BJP INDIA

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମନ୍ତ୍ରୀହେବା ପରେ ପ୍ରଥମ ଥର ନିଜ ଘରକୁ ଆସିଥିଲେ । ପ୍ରତାପ ନାନାଙ୍କୁ ମନ୍ତ୍ରୀ ରୂପେ ପାଇ ଗ୍ରାମବାସୀ ଜୋରଦାର ସ୍ବାଗତ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Jun 10, 2019, 2:07 PM IST

ବାଲେଶ୍ବର: ଗତ 23 ତାରିଖ ଠାରୁ ଗଣମାଧ୍ୟମର ଶିରୋନାମା ପାଲଟିଥିବା ଦେଶର ଚର୍ଚ୍ଚିତ ରାଜନେତା ପ୍ରତାପ ଷଡଙ୍ଗୀ ରାଜନୈତିକ ଜୀବନରେ ପ୍ରଥମ ଥର ସାଂସଦ ହୋଇ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି । ମନ୍ତ୍ରୀପଦ ଦାୟିତ୍ବ ନେଲାପରେ ଗତ 8ତାରିଖରେ ପ୍ରଥମ ଥର ଓଡିଶା ଆସିଛନ୍ତି ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଗତକାଲି ଠାରୁ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଜ ଜିଲ୍ଲା ବାଲେଶ୍ବର ଗସ୍ତରେ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ କେନ୍ଦ୍ରମନ୍ତ୍ରୀ ହେଲା ପରେ ବଦଳି ଯାଇଥାଏ ରାଜନେତାଙ୍କର ଚିତ୍ର ଆଉ ଚରିତ୍ର । ବଦଳିଯାଏ ମନ୍ତ୍ରୀଙ୍କ ପୋଷାକ, ବଦଳିଯାଏ ଖାଦ୍ୟ, ପରିବର୍ତ୍ତନ ହୁଏ ବ୍ୟବହାର । କିନ୍ତୁ ପ୍ରଥମ ଥର ବାଲେଶ୍ବରରୁ ସାଂସଦ ହୋଇ ମନ୍ତ୍ରୀ ହୋଇଥିବା ରାଜ୍ୟ ବିଜେପିର ଫାୟାର ବ୍ରାଣ୍ଡ ନେତା ପ୍ରତାପ ଷଡଙ୍ଗୀଙ୍କ କ୍ଷେତ୍ରରେ ଏହା ପୁରା ଓଲଟା । ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହୋଇ ପ୍ରଥମ ଥର ନିଜ ଜନ୍ମମାଟି ଆସିଛନ୍ତି ହେଲେ ମନ୍ତ୍ରୀ ହେବାପୂର୍ବରୁ ଯେଉଁ ପ୍ରତାପ ଷଡଙ୍ଗୀ ଥିଲେ ମନ୍ତ୍ରୀ ପଦ ପାଇବାପରେ ମଧ୍ୟ ସେଇ ପ୍ରତାପ ଷଡଙ୍ଗୀ ହୋଇ ରହିଛନ୍ତି । ନା ବଦଳିଛି ତାଙ୍କ ପୋଷାକ ନା ବଦଳିଛି ତାଙ୍କ ଖାଦ୍ୟ ନା ପରିବର୍ତ୍ତନ ହୋଇଛି ବ୍ୟବହାର ।

ଗତାକାଲି ବାଲେଶ୍ବରର ବିଭିନ୍ନି ସ୍ଥାନ ଗସ୍ତକରି ବିଳମ୍ବିତ ରାତ୍ରିରେ ନିଜ ଗାଁ ଗୋପୀନାଥପୁରକୁ ଆସିଥିଲେ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ତାଙ୍କ ଭଉଣୀଙ୍କ କହିବା ଅନୁଯାୟୀ ନନାଙ୍କ ପାଇଁ ତାଙ୍କ ପ୍ରିୟ ଖାଦ୍ୟ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଯେହେତୁ ଖାଇବା ସମୟ ବହୁ ବିଳମ୍ବ ହୋଇସାରିଥିଲା, ତେଣୁ ସେ କିଛି ନଖାଇ ସେମିତି ଶୋଇଥିଲେ । ସକାଳୁ ଉଠି ନିମ୍ବ ଦାନ୍ତକାଠି ଖଣ୍ଡେ ହାତରେ ଧରି ଗାଁ ମୁଣ୍ଡ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ପ୍ରତାପ । ଗାଧୋଇ ସାରି ଗାଁ ମନ୍ଦିରରେ କିଛି ସମୟ ପୂଜାପାଠ କରିଥିଲେ । ଏହାପରେ ନିଜ ଘରକୁ ଫେରିଥିଲେ ହେଲେ ସେତେବେଳକୁ ଘରେ ଲୋକଙ୍କ ଗହଳି ଲାଗି ସାରିଥାଏ । କିଏ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଆସିଥାନ୍ତି ତ କିଏ ନିଜ ପ୍ରିୟ ନନାଙ୍କୁ ଟିକେ ଦେଖିବାକୁ ଆସିଥାନ୍ତି । ଆଉ ଏତେ ଲୋକଙ୍କ ଗହଳି ଦେଖି ପ୍ରତାପ ନନା ମଧ୍ୟ ତୁରନ୍ତ ପ୍ରସ୍ତୁତ ହୋଇ ଲୋକଙ୍କ ସମସ୍ୟା ଶୁଣିବାକୁ ବାହାରି ପଡିଲେ । ତେବେ ଭଉଣୀଙ୍କ ଅନୁରୋଧକ୍ରମେ ସମୟ ଅଭାବ ସତ୍ତ୍ବେ ଭଉଣୀ ପ୍ରସ୍ତୁତ କରିଥିବା ଦହି ମୁଢି ଓ କଦଳୀ ଖାଇଥିଲେ । ତେବେ ଜଣେ କେନ୍ଦ୍ରମନ୍ତ୍ରୀ ଭାବେ ପ୍ରତାପ ଷଡଙ୍ଗୀ ଯେପରି ନିଜ ଗାଁରେ ପୁରା ସାଧାରଣ ଜୀବନଯାପନ କରିବା ସହ କେଉଁଠି ବି ନିଜର ମନ୍ତ୍ରୀ ହେବାର ଛାପ ଛାଡିନାହାଁନ୍ତି ତାହାଯେ କେବଳ ପ୍ରତାପ ଷଡଙ୍ଗୀଙ୍କ ପକ୍ଷେ ସମ୍ଭବ ଏହା ସ୍ବୀକାର କରିବାକୁ ପଡିବ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details