କାବୁଲ: ଉତ୍ତର ଓ ପୂର୍ବ ଆଫଗାନିସ୍ତାନରେ ପ୍ରବଳ ବର୍ଷା ଜନିତ ବନ୍ୟା ଯୋଗୁ ଏଯାଏଁ 100 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ବୋଲି ଅଧିକାରୀମାନେ ବୁଧବାର କହିଛନ୍ତି। ଗ୍ରୀଷ୍ମ ସମୟରେ ଦେଶର ଉତ୍ତର ଏବଂ ପୂର୍ବ ଭାଗରେ ପ୍ରବଳ ବର୍ଷା ହୋଇଥାଏ, ଯଦ୍ବାରା ପ୍ରତିବର୍ଷ ଶହ ଶହ ଲୋକ ମୃତ୍ୟୁବରଣ କରନ୍ତି। ବନ୍ୟାପାଣି ଉତ୍ତର-ପୂର୍ବ ପ୍ରାନ୍ତୀୟ ସହର ଚାରିକଡରେ ପଶିବା ଯୋଗୁଁ ଅନେକ ଘର ଭୁଷୁଡି ପଡିଛି। ଫଳରେ ହଜାର ହଜାର ଲୋକେ ବାସହରା ହୋଇଥିବା ବେଳେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ବୋଲି ପର୍ଯ୍ୟାୟ ପରିଚାଳନା ରାଷ୍ଟ୍ରମନ୍ତ୍ରୀ ଗୁଲାମ ବହାଉଦ୍ଦିନ ବୁଧବାର ଏହି ସୂଚନା ଦେଇଛନ୍ତି ।
ଏପଟେ ସ୍ଥାନୀୟ ଡାକ୍ତରଖାନା ଆଂଶିକ ନଷ୍ଟ ହୋଇଯାଇ ଥିବାରୁ ଅନେକ ଆହତଙ୍କୁ ରାଜଧାନୀ କାବୁଲକୁ ସ୍ଥାନାନ୍ତର କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ତେବେ ଭୂଷୁଡି ପଡିଥିବା ଘର ତଳୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ପ୍ରାଦେଶିକ ଡାକ୍ତରଖାନାର ମୁଖ୍ୟ ଅବଦୁଲ କ୍ବାସିମ ସଙ୍ଗିନ କହିଛନ୍ତି । ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି ଏବଂ ଆହତଙ୍କ ଅବସ୍ଥା ଗୁରୁତର ରହିଛି।