କିଭ: ଜର୍ମାନୀରେ ଆୟୋଜିତ ଜି-7 ସମ୍ମିଳନୀ (G7 Summit)କୁ ସମ୍ବୋଧିତ କରିବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି । ରାଜଧାନୀ କିଭରୁ ଭର୍ଚ୍ଚୁଆଲି ସେ ଏହି ବୈଶ୍ବିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମ୍ବୋଧନରେ ସେ ଜି-7 ସଦସ୍ୟ ରାଷ୍ଟ୍ରଙ୍କୁ ଋଷ ବିରୋଧୀ ଯୁଦ୍ଧରେ ତ୍ବରିତ ସହଯୋଗ ପାଇଁ ସହୟତା ମାଗିପାରନ୍ତି । ଅଧିକ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଦି ଯୋଗାଇବା ସହ ଋଷ ବିରୋଧରେ ଆର୍ଥିକ କଟକଣାକୁ ଆହୁରି ବ୍ୟାପକ କରିବା ପାଇଁ ନିବେଦନ ମଧ୍ୟ କରିପାରନ୍ତି ଜେଲେନସ୍କି ।
ଗତକାଲି ସେ ନିଜ ଦେଶ ୟୁକ୍ରେନକୁ ସମ୍ବୋଧିତ କରିଥିଲେ । ଏହି ସମ୍ବୋଧନରେ ସେ ଅସ୍ତ୍ରଶସ୍ତ୍ର ଯୋଗାଣ ଅଭାବ କଥା ଉଠାଇବା ସହ ଏହା ଋଷକୁ ମୁକାବିଲା କରିବା ଦିଗରେ ଆହ୍ବାନ ସୃଷ୍ଟି କରୁଛି ବୋଲି କହିଥିଲେ । ଯୁଦ୍ଧ ଆରମ୍ଭରୁ ୟୁକ୍ରେନକୁ ଅନେକ ପାଶ୍ଚାତ୍ୟ ଦେଶ ସାମରିକ ସହଯୋଗ ଯୋଗାଇ ଆସୁଛନ୍ତି । ଏବେ ମଧ୍ୟ ଯୁଦ୍ଧ ଜାରି ରହିଥିବାବେଳେ, ନିରନ୍ତର ସହଯୋଗ ଆଶା କରୁଛି ୟୁକ୍ରେନ । ଚଳିତ ଥରର ଜି-7 ସମ୍ମିଳନୀର ଆୟୋଜନ ଭାର ଜର୍ମାନୀ ନେଇଛି । ଜର୍ମାନୀ ମଧ୍ୟ ପୂର୍ବରୁ ୟୁକ୍ରେନକୁ ସମର୍ଥନ ନିଶ୍ଚିତ କରିସାରିଥିବା ବେଳେ ଋଷର ଆକ୍ରମଣ ନିଷ୍ପତ୍ତିକୁ ମଧ୍ୟ ନିନ୍ଦା କରିସାରିଛି ।