ଗାନ୍ଧୀନଗର:ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଏବେ ସରଗରମ ରହିଛି ରାଜ୍ୟ ରାଜନୀତି । ସମସ୍ତ ଆସନ ପାଇଁ ରାଜନୈତିକ ଦଳ ଗୁଡିକ ନିଜ ନିଜର ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କେତେକ ପ୍ରାର୍ଥୀଙ୍କୁ ପୁନଃ ଟିକେଟ୍ ମିଳିଥିବା ବେଳେ କେତେକ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଛାତ୍ର କଂଗ୍ରେସ କର୍ମୀ ସୋମବାର ଗୁଜୁରାଟ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଛନ୍ତି ।
ଆଗକୁ ନିର୍ବାଚନ ଥିବା କଂଗ୍ରେସର ଅନ୍ତକନ୍ଦଳ ଦଳକୁ କ୍ଷତି ପହଞ୍ଚାଇପାରେ । କଂଗ୍ରେସ କର୍ମୀ ଗୋଟାଇ କେନ୍ଦ୍ର ସରକାରଙ୍କ ବିରୋଧରେ କମର କଷିବାକୁ ଜାରି ରହିଛି ଭାରତ ଯୋଡ଼ ପଦଯାତ୍ରା । ଏଭଳି ସ୍ଥିତିରେ ଗୁଜୁରାଟ ଭଳି ରାଜ୍ୟରେ ନିର୍ବାଚନ ପୂର୍ବରୁ କଂଗ୍ରେସର ଅନ୍ତକନ୍ଦଳ ଦଳ ଭିତରେ ସବୁକିଛି ଠିକ ନଥିବା ଦର୍ଶାଉଛି ।
ଗୁଜୁରାଟରେ କଂଗ୍ରେସର ଶାହାନାବାଜ ଶେଖ୍ଙ୍କ ସ୍ଥାନରେ ଜମାଲପୁର ଆସନ ପାଇଁ ଏଥର ଇମ୍ରାନ୍ ଖେଡ଼ାୱାଲାଙ୍କୁ ଟିକେଟ ଦେଇଛି ଦଳ । ପୂର୍ବତନ ପସିସି ସଭାପତି ଭରତ ସୋଲାଙ୍କୀଙ୍କ ସୁପାରିଶରେ ଇମ୍ରାନ ଖେଡ଼ାୱାଲାଙ୍କୁ ଟିକେଟ ଦିଆଯାଇଥିବା ଛାତ୍ର କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି । ଗତକାଲି(ରବିବାର) ଇମ୍ରାନ୍ ଖେଡ଼ୱାଲାଙ୍କୁ ଟିକେଟ ଦିଆଯାଇଥିଲା ।
ଏହାପରେ ପୂର୍ବତନ ପିସିସି ସଭାପତି ଭରତ ସୋଲାଙ୍କୀଙ୍କ ପୋଷ୍ଟରକୁ ଚିରିଥିଲେ କିଛି କଂଗ୍ରେସ କର୍ମୀ । ସୋସିଆଲ ମିଡିଆରେ ମଧ୍ୟ ଇମ୍ରାନ୍ ଖେଡ଼ାୱାଲାଙ୍କୁ କଡ଼ା ବିରୋଧ କରାଯାଇଥିଲା । ଛାତ୍ର କଂଗ୍ରେସ ମଧ୍ୟ ଇମ୍ରାନ୍ ଖେଡ଼ାୱାଲାଙ୍କ ପ୍ରାର୍ଥୀତ୍ବକୁ କଡ଼ା ବିରୋଧ କରିଥିଲା । ଏହାର ଫଳ ସ୍ବରୂପ ଆଜି ନାରାବାଜି କରି କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଛାତ୍ର କଂଗ୍ରେସ କର୍ମୀ ।
ଏହାପରେ କାର୍ଯ୍ୟାଳୟ ଭିତରେ ଅପଶବ୍ଦ ଲେଖିଛନ୍ତି ଛାତ୍ର କଂଗ୍ରେସ କର୍ମୀ । ତା ସହିତ କାର୍ଯ୍ୟାଳୟ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି । ଭରତ ସୋଲାଙ୍କୀଙ୍କ ନେମ୍ ପ୍ଲେଟ୍କୁ ଭାଙ୍ଗିଛି । ଶାହାନାବାଜ ଶେଖ୍ଙ୍କୁ ଟିକେଟ ଦେବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଭରତ ସୋଲାଙ୍କୀ ଟଙ୍କା ନେଇ ଟିକେଟ ବାଣ୍ଟିଥିବା ଅଭିଯୋଗ ହୋଇଛି ।