ବାଲେଶ୍ବର: ବକେୟା ବିଲ ନ ମିଳିବାରୁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ ଜଣେ ଠିକାଦାର । ଏଭଳି ଘଟଣା ବାଲେଶ୍ବର ଜିଲ୍ଲା ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ଯାଳୟରେ ଦେଖିବାକୁ ମିଳିଛି ।
ଭିିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ସୂଚନାନୁସାରେ, ଠିକାଦାର ଲୋକନାଥ ଜେନା 'ଗ' ଶ୍ରେଣୀର ଠିକାଦାର ଭାବେ ଜଳେଶ୍ବର ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧୀନରେ କାର୍ଯ୍ୟ କରୁଥିଲେ । ମାତ୍ର ଲୋକନାଥ 25 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କାର୍ଯ୍ୟ କରିସାରିଥିବାବେଳେ ବକେୟା ବିଲର ପେମେଣ୍ଟକୁ ନେଇ ଏବେ ଉଠିଛି ସମସ୍ୟା ।
ବିଲ ପାସ କରିବାକୁ ବିଭାଗର କୋଷାଧ୍ୟକ୍ଷ ବିରେନ୍ଦ୍ର ନାଥ ସାହୁ 5 ପ୍ରତିଶତ ପିସି ମାଗିଥିବା ଠିକାଦାର ଅଭିଯୋଗ କରିଛନ୍ତି । ଠିକାଦାର ଜଣକ ପିସି ଦେବାକୁ ମନା କରିବାରୁ କୋଷାଧ୍ୟକ୍ଷ ଅନୁସୂଚିତ ଜାତିର ଠିକାଦାରଙ୍କୁ ବିଭିନ୍ନ କଦର୍ଯ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ବିଲ ପାସ୍ କରିବାକୁ ମନା କରିଦେଇଥିଲେ ।
ଅନ୍ୟପଟେ ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷଜନକ ନିଷ୍ପତ୍ତି ନନେବାରୁ ଗତ 7 ଦିନ ତଳେ ଆମରଣ ଅନଶନ କରିବାକୁ ଚେତାବନୀ ଦେଇଥିଲେ ୲ ଚେତାବନୀର ଅବଧି ସୀମା ସରିଯାଇଥିବାବେଳେ ତାଙ୍କ କାମ ସରିନଥିବାରୁ ଆଜି ଠାରୁ ଠିକାଦାର ଆମରଣ ଅନଶନ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ