ଭୁବନେଶ୍ୱର: ଫଟୋ ବା ଚିତ୍ର ଉତ୍ତୋଳନ କରୁଥିବା ଉପକରଣକୁ କ୍ୟାମେରା କୁହାଯାଏ । । ଯାହାକି ଦୈନନ୍ଦିନ ଜୀବନର ଅନେକ ଅନ୍ତରଙ୍ଗ, ବ୍ୟକ୍ତିଗତ ଏପରିକି ଗୁରୁତ୍ୱପୂର୍ଣ୍ଣ ସମୟକୁ ସାଇତି ରଖିବା ସହିତ ସ୍ମୃତିର ସନ୍ତକ ପାଲଟିଯାଏ । ଖାଲି ସେତିକି ନୁହେଁ କ୍ୟାମେରାରେ ଉତ୍ତୋଳିତ ଫଟୋ ଏବଂ ଭିଡିଓ ଚିତ୍ର ସେହି ସମୟରେ ଯେତିକି ଆନନ୍ଦ ପ୍ରଦାନ କରେ ପରବର୍ତ୍ତୀ ସମୟରେ ଏହା ଅଧିକ ଖୁସି ଆଣି ଦେଇଥାଏ । ଆଉ ସେହି ପୁରୁଣା ସମୟକୁ ନେଇ ଯାଇଥାଏ ।
ଏହି କ୍ରମରେ ସାରା ଦେଶ ଜୁନ 29 ତାରିଖକୁ ଜାତୀୟ କ୍ୟାମେରା ଦିବସ ପାଳନ କରିଥାଏ । ରାଜଧାନୀରେ ମଧ୍ୟ ଆଜି ଏହି ଦିନକୁ ବେଶ୍ ନିଆରା ଢଙ୍ଗରେ ପାଳନ କରାଯାଇଛି । ସ୍ଥାନୀୟ ଜୟଦେବ ଭବନରେ ଏକ କ୍ୟାମେରା ପ୍ରଦର୍ଶନୀ ଆୟୋଜିତ ହୋଇଛି । ଯେଉଁଥିରେ 1850 ମସିହାରୁ କ୍ୟାମେରାର ଉଦ୍ଭାବନ ହେବା ଦିନଠାରୁ ବର୍ତ୍ତମାନ ଡିଜିଟାଲ ଯୁଗରେ ପ୍ରଚଳିତ ହେଉଥିବା ପ୍ରାୟ 200 କ୍ୟାମେରାକୁ ପ୍ରଦର୍ଶିତ କରାଯାଇଛି । ଯାହାର ଆୟୋଜନ ଡ଼ଃ ସନ୍ତୋଷ କୁମାର ମିଶ୍ର(ପୂର୍ବତନ ବୈଜ୍ଞାନିକ ସିଏସଆଇ ଆରଆଇଆଇଏମଟି, ଭୁବନେଶ୍ୱର)କରିଥିବା ବେଳେ ଉଦଘାଟନ କରିଛନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବିଶିଷ୍ଟ କ୍ୟାମେରା ମ୍ୟାନ ରାଜୁ ମିଶ୍ର । ଯାହାକି କେବଳ ଗୋଟିଏ ଦିନ ପାଇଁ ପ୍ରଦର୍ଶିତ ହେବା ନେଇ ସୂଚନା ରହିଛି ।