କେନ୍ଦ୍ରାପଡା: ଭିନ୍ନ ଏକ ପରମ୍ପରା ଦେଖାଯାଏ ଏଠାରେ । ସାରା ବିଶ୍ୱରେ ଭାବର ଠାକୁର ଭାବ ବିନୋଦିଆ ଜଗତର ନାଥ ଜଗନ୍ନାଥଙ୍କ ରଥକୁ ଦଉଡିରେ ଟଣାଯାଏ । ହେଲେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକର ଏକ ଉପାନ୍ତ ଅଞ୍ଚଳରେ କିଛି ଭିନ୍ନ ପରମ୍ପରା ଦେଖାଯାଏ । ପ୍ରଚଳିତ ପରମ୍ପରା ଅନୁସାରେ ରଥକୁ ଲୁହା ଶିକୁଳିରେ ଟାଣି ଥାନ୍ତି । ଆଉ ଏଠାରେ ଜଗତର ନାଥଙ୍କୁ ବାନ୍ଧିକି ପୂଜା କରାଯାଏ ।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର କାକଟପୁର ଗାଁ। ଏଠାରେ ରଥଯାତ୍ରା ପାଳନ ସମସ୍ତଙ୍କ ଠାରୁ ନିଆରା ଓ ଭିନ୍ନ। ରଥଯାତ୍ରାରେ ଜଗନ୍ନାଥଙ୍କ ରଥକୁ ଲୁହା ଚେନରେ ଟଣାଯାଏ। କେବଳ ସେତିକି ନୁହେଁ, ବର୍ଷ ତମାମ ଭାବ ବିନୋଦିଆ କାଳିଆ ସାଆନ୍ତଙ୍କୁ ବନ୍ଧାଯାଇ ରତ୍ନସିଂହାସନରେ ପୂଜା କରାଯାଇଥାଏ। ଏହାକୁ ନେଇ ମଧ୍ୟ ଏକ ଐତିହାସିକ ପୁରାଣ ଗାଥା ରହିଛି। 200 ବର୍ଷ ଆଗରୁ ଏହି ଗାଥା ରହିଥିବା କୁହାଯାଏ। ପ୍ରଥମେ ପ୍ରଭୁ ଜଗନ୍ନାଥ ଚମ୍ପାଗଡରେ ପୂଜା ପାଉଥିଲେ। ପରେ ବନ୍ଧପଡାର ଏକ ଭେଡାରେ ଲାଗିଥିଲା ରଥ। ସ୍ଥାନୀୟ ବାସୀ ଦିଅଁଙ୍କୁ ଆଣିବା ପରେ ବି ରଥ ଆପେ ଆପେ ଗଡିଚାଲିଥିଲା। ଯେଉଁଥି ପାଇଁ ରଥକୁ ବାନ୍ଧିବା ସହ ପ୍ରଭୁ ଜଗନ୍ନାଥଙ୍କୁ ବାନ୍ଧିକି ପୂଜା କରାଯାଏ ।