ଢେଙ୍କାନାଳ: ପ୍ରବାସୀଙ୍କ ଫେରିବା ପରେ ରାଜ୍ୟରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏପଟେ ଢେଙ୍କାନାଳ ଜିଲ୍ଲା ଭୁବନରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଭୁବନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨କୁ ଛୁଇଁଥିବାବେଳେ ଭୁବନ NACରେ ସଂକ୍ରମିତଙ୍କ ସଂଖ୍ୟା ୧୩୩କୁ ବୃଦ୍ଧି ପାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀ ବୈଠକ ଡାକିଥିଲେ ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା । ଏହି ବୈଠକ ଭୁବନ NAC କାର୍ଯ୍ୟାଳୟସ୍ଥିତ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଢେଙ୍କାନାଳ ଜିଲ୍ଲା ସିଡିଏମଓ, ଢେଙ୍କାନାଳ ପି.ଡି, କାମାକ୍ଷାନଗର ଉପଜିଲ୍ଲାପାଳ, ଏସ୍.ଡି.ପି.ଓ, ଭୁବନ ଥାନାଧିକାରୀ, ଭୁବନ ବିଡିଓ, ଭୁବନ ସିଡିପିଓ, ଭୁବନ ଅଗ୍ନିଶମ ବିଭାଗ ଅଧିକାରୀ, ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଏବଂ ଭୁବନ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ଜିଲ୍ଲାରେ ସଂକ୍ରମଣକୁ କିପରି ଭାବରେ ରୋକାଯାଇ ପାରିବ ଏବଂ ଅଧିକରୁ ଅଧିକ କୋରୋନା ଟେଷ୍ଟ କରାଯିବ, ସେଥିପ୍ରତି ଗୁରୁତ୍ବ ଦିଆଯାଇଥିଲା ।