ପାଟନା:ମୁଖ ଓ କେଶ ସୁନ୍ଦର ନଥିବାରୁ ବାରମ୍ବାର ଥଟ୍ଟା ଓ ପରିହାସର ଶିକାର ହୋଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବିବାହ ନାଳନ୍ଦା ଜିଲ୍ଲାରୁ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୋଲିସ ଏସମ୍ପର୍କରେ ଏପରି କିଛି କହିନଥିବା ବେଳେ ଯୁବକଙ୍କ ହାତଲେଖା ସୁଇସାଇଡାଲ ନୋଟରେ ଆତ୍ମହତ୍ୟାର କାରଣ ଲେଖାଯାଇଥିବା ପରିବାର ଓ ପଡୋଶୀଙ୍କଠାରୁ ସୂଚନା ମିଳିଛି । ଯୁବକଙ୍କ ମୁଁହ ଓ କେଶ ଅସୁନ୍ଦର ଥିବାରୁ ସେ ସମାଜରେ ଥଟ୍ଟା ପରିହାସର ଶିକାର ହେଉଥିଲେ । ତେଣୁ ସେ ଏହି କାରଣରୁ ଆତ୍ମହତ୍ୟା କରୁଥିବା ନୋଟରେ ଲେଖିଥିବା ଚର୍ଚ୍ଚା ହେଉଛି । ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ନିବାସୀ 25 ବର୍ଷୀୟ ବିଜୟ ନିଜ ମୁଖ ଓ କେଶ ପାଇଁ ଲୋକଙ୍କ ଦ୍ବାରା ଥଟ୍ଟା ପରିହାସର ଶିକାର ହେଉଥିଲେ । ଏନେଇ ସେ ବିବ୍ରତ ଓ ଅବସାଦଗ୍ରସ୍ତ ମଧ୍ୟ ହୋଇଯାଇଥିଲେ । ସେ ଚାପରେ ଥିବା ପରିବାର ସଦସ୍ୟ ଜାଣିପାରି ନିକଟରେ ତାଙ୍କୁ ବୁଝାସୁଝା ମଧ୍ୟ କରିଥିଲେ । ହେଲେ ସେ ଏପରି ଚରମ ପଦକ୍ଷେପ ଗ୍ରହଣ କରିବେ ବୋଲି ପରିବାର ସଦସ୍ୟ କେବେ କଳ୍ପନା ମଧ୍ୟ କରିନଥିଲେ । ଗତକାଲି ଯୁବକଜଣଙ୍କ ନିଜ ଭଉଣୀଙ୍କ ଘରକୁ ଯାଇଥିଲେ । ସେଠାରେ ରାତ୍ରୀଯାପନ କରିବେ ବୋଲି କହିଥିଲେ । ହେଲେ ରାତିରେ ସେଠାରେ ସେ କାଗଜରେ ଏପରି କିଛି କାରଣ ଲେଖି ଆତ୍ମହତ୍ୟା କରିଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହେବା ସହ ହାତଲେଖା ସୁଇସାଇଡାଲ ନୋଟ ମଧ୍ୟ ମିଳିଛି ।