ଭୁବନେଶ୍ବର: ରାଜଧାନୀରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦିବସରେ ଏକ ବାର୍ଷିକ ରିପୋର୍ଟ ଉନ୍ମୋଚନ କରାଯାଇଛି । ବିଭାଗର କମିଶନର ତଥା ଶାସନ ସଚିବ ଡଃ ପ୍ରମୋଦ କୁମାର ମେହେର୍ଦ୍ଦା ରାଜ୍ୟରେ ଡେଙ୍ଗୁ, ମ୍ୟାଲେରିଆ ଆଦି ନିୟନ୍ତ୍ରଣ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମରେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ମଶାବାହିତ ଏହି ରୋଗକୁ ନିୟନ୍ତ୍ରଣ କରିବା ଲାଗି ଔଷଧୀୟ ମଶାରି ବ୍ୟବହାର ସହିତ ଲୋକମାନେ ନିଜେ ସଚେତନ ହେବା ଆବଶ୍ୟକ ଅଛି ବୋଲି କହିଥିଲେ ।
ଡେଙ୍ଗୁ ନିୟନ୍ତ୍ରଣ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ସବୁଠାରୁ ଆଗରେ ରହିଛି ଓଡିଶା । ବିଭାଗ ପକ୍ଷରୁ ଉନ୍ମୋଚିତ ରିପୋର୍ଟ ଅନୁସାରେ, 1945 ମସିହାରେ ଦେଶରେ ପ୍ରଥମ ଥର ପାଇଁ ଡେଙ୍ଗୁ ଚିହ୍ନଟ କରାଯାଇଥିଲା । 1988 ମସିହାରେ ଏହା ପ୍ରଥମ ଥର ପାଇଁ ଦିଲ୍ଲୀରେ ମହାମାରୀ ରୂପ ଗ୍ରହଣ କରିଥିଲା । 2018 ମସିହାରେ ଦେଶରେ 89,974 ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ । ତନ୍ମଧ୍ୟରୁ 144 ଜଣଙ୍କ ମୃତ୍ୟୁ ହୋଇଥିଲା । ସେହିଭଳି ୨୦୧୦ ମସିହାରେ ଓଡିଶାରେ ପ୍ରଥମ ଡେଙ୍ଗୁ ଚିହ୍ନଟ କରାଯାଇଥିଲା । 2018 ମସିହାରେ ମୋଟ 5198 ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ 1559 ଜଣ ରାଜ୍ୟ ବାହାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଆସିଥିଲେ । ଏମାନଙ୍କ ମଧ୍ୟରୁ 5 ଜଣଙ୍କ ମୃତ୍ୟୁ ହୋଇଥିଲା ।