ଲକ୍ଷ୍ନୌ: ବହୁଚର୍ଚ୍ଚିତ 2005 ମସିହା ବହୁଜନ ସମାଜବାଦୀ ପାର୍ଟି ବିଧାୟକ ରାଜୁ ପାଲ୍ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଓ ତାଙ୍କର ଅଙ୍ଗରକ୍ଷୀଙ୍କୁ ଗତକାଲି (ଶୁକ୍ରବାର) ଗୁଳିକରି ହତ୍ୟା କରାଯିବା ପରେ ଏବେ ଉତ୍ତର ପ୍ରଦେଶ ରାଜନୀତି ପୁଣି ଥରେ ଉଷ୍ମ ହୋଇଛି । ଏହି ପ୍ରସଙ୍ଗ ଆଜି ବିଧାନସଭା ଗୃହରେ ମଧ୍ୟ ଉଠିଛି । ପ୍ରସଙ୍ଗରେ ଉତ୍ତର ରଖି ମାଫିଆରାଜ ଉପରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ସେ ରାଜ୍ୟରେ ମାଫିଆରାଜ ପାଇଁ ସିଧାସଳଖ ଅଖିଳେଶଙ୍କ ନେତୃତ୍ବାଧୀନ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି । ଅପରାଧୀଙ୍କୁ ଟିକେଟ ଦେଇ ସପା ହିଁ ସାଂସଦ କରିଛି । ମାଫିଆଙ୍କୁ ଆଶ୍ରୟ ଦେଇ ଅପରାଧକୁ ପ୍ରତ୍ସାହିତ କରିଛି । ବର୍ତ୍ତମାନର ସରକାର ଅପରାଧ ଓ ମାଫିଆଗିରି ପ୍ରତି ଶୂନ୍ୟ ସହିଷ୍ଣୁତାର ସହ କାର୍ଯ୍ୟ ଜାରି ରଖିଛନ୍ତି । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ।
ଆଜି ଗୃହରେ ଉତ୍ତର ରଖିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ବେଶ ଉତ୍ତେଜିତ ଓ ଆକ୍ରମଣାତ୍ମକ ହୋଇପଡିଥିଲେ । କହିଥିଲେ, ‘‘ଗତକାଲିର ହତ୍ୟାକାଣ୍ଡ ଦୁର୍ଭାଗ୍ୟଜନକ । କିନ୍ତୁ କେଉଁମାନେ ଅପାରାଧୀଙ୍କୁ ଆଶ୍ରୟ ଦେଉଛନ୍ତି, ସେମାନଙ୍କୁ ପୋଷୁଛନ୍ତି । ଯେଉଁମାନଙ୍କ ନାମରେ ଅପରାଧିକ ମାମଲା ରହିଛି, ସେମାନଙ୍କୁ ସମାଜବାଦୀ ପାର୍ଟି ସିଧା ଟିକେଟ ଦେଇ ସଂସଦକୁ ପଠାଇଛି । ନିଜେ ଅପରାଧୀଙ୍କୁ ପାଳିବେ, ପରେ ତମାସା ଦେଖିବେ । ଯେଉଁ ମାଫିଆ ଅତିକ ଅହମ୍ମଦ ନାମରେ ମାମଲା ରହିଥିଲା, ତାକୁ ସପା ହିଁ ଟିକେଟ ଦେଇ ନିର୍ବାଚନ ଲଢାଇଥିଲା । ମାଫିଆଙ୍କ ଅଣ୍ଟା ଭାଙ୍ଗିବା ପାଇଁ ବର୍ତ୍ତମାନର ସରକାର କାର୍ଯ୍ୟ ଜାରି ରଖିଛନ୍ତି । ସରକାର ଅପରାଧ ପ୍ରତି ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରୁଛନ୍ତି । ମାଫିଆଙ୍କୁ ମାଟିରେ ମିଶାଇ ଦିଆଯିବ ।’’