ଭୁବନେଶ୍ବର: ରାଜ୍ଯ ରାଜନୀତି ଇତିହାସରେ ଚଳିତ ଷୋଡଶ ବିଧାନସଭା ଅନେକ ଗୁରୁତ୍ବପୂର୍ଣ୍ଣ ହେବ । ରାଜନୀତି, ଅର୍ଥନୀତି, ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ଘଟିବ ବୋଲି ରାଜ୍ୟବାସୀ ଆଶାବାଦୀ । ସେହିଦୃଷ୍ଟିରୁ ଚଳିତ ବିଧାନସଭାରେ ସରକାର ସମେତ ବିରୋଧୀ ମଧ୍ୟ ମଜବୁତ ହେବାର ଆବଶ୍ୟକତା ଅଛି । କାରଣ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ନୀତି ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ ତେଣୁ କେନ୍ଦ୍ର ସରକାର ସଂଘୀୟ ବ୍ୟବସ୍ଥା ଅନୁଯାୟୀ ସମସ୍ତ ରାଜ୍ୟକୁ ଗୁରୁତ୍ବ ଦେବା ସ୍ପଷ୍ଟ ହୋଇଯାଇଛି ।
ତେବେ ରାଜ୍ୟର ପୂର୍ଣ୍ଣାଙ୍ଗ ବିକାଶ କରିବାକୁ ହେଲେ ଏଠି ଶାସକ ଦଳର ଯେତିକି ଭୂମିକା ରହିବ ସେତିକି ବିରୋଧୀଙ୍କ ମଧ୍ୟ । ଯେଉଁରାଜ୍ୟରେ ବିରୋଧୀ ଯେତେ ଶକ୍ତିଶାଳୀ ହେବ ସେହି ରାଜ୍ୟର ବିକାଶ ସେତିକି ତ୍ବରାନ୍ବିତ ହେବ । ଯେତେବେଳେ ସରକାର ନିତି ନିୟମ ଭୁଲି ଅସାମ୍ବିଧାନିକ କାର୍ଯ୍ୟକରନ୍ତି ସେହି ସମୟରେ ବିରୋଧୀ ସରକାରଙ୍କୁ ବାଟକୁ ଆଣି ସଚେତନ କରିଥାନ୍ତି । ହେଲେ ସ୍ବାଭାବିକ ଭାବେ ହେଉ ବା ଯୋଜନାବଦ୍ଧ ହେଉ ଗତ କିଛି ବର୍ଷର ଶାସନକୁ ଅନୁଶୀଳନ କଲେ ରାଜ୍ୟରେ ଯେ ବିରୋଧୀ ସବୁବେଳେ ସରକାରଙ୍କ ବୋଲକରା ସାଜିଛନ୍ତି ତାହା ସ୍ପଷ୍ଟ ଭାବେ ଜଣାପଡୁଛି ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଆସିଛି । ଏହା ଗଣତନ୍ତ୍ର ପାଇଁ ରାଜ୍ୟବାସୀଙ୍କ ପାଇଁ ଶୁଭଙ୍କର ନୁହେଁ ହେଲେ ରାଜନୈତିକ ଦଳଙ୍କ ପାଇଁ ସ୍ବାର୍ଥ ହାସଲର ମାଧ୍ୟମ ପାଲଟିଛି ।
ଘଟଣା 2014 ମସିହାର ଚତୁର୍ଦ୍ଦଶ ବିଧାନସଭାର ବିରୋଧୀ ଦଳ ନେତା ଥିବା ତତ୍କାଳୀନ ବିରୋଧୀ ଦଳ ନେତା ଥିବା ଭୁପିନ୍ଦର ସିଂ ନିଜ ଦଳ ପରିତ୍ୟାଗ କରି ଶାସକ ବିଜୁ ଜନତା ଦଳରେ ମିଶିଗଲେ । ଆଉ ବିଡମ୍ବନା ଥିଲା ସେ ନିଜ ପ୍ରତିକ୍ରିୟାରେ କହିଲେ ସେ କେବଳ ବିରୋଧୀ ଦଳ ଭୂମିକା ନିଭାଉଥିଲେ କେବେ ଶାସକ ଦଳକୁ ସମାଲୋଚନା କରୁନଥିଲେ ଯାହା ଗଣତନ୍ତ୍ର ପାଇଁ ବିପଦ ମନେ ହୁଏ । ଗଠନ ମୂଳକ କାର୍ଯ୍ୟରେ କିମ୍ବା ରାଜ୍ୟର କୌଣସି ବୃହତ୍ତର ସ୍ବାର୍ଥ ପାଇଁ ସରକାରଙ୍କ ସହ ମିଶିବା ଉଚିତ ହେଲେ ଏଠି ନିଜ ସ୍ବାର୍ଥ ପାଇଁ ସବୁ କିଛି ଜଳାଞ୍ଜଳି ଦେଇ ବିରୋଧୀ ଦଳ ସରକାରଙ୍କ ସହ ମିଶି ଯାଉଛନ୍ତି ।
ଘଟଣା ନଂ ଦୁଇ - ପଞ୍ଚଦଶ ବିଧାନସଭାରେ ବିରୋଧୀ ଦଳ ନେତା ହୋଇଥିଲେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର । କିଛିଦିନ ପର୍ଯ୍ୟନ୍ତ ନରସିଂହ ନିଜ ଦାୟିତ୍ବ ଠିକ ଭାବେ ତୁଳାଇଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ସିଧାସଳଖ ସମ୍ପର୍କ ଥିବା ଖୋଦ ତାଙ୍କ ନିଜ ଦଳରୁ ଅଭିଯୋଗ ହେଲା । ଯାହା କେତେକ ଘଟଣାରୁ ସ୍ପଷ୍ଟ ମଧ୍ୟ ହୋଇଥିଲା ।
ଘଟଣା ନଂ- ତିନି- ଷୋଡଶ ବିଧାନସଭାରେ ମୁଖ୍ୟ ବିରେଧୀ ଦଳର ମାନ୍ୟତା ପାଇଲା ବିଜେପି । ଆଉ ରାଜ୍ୟବାସୀଙ୍କ ଆଶା ଥିଲା ବିଜେପି ସରକାରଙ୍କୁ ଠିକ ମୁକାବିଲା କରିବ । ଆଉ ରାଜ୍ୟ ସ୍ବାର୍ଥ ପାଇଁ ଲଢେଇ କରିବ , କିନ୍ତୁ ଗତକାଲି ବିରୋଧୀ ଦଳ ନେତା ଚୟନ ପରେ ସ୍ପଷ୍ଟ ହୋଇଛି ଯେ ପୂର୍ବତନ ବିରୋଧୀ ଦଳ ନେତାଙ୍କୁ ଯେମିତି ସରକାର ନିଜ ନିୟନ୍ତ୍ରଣରେ ରଖୁଥିଲେ ବର୍ତ୍ତମାନର ବିରୋଧୀ ଦଳନେତାଙ୍କୁ ମଧ୍ୟ ନିଜ ଇଛା ଅନୁଯାୟୀ ଚୟନ କରିଥିବା ସ୍ପଷ୍ଟ ହୋଇଛି । ସିଧା କହିବାକୁ ଗଲେ ବିରୋଧୀ ଦଳ ନେତା ଚୟନ ଉଭୟ ବିଜେଡିଓ ବିଜେପିର ରାଜ୍ୟ ନେତୃତ୍ବ ମିଳିମିଶି ଚୟନ କରିଥିବା ସନ୍ଦେହ କରାଯାଉଛି ।
କାରଣ ଏହି ପଦ ପାଇଁ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁରର ବିଧାୟକ ମୁଖ୍ୟ ଦାବିଦାର ଥିଲେ । ଅଭିଜ୍ଞତା ବରିଷ୍ଠତା ଦୃଷ୍ଟିରୁ ଜୟ ବିରୋଧୀ ଦଳ ନେତା ହେବା ଏକ ପ୍ରକାର ନିଶ୍ଚିତ ତାଙ୍କ ସମର୍ଥକ ମାନେ କହୁଥିଲେ । ହେଲେ ଗତକାଲି ଭବାନିପାଟଣା ବିଧାୟକ ପ୍ରଦିପ୍ତ ନାୟକଙ୍କୁ ଏହି ପଦରେ ବସାଯାଇଛି । ତେବେ କାହିଁକି ଜୟ ମିଶ୍ରଙ୍କୁ ଅଣଦେଖା କଲା ଦଳ? କେଉଁ କାରଣ ପାଇଁ ବିରୋଧୀ ଦଳ ନେତା ଦୌଡରୁ ବାଦ ପଡିଲେ ଜୟ ମିଶ୍ର? କେଉଁ ଆଧାରରେ ବିରୋଧୀ ଦଳ ନେତା ଚୟନ କରାଯାଇଛି । ଯଦିଓ ଏହା ବିଜେପି ଦଳର ଆଭ୍ୟନ୍ତରୀଣ ବ୍ୟାପାର ସେମାନେ କାହାକୁ କେଉଁ ପଦ ଦେବେ ତେହା ତାଙ୍କ ଦଲୀୟ ନେତୃମଣ୍ଡଳୀ ନିଷ୍ପତ୍ତି ନେବେ । ହେଲେ ବିରୋଧୀ ଦଳ ନେତା ଚୟନ ଯେଉଁ ଢଙ୍ଗରେ ଚୟନ କରାଯାଇଛି ତାହା ଏବେ ଖାଲି ବିଜେପି ନୁହେଁ ସାଧାରଣ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ।