ଖୋର୍ଦ୍ଧା: ଗାଁ ଗାଁରେ ପହଞ୍ଚିବ ବିକାଶ । ଏଥିପାଇଁ ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହି ସବୁ ସରକାରୀ ଯୋଜନାର ବାସ୍ତବିକତାର ପ୍ରମାଣ ଦେଉଛି ଖୋର୍ଦ୍ଧା ଜିଲ୍ଲା କଳାଙ୍ଗ ପଞ୍ଚାୟତର ଚଲଣାପଡା ଗାଁ । ରାଜଧାନୀଠାରୁ ମାତ୍ର 60 କିମି ଦୂରରେ ଥିବା ଏହି ଗାଁକୁ ଅଛି ନା ରାସ୍ତା ନା ପାଣିର ବ୍ୟବସ୍ଥା । ଗାଁରେ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ସେବା ପାଇଁ ଗାଁକୁ ଆମ୍ବୁଲାନ୍ସଟିଏ ଆସିପାରେ ନାହେଁ । ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ । ଏମିତି ପରିସ୍ଥିତିରେ ଗାଁରେ ଭଲ ରାସ୍ତାଟିଏ ପାଇଁ ନିଜେ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ ।
ଏହାଛଡା ଗ୍ରାମବାସୀଙ୍କ ପାଇଁ ପାଣି ଆଉ ଏକ ମୁଖ୍ୟ ସମସ୍ୟା ପାଲିଟିଛି । ଗାଁରେ ନା ଅଛି କୂଅ ନା ପୋଖରୀ । ସେଠାରେ ଥିବା ଗୋଟିଏ ମାତ୍ର ନଳକୂପ 150ରୁ ଊର୍ଦ୍ଧ୍ବ ଲୋକଙ୍କ ଶୋଷ ମେଣ୍ଟାଇବା ସହ ଗାଧୁଆ ଓ ଅନ୍ୟାନ୍ୟ କାମ ପାଇଁ ଏହି ପାଣିର ବ୍ୟବହାର କରିଥାନ୍ତି । ସେହିପରି ଗାଁ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ନକହିବା ଭଲ । କୁନି କୁନି କୋମଳମତି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ରଟିଏ ମଧ୍ୟ ନାହିଁ ଏଠାରେ ।