ବାଲେଶ୍ବର: ପୁଣି ବିପଦରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ । ଖବର ପ୍ରସାରଣ କରିବାରୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ । କୁଲଡିହା ସଂରକ୍ଷିତ ଜଙ୍ଗଲ ରେ କାଠ ମାଫିଆଙ୍କ ରାଜୁତି ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହୋଇଥିଲା ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର ଗଣମାଧ୍ୟମରୁ ଖବର ଜାଣି ବନ ବିଭାଗ ଉକ୍ତ ଜଙ୍ଗଲରେ ଚଢାଉ କରିବା ସହ ଅନେକ ପରିମାଣର କାଠ ଜବତ କରିଥିଲା । ବନ ବିଭାଗର ଏପରି ପଦକ୍ଷେପରେ ଉତକ୍ଷିପ୍ତ ହୋଇ କାଠ ମାଫିଆ ଟାର୍ଗେଟ କରିଥିଲେ ଗଣମାଧ୍ୟମ ପ୍ରତିନିଧିଙ୍କୁ ।
ଆଜି ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ପ୍ରଫୁଲ୍ଲ କୁମାର ମାଝୀ ଘରକୁ ଫେରୁଥୁବା ବେଳେ ଗରଡି ଛକଠାରେ କିଛିଚୋରା କାଠ ମାଫିଆ ସଂଘବଧ ହୋଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତ୍ବର ଭାବେ ଆକ୍ରମଣର ଶୀକାର ହୋଇଥିବା ପ୍ରଫୁଲ୍ଲଙ୍କୁ ପ୍ରଥମେ ବରହମପୁର ଓ ପରେ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି।
ସେପଟେ ଏହି ଘଟଣାକୁ ନେଇ ସମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ସାମ୍ବାଦିକ ସମୂହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ଦାଶ, ଇଟିଭି ଭାରତ