ଭୁବନେଶ୍ବର: ସାମୁଦ୍ରିକ ଝଡ ‘ଫନି’ ରାଜ୍ୟର ଉପକୂଳରେ ବ୍ୟାପକ ଧ୍ବସଂ ରଚି ଯାଇଛି । ଯେଉଁଥିପାଇଁ ବାତ୍ୟାର 3ଦିନ ପରେ ମଧ୍ୟ ଭୁବନେଶ୍ବର, ପୁରୀ, କେନ୍ଦ୍ରାପଡା, ଜଗତସିଂହପୁର ଓ କଟକରେ ନାହିଁ ନଥିବା ଦୁର୍ଦ୍ଦଶା । ନା ଅଛି ବିଜୁଳି ନା ଅଛି ପାଣି ନା ଅଛି ମୋବାଇଲ ସେବା । ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଠିକ୍ ଭାବେ ମିଳିପାରୁ ନାହିଁ ଯଦ୍ବାରା ସଂପୃକ୍ତ ଅଞ୍ଚଳରେ ଏବେ ହାହାକାର । ଅନ୍ୟପଟେ ରାଜ୍ଯ ସରକାର ପାଣି, ବିଜୁଳି, ଗମନା ଗମନ ଓ ଯୋଗାଯୋଗ କ୍ଷେତ୍ରରେ ସ୍ବାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ ତୁହାକୁ ତୁହା ସମୀକ୍ଷା କରୁଛନ୍ତି ।
ଆଜି ପୁଣି ସ୍ବତନ୍ତ୍ର ଭାବେ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲା ପାଇଁ ମୁ୍ଖ୍ୟମନ୍ତ୍ରୀ ସଚିବାଳୟରେ ସମୀକ୍ଷା କରିବା ସହ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଯେମିତି ରିଲିଫ୍ ଠିକ ସମୟରେ ଲୋକଙ୍କୁ ମିଳିପାରିବ ତାହା ଉପରେ ଧ୍ୟାନ ଦେବାକୁ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକ ପରେ ଶକ୍ତି ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଆଜି ସୁଦ୍ଧା କେନ୍ଦ୍ରାପଡାରେ 75 ପ୍ରତିଶତ ବିଜୁଳି ଯୋଗାଣ ହୋଇଛି ଏବଂ 3ରୁ4ଦିନ ମଧ୍ୟରେ କେନ୍ଦ୍ରାପଡାରେ ବିଜୁଳି ଯୋଗାଣ ଶତ ପ୍ରତିଶତ ସଂପୂର୍ଣ୍ଣ ହୋଇଯିବ ।
ଏହାସହ ଜଗତସିଂପୁରର ଜିଲ୍ଲାର ପାରାଦୀପରେ ବିଜୁଳି ଯୋଗାଣ ସଂପୂର୍ଣ୍ଣ ହୋଇଯାଇଛି ତେବେ ଜଗତସିଂହପୁର ସହରରେ 50 ପ୍ରତିଶତ ହୋଇପାରିଛି ଆଉ 50 ପ୍ରତିଶତ ପାଇଁ ପ୍ରାୟ ଚାରିରୁ ପାଞ୍ଚ ଦିନ ସମୟ ଲାଗିଯିବ ବୋଲି କହିଛନ୍ତି ଶକ୍ତି ସଚିବ ।