ୱାଶିଂଟନ:ରୁଷ ଆକ୍ରମଣରେ ଧରାଶାୟୀ ହେବାକୁ ବସିଥିବା ୟୁକ୍ରେନ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଯୁଦ୍ଧ ଜାରି ରଖିଛି । ୟୁରୋପୀୟ ଦେଶ ସମେତ ଅନ୍ତର୍ଜାତୀୟ ସ୍ତରରେ ସହାୟତା ମାଗି ଆସୁଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଜି ଆମେରିକା ସଂସଦ (କଂଗ୍ରେସ) କୁ ସମ୍ବୋଧନ କରିଛନ୍ତି । ଭର୍ଚ୍ଚୁଆଲି ସଂସଦକୁ ସମ୍ବୋଧନ କରି ଜେଲେନସ୍କି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଗୃହକୁ ଅବଗତ କରିବା ସହ ଋଷ ବିରୋଧି ଲଢେଇରେ ଆମେରିକା ସହୟତା ଯୋଗାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ।
ଆହୁରି ମଧ୍ୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପର୍ଲ ହାର୍ବର୍ ଏବଂ ସେପ୍ଟେମ୍ବର 11, 2001 ରେ ଆମରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ବିଷୟରେ ଉଲ୍ଲେଖ କରିବାକୁ ଭୁଲିନାହାନ୍ତି । ସେହିପରି ଋଷ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ତେଣୁ ବର୍ତ୍ତମାନ ସମୟରେ ୟୁକ୍ରେନ ଲଢେଇ ଜାରି ରଖିବା ପାଇଁ ସେ ଆମେରିକାର ସହାୟତା ଚାହୁଁଛନ୍ତି । ସେହିପରି ଆମେରିକା ଋଷ ଉପରେ ଲଗାଇଥିବା ଆର୍ଥିକ କଟକଣା ନିଷ୍ପତ୍ତିକୁ ଜେଲେନସ୍କି ପ୍ରଶଂସା କରିବା ସହ ଏପରି ଆହୁରି ଅନ୍ତର୍ଜାତୀୟ କଟକଣା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ।