ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ବିରାଟ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ଉତ୍ତର ପ୍ରଦେଶରେ ବିକାଶକୁ ଶିଖରରେ ପହଞ୍ଚିବା ନେଇ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୟୁପି ବିଧାନସଭା ନିର୍ବାଚନରେ ବିଜେପି ଦ୍ବିତୀୟ ଥର ବିଜୟୀ ହେବା ପରେ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏହାସହ ପାଖାପାଖି ୨ ଘଣ୍ଟା ଯାଏଁ ତାଙ୍କ ସହ ଆଲୋଚନା କରିଥିଲେ। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କହିଛନ୍ତି, ‘ଆଜି ଯୋଗୀ ଆଦିତ୍ୟନାଥ ଜିଙ୍କ ସହ ଭେଟ ହୋଇଥିଲା। ବିଜୟ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଲି। ଗତ ପାଞ୍ଚ ବର୍ଷରେ ସେ ଜନ ଆକାଂକ୍ଷାକୁ ପୂରଣ କରିବା ପାଇଁ ଅବିରତ ପରିଶ୍ରମ କରିଛନ୍ତି। ଭବିଷ୍ୟତରେ ସେ ରାଜ୍ୟକୁ ବିକାଶର ଶିଖରରେ ପହଞ୍ଚାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ବାସ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।