ବ୍ରହ୍ମପୁର:ବାହାଘର ପାଇଁ ବର ବେଶରେ ସଜେଇ ହେଉଥିଲା ଯୁବକ । ହେଲେ ପୂର୍ବରୁ ପ୍ରଶାସନ ପକ୍ଷରୁ କରାଯାଇଥିବା କୋଭିଡ ପରୀକ୍ଷା ରିପୋର୍ଟ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ବାହାଘର ବନ୍ଦ କରି ବରକୁ ସଂଗରୋଧରେ ରହିବାକୁ କୁହାଯାଇଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ ଟି . ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦସେଇପୁର ଗ୍ରାମରେ । ବରକୁ କୋଭିଡ୍ ପଜିଟିଭ ରହିଥିବା ବେଳେ ପରିବାର ଲୋକେ ବାହାଘର ପାଇଁ ସଜାଗ ହେଉଥିବା ବେଳେ ଖବର ପାଇ ବ୍ଳକ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମରେ ପହଞ୍ଚି ବାହାଘର ବନ୍ଦ କରିଥିବା ସୂଚନା ମିଳିଛି ।
ସୂଚନାନୁଯାୟୀ, ବର ଜଣଙ୍କ ନିଜ ବାହାଘର ପାଇଁ ଗତ ୧୭ ତାରିଖରେ କୋଭିଡ୍ ଟେଷ୍ଟ କରାଇଥିବା ବେଳେ ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହା ସତ୍ତ୍ବେ ପରିବାର ଲୋକେ ଘଟଣା ସମ୍ପର୍କରେ କନ୍ୟା ଘର କିମ୍ବା ଗ୍ରାମବାସୀଙ୍କୁ ନଜଣାଇ ବାହାଘର ପାଇଁ ପ୍ରସ୍ତୁତି ଚଳାଇଥିଲେ । ତେବେ ଏହି ଖବର ପାଇବା ପରେ ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଏବଂ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ବାହାଘରକୁ ସ୍ଥଗିତ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଉଭୟ ପରିବାରର ସଦସ୍ୟ ମାନଙ୍କୁ ବୁଝାସୁଝା କରିବା ସହ ବର ଜଣଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାର ୩୦ ଦିନ ପରେ ସମ୍ପୂର୍ଣ୍ଣ ପରିବାର କୋଭିଡ ପରୀକ୍ଷା କରାଇ ବାହାଘର କରାଇବା ପାଇଁ ସଚେତନ କରାଇଛନ୍ତି ।