ଭୁବନେଶ୍ବର: ଆଜିକୁ ତିନି ସପ୍ତାହ ତଳେ ଆସିଥିବା ସାମୁଦ୍ରିକ ଝଡ ଫନି ଚାଲିଯାଇଛି ସତ । ହେଲେ ଫନି ଏମିତି ଚୋଟ ମାରି ଛାଡିଯାଇଛି ଯେ ଆଜି ପର୍ଯ୍ୟନ୍ତ ସ୍ବାଭାବିକ ଅବସ୍ଥାକୁ ଆସି ପାରିନାହିଁ ରାଜଧାନୀ ଭୁବନେଶ୍ବର । ଭୟଙ୍କର ଫନି ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିଲେ । ବାତ୍ୟା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସରକାର ଭୁବନେଶ୍ବରରେ ପ୍ରାୟ 6 ୟୁନିଟ ଓଡ୍ରାଫ ଟିମ ମୁତୟନ କରିଥିଲେ ।
ଏହି ଦଳ ଯୋଜନାବଦ୍ଧ ଭାବେ ଭୁବନେଶ୍ବରରେ ଫନି ମାଡରେ ଶୋଇଯାଇଥିବା ବଡବଡ ଗଛ ସବୁ କାଟି ସଫା କରିବା ସହ ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ଏହାସହ ନିଜ ଜୀବନକୁ ବାଜିରେ ଲଗାଇ ଓଡ୍ରାଫ ସଦସ୍ୟମାନେ ସବୁ ପ୍ରତିକୂଳ ପରିସ୍ଥିତିରେ ନିଜ କର୍ତ୍ତବ୍ୟକୁ ତୁଳାଇଥିଲେ । ଦୀର୍ଘ 18 ଦିନଧରି ରାତିଦିନ ଏକକରି ଓଡ୍ରାଫ ଯେଉଁ ସାହାସିକତା ଦେଖାଇ ଭୁବନେଶ୍ବରର ସ୍ଥିତି ସ୍ବାଭାବିକ କରିପାରିଲେ ସେଥିପାଇଁ ଆଜି ଓଡ୍ରାଫ ବାହିନୀକୁ ସଲାମ କରିଛନ୍ତି ପୋଲିସ କମିଶନର ।