ଜୟପୁର:ରାଜସ୍ଥାନ ଉଦୟପୁର ଜିଲ୍ଲା ମଣ୍ଡି ଥାନା ଅଞ୍ଚଳରେ ଆଜି ଯୁବକଙ୍କୁ ଦିନ ଦ୍ବିପ୍ରହରରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଯୁବକ ଜଣକ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହାକୁ ନେଇ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି ।
ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକ ସ୍ଥାନୀୟ ଅଞ୍ଚଳର କହ୍ନେୟା ଲାଲ୍ ସାହୁ ବୋଲି ଜଣାପଡ଼ିଛି । ଧାରୁଆ ଅସ୍ତ୍ରରେ ତାଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ବ୍ୟକ୍ତିଗତ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି ।
ତେବେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମତ ରଖିବା ପରେ ତାଙ୍କୁ ଏକ ଗୋଷ୍ଠୀ ପକ୍ଷରୁ ଲଗାତାର ଧମକ ଦିଆଯାଉଥିଲା । ଏହାକୁ ନେଇ ଯୁବକ ଜଣକ କିଛି ଦିନ ହେଲା ଦୋକାନ ମଧ୍ୟ ଖୋଲୁନଥିଲେ । ଆଜି ଦୋକାନ ଖୋଲିବା ପରେ ଦୁଇଜଣ କପଡ଼ା ସିଲେଇ କରିବା ବାହାନାରେ ତାଙ୍କ ଦୋକାନକୁ ଆସିଥିଲେ । ସେ ମାପ ନେଉଥିବାବେଳେ ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି ।
ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସମ୍ବେଦନଶୀଳ ରହିଛି । ଏହାକୁ ନେଇ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପୋଲିସ ସମସ୍ତ ସ୍ଥିତି ଉପରେ ନଜର ରଖିଛି ବୋଲି କହିଛନ୍ତି ଉଦୟପୁର ADG । ଏହାକୁ ନେଇ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି । କୌଣସି ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ସମସ୍ତ SP ଓ IGଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସେପେଟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ କହିଛନ୍ତି ଯେ, "ଏଭଳି ଘଟଣା ଅତି ଦୁଃଖଦାୟକ ଓ ଲଜ୍ଜ୍ୟାଜନକ । ଆଜି ଦେଶରେ ଉତ୍ତେଜନାର ମାହୋଲ ରହିଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଦେଶକୁ ସମ୍ବୋଧନ କରିବା ଆବଶ୍ୟକ ରହିଛି । ଏଭଳି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୋଦି ସମ୍ବୋଧନ କରନ୍ତୁ । ଶାନ୍ତି ଓ ସଦଭାବ ବଜାୟ ରଖିବାକୁ ମୁଁ ପ୍ରତ୍ୟେକଙ୍କୁ ଅପିଲ୍ କରୁଛି । ଏହି ଘଟଣାରେ ଯିଏ ବି ଦୋଷୀ ତାକୁ କଡ଼ା ଦଣ୍ଡ ଦିଆଯିବ ।"
ସେପଟେ ରାଜ୍ୟରେ ଏଭଳି ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିରୋଧୀ ନେତା ଗୁଲାବ ଚନ୍ଦ କଟାରିଆ । ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ବିରୋଧୀ । ତା ସହିତ ହତ୍ୟାକାଣ୍ଡର ଶିକାର ବ୍ୟକ୍ତିଙ୍କ ପରିବାରକୁ ସହାୟତା ଦେବାକୁ ମଧ୍ୟ ଦାବି ହୋଇଛି ।
ସେପଟେ ଉଦୟପୁର ଜିଲ୍ଲାପାଳ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, "ମୁଁ ପ୍ରତ୍ୟେକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରୁଛି । ମୃତକଙ୍କ ପରିବାକୁ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯିବ । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।"