ସୁବର୍ଣ୍ଣପୁର: ଆଦିବାସୀ ଛାତ୍ରଛାତ୍ରୀମାନେ ପାଠ ପଢିବେ । ଭବିଷ୍ୟତ ଉଜ୍ଜଳ କରିବେ । ସେମାନଙ୍କ ବିକାଶ ହେବ । ଖାସ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୋଜନା କରୁଛନ୍ତି । ପାଠ ପଢା ପାଇଁ ଆବଶ୍ୟକ ଭିତ୍ତିଭୂମି ସ୍କୁଲ, ହଷ୍ଟେଲ ନିର୍ମାଣ କରୁଛନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲାରେ ଛାତ୍ରାବାସ ନିର୍ମାଣ ହେବାର ବର୍ଷ ବର୍ଷ ବିତିଯାଇଥିଲେ ବି ସେସବୁ ବ୍ୟବହାର ନହୋଇ ପଡିରହିଛି । ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ସବୁ ବ୍ୟବହାର କରୁ ନଥିବାରୁ ଏବେ ଭୂତ କୋଠି ପାଲଟି ଗଲାଣି । ଫଳରେ ଏହି ସବୁ ନିର୍ମିତ ଛାତ୍ରାବାସ ସବୁ ଖତ ଖାଉଛି ।
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାଏକପଡା ଗାଁରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ତିଆରି ହୋଇଛି ଏକ ଛାତ୍ରାବାସ । ପ୍ରାୟ 50 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ 100 ଛାତ୍ରଙ୍କ ପାଇଁ ଏହା ତିଆରି କରାଯାଇଛି । 2011 ମସିହାରୁ ଏହି ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ହେଲେ ଏହାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । 100 ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଚାରିପାର୍ଶ୍ବରେ ଅନାବନା ଗଛ ଉଠିଥିବାରୁ କୃତ୍ରିମ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । କେବଳ କୋଠାଟି ତିଆରି ହୋଇଛି । କିନ୍ତୁ ଛାତ୍ରାବାସ ପାଇଁ ବିଦ୍ୟୁତ, ପାନୀୟ ଜଳ, ରୋଷେଇ ସାମଗ୍ରୀ, ଶୋଇବା ଖଟ, ପିଲାଙ୍କ ପାଠ ପଢିବା ପାଇଁ ଟେବୁଲ ଚେୟାର ଆଦିର କୌଣସି ସୁବିଧା ଆଜି ଯାଏଁ କରାଯାଇ ପାରିନାହିଁ । ସେହିପରି ଉଲୁଣ୍ଡା ବ୍ଲକର ଉଲୁଣ୍ଡା ଏବଂ ବୀରମହାରାଜପୁର ବ୍ଲକର ମାଣିକପୁର ଗାଁରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ । ଏଠି ବି ସମାନ ଅବସ୍ଥା । ନିର୍ମାଣ ସରିଛି, ଆଉ ଛାତ୍ରୀ ନିବାସର ଉଦଘାଟନ ବି ସରିଛି । ହେଲେ ଇତି ମଧ୍ୟରେ ଆଠ ବର୍ଷରୁ ଅଧିକ ସମୟ ବିତିଥିଲେ ବି ଏଯାଏଁ ଛାତ୍ରୀ ନିବାସ କୌଣସି କାମରେ ଆସିପାରିନାହିଁ । ଫଳରେ ନିର୍ମାଣ ହୋଇଥିବା ଛାତ୍ରୀ ନିବାସ ସରକାରଙ୍କ ମୂଳ ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ।