ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ଵ ଦେଇ ଆସୁଛନ୍ତି । ଗତକାଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଉପରେ ଗୁରୁତ୍ବାରୋପ କରି ଦଳ, ମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ଭାଇ ଭଉଣୀ ଓ ଗୁରୁଜନଙ୍କୁ ଟେଷ୍ଟିଂ ଅଭିଯାନରେ ସାମିଲ ହୋଇ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଏକ ଭିଡ଼ିଓ ବାର୍ତା ମାଧ୍ୟମରେ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ଵାରା ପ୍ରେରିତ ହୋଇ ଭାରତୀୟ ଜନତା ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ ଓଡ଼ିଶାର ଯୁବବର୍ଗଙ୍କୁ ଏହି ଅଭିଯାନର ମଙ୍ଗ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ‘ମୋ ବୁଥ – କୋରୋନା ମୁକ୍ତ” କରିବାକୁ ଆହ୍ବାନ ଦେଇଛନ୍ତି ।
କୋରୋନା ମହାମାରୀର ଦ୍ଵିତୀୟ ଲହରରେ ଓଡ଼ିଶାର ଜନଜୀବନ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି ସଂକ୍ରମଣର ଶୃଙ୍ଖଳାକୁ ଭାଙ୍ଗିବା ପାଇଁ ଟ୍ରେନିଂ, ଟେଷ୍ଟିଂ ଓ ଟ୍ରିଟମେଣ୍ଟର ସର୍ବାଧିକ ଆବଶ୍ୟକତା ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଓଡ଼ିଶା ସରକାର ଏଥିରେ ପଛୁଆ ଅଛନ୍ତି । ସର୍ବଭାରତୀୟ ସ୍ତରରେ ପରିସଂଖ୍ୟାନ ଅନୁଯାୟୀ, ମେ ମାସରେ ଅଦ୍ୟାବଧି ମିଳିଥିବା ତଥ୍ୟ ଅନୁସାରେ ଭାରତରେ ପ୍ରତି ୧ ଲକ୍ଷରେ ହାରାହାରି ୧୪୬ ଲୋକଙ୍କୁ ଟେଷ୍ଟିଂ କରାଯାଉଛି । ଓଡ଼ିଶାରେ ଜନସଂଖ୍ୟା ୪.୫ କୋଟିରୁ ଊର୍ଦ୍ଧ୍ବ ଥିଲେ ମଧ୍ୟ ଗତ ୧୭ ଦିନ ମଧ୍ୟରେ ହାରାହାରି ପ୍ରତ୍ୟେକ ୧ ଲକ୍ଷ ଜନସଂଖ୍ୟାରେ ୧୨୦ ଲୋକଙ୍କୁ ପରୀକ୍ଷା କରାଯାଉଛି ଠିକ୍ ସେହି ସମୟରେ କେରଳରେ ହାରାହାରି ୩୯୦ ଲୋକଙ୍କ ପରୀକ୍ଷା ହେଉଥିବାବେଳେ ଦିଲ୍ଲୀରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪୧୭ ଜଣଙ୍କୁ ପରୀକ୍ଷା କରାଯାଉଛି । ସେହିଭଳି ଓଡ଼ିଶାର ପଡୋଶୀ ରାଜ୍ୟମାନଙ୍କରେ ଓଡ଼ିଶାଠାରୁ ମଧ୍ୟ ମାତ୍ରାଧିକ ଟେଷ୍ଟିଂ ହୋଇଛି |