ନୂଆଦିଲ୍ଲୀ: ଶେଷ ହେବାକୁ ଯାଉଛି ବର୍ଷ ୨୦୨୧ । ଏହି ବର୍ଷ ଯେତିକି ଘଟଣାବହୁଳ ଥିଲା ସେତିକି ଚର୍ଚ୍ଚିତ ଓ ବିବାଦୀୟ ମଧ୍ୟ ରହିଥିଲା । ଏ ଚର୍ଚ୍ଚା, ବିବାଦ ଘେରରେ ଥିବା କିଛି ପ୍ରମୁଖ ପ୍ରସଙ୍ଗ ମଧ୍ୟରେ ରହିଥିଲା କେନ୍ଦ୍ରୀୟ କୃଷି ଆଇନ । କେନ୍ଦ୍ର ସରକାର ଆଣିଥିବା ଏହି କୃଷି ଆଇନକୁ ନେଇ ବର୍ଷ ସାରା ଜୋର ଧରିଥିଲା ପ୍ରତିବାଦ ଓ ଆନ୍ଦୋଳନ । ପ୍ରତିବାଦ ସାଙ୍ଗକୁ ରାଜନୀତି ମଧ୍ୟ ଉଷ୍ମ ହୋଇଥିଲା ।
ହଟିଲା କୃଷି ଆଇନ, ଘରକୁ ଫେରିଲେ ଚାଷୀ ରାଜଧାନୀ ଦିଲ୍ଲୀ ଓ ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ ଦେଖାଯାଇଥିବା ଏହି ପ୍ରତିବାଦ ବର୍ଷ ତମାମ ସରଗରମ ରହିବା ସହ ରାଜରାସ୍ତାରୁ ସଂସଦ ପର୍ଯ୍ୟନ୍ତ ସବୁକୁ ସରଗରମ କରିଥିଲା । ତେବେ କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଥିଲେ ଏକାଧିକ କୃଷକ ସଂଗଠନ । ବିଶେଷ କରି ପ୍ରଥମେ ପଞ୍ଜାବ, ହରିୟାଣରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ କ୍ରମଶଃ ଉତ୍ତର ଭାରତ ସମେତ ଏକାଧିକ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା ।
ଏକାଧିକ ଦାବି ସହ ପ୍ରାୟ ୬୦ରୁ ଉର୍ଦ୍ଧ୍ବ କୃଷକ ସଂଗଠନ ରାସ୍ତାକୁ ଓହ୍ଲାଇଲେ ଏଥିରେ ଅଂଶ ଗ୍ରହଣ କରିିଥିଲେ । ଆନ୍ଦୋଳନକୁ ପ୍ରଭାବଶାଳୀ କରିବା ସହ ଆଇନ ପ୍ରତ୍ୟାହାର କରିବା ଦିଗରେ କେନ୍ଦ୍ର ସରକାର ଉପରେ ଚାପ ସୃଷ୍ଟି କରିଥିଲେ । ପ୍ରାୟ ଦେଢ ବର୍ଷବ୍ୟାପୀ ଚାଲିଥିବା କୃଷି ଆନ୍ଦୋଳନ ଶେଷରେ ଶେଷ ହୋଇଛି । ବର୍ଷତମାମ ଚର୍ଚ୍ଚାରେ ରହିଥିବା ଆନ୍ଦୋଳନ କେନ୍ଦ୍ର ସରକାରଙ୍କ ଆଇନ ପ୍ରତ୍ୟାହାର ସହ ଶେଷ ହୋଇଛି ।
ଜାଣନ୍ତୁ କଣ ଥିଲା କେନ୍ଦ୍ରୀୟ କୃଷି ଆଇନ:-
2020 ସେପ୍ଟେମ୍ବର ୧୭ ତାରିଖରେ ଏହି ବିଲକୁ ଲୋକସଭାରେ ଆଗତ କରଥିଲେ କେନ୍ଦ୍ର ସରକାର । ଏହା ନିମ୍ନ ସଦନରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ପାସ ହେବାରେ ସଫଳ ହେବା ପରେ ୨୦ ତାରିଖରେ ଉଚ୍ଚ ସଦନ ତଥା ରାଜ୍ୟସଭାରେ ପାରିତ ହେବା ପରେ ଏହାରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଏ । ଉଭୟ ଗୃହରେ ପାରିତ ହେବା ପରେ ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ୨୭ ସେପ୍ଟେମ୍ବର ୨୦୨୦ରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ସହ ଏହି ବିଲ ଆଇନେରେ ପରିଣତ ହୋଇଥିଲା । ଏପଟେ ସରକାରଙ୍କ ପ୍ରକ୍ରିୟା ସହ ଆନ୍ଦୋଳନର ତୀବ୍ରତା ମଧ୍ୟ ବଢିବାରେ ଲାଗିଥିଲା । ପ୍ରଥମେ ରାଜନୈତିକ ବିରୋଧୀ ଏହାକୁ ଗୃହରେ ବିରୋଧ କରିବା ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା କୃଷକ ଅଶାନ୍ତି । ମୁଣ୍ଡ ଟେକିଥିଲା ପ୍ରତିବାଦ ଯାହା ପରେ ଏକ ବ୍ୟାପକ ରୂପ ନେଇଥିଲା ।
କ’ଣ ଥିଲା ନୂଆ କୃଷି ଆଇନରେ ବ୍ୟବସ୍ଥା:-
କୃଷି ଆଇନରେ ଏକାଧିକ ପ୍ରବାଧାନ ଥିବାବେଳେ ମୁଖ୍ୟତଃ ଏହା ୩ ସଂଶୋଧିତ ଆଇନ ଥିଲା । ଯେଉଁ ୩ ସଶୋଂଧିତ ଆଇନକୁ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ସଂସ୍କାର ଓ ସଶକ୍ତିକରଣ ଦିଗରେ ପ୍ରଭାବଶାଳୀ ହେବ ବୋଲି କହୁଥିବା ବେଳେ କୃଷକମାନେ ଏହାକୁ ଚାଷୀ ବିରୋଧୀ ନୀତି ବୋଲି ବିବେଚନା କରିଥିଲେ । କେନ୍ଦ୍ରର ଏପରି ଆଇନରେ କୃଷି କ୍ଷେତ୍ର କ୍ଷତି ସହିବା ସହ ଘରୋଇ ଉଦ୍ୟୋଗ ଲାଭବାନ ହେବେ ବୋଲି ବିରୋଧୀଙ୍କ ଠାରୁ କୃଷକ ସଂଗଠନ ସମସ୍ତେ ଆନ୍ଦୋଳନ ଉହ୍ଲାଇଥିଲେ ।
ସେହି ବିବାଦୀୟ ୩ ଆଇନ:-
1. କୃଷକର ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ (ପଦୋନ୍ନତି ଏବଂ ସୁବିଧା) ଅଧିନିୟମ, 2020 ( Farmer’s Produce Trade and Commerce (Promotion and Facilitation) Act, 2020
2. କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ, 2020 ( Farmers (Empowerment and Protection) Agreement of Price Assurance and Farm Services Act, 2020
3. ଜରୁରୀ ସାମଗ୍ରୀ (ସଂଶୋଧନ) ଅଧିନିୟମ, (2020 Essential Commodities ,Amendment) Act, 2020
ଏଥିରେ ପୂର୍ବରୁ ପ୍ରଚଳିତ ତଥା ରାଜ୍ୟମାନଙ୍କ ଦ୍ବାରା ନିୟନ୍ତ୍ରିତ କୃଷି ଉତ୍ପାଦନ ମାର୍କେଟିଂ କମିଟି ଆଇନ APMC କୁ ଉଚ୍ଛେଦ କରି ଫସଲ କ୍ରୟ ବିକ୍ରୟ ପାଇଁ ଘରୋଇ ସଂସ୍ଥାର ପ୍ରବେଶ ପାଇଁ କ୍ଷେତ୍ର ସୃଷ୍ଟି କରିବା ପାଇଁ ପ୍ରୟାସ କରିଥିଲେ କେନ୍ଦ୍ର ସରକାର । ଏପରି ହେବା ଦ୍ବାରା ନିର୍ଦ୍ଦିଷ୍ଟ ସରକାରୀ ନିୟନ୍ତ୍ରିତ ମଣ୍ଡିରେ ଫସଲ ବିକ୍ରି କରିବା ପରିବର୍ତ୍ତେ ସମସ୍ତ ଖୋଲା ବଜାର ଓ ଘରୋଇ କ୍ରେତାଙ୍କୁ ମଧ୍ୟ ଫସଲ ବିକିବାର ସୁଫଳ ପାଇପାରିବେ ବୋଲି କେନ୍ଦ୍ର ସରକାର କହିଥିଲେ । ସେହିପରି ଜରୁରୀ ସାମଗ୍ରୀ ଅଧିନିୟମରେ ସଂଶୋଧନ ଆଣି କେନ୍ଦ୍ର ସରକାର କିଛି ଜରୁରୀ ସାମଗ୍ରୀ ତାଲିକାରେ ଥିବା ଖାଦ୍ୟ ଶଷ୍ୟକୁ ତାଲିକାରୁ ହଟାଇବା ସହ ଏହି କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧିି ହେବା ନେଇ କହିଥିଲେ କେନ୍ଦ୍ର ସରକାର । ଏହି କ୍ଷେତ୍ରର ଘରୋଇ ନିବେଶକୁ ପ୍ରବେଶ କରାଇାବା ପାଇଁ ପ୍ରୟାସ କରିଥିଲେ । ଏପରି କିଛି କେନ୍ଦ୍ର ସରକାର ଦର୍ଶାଉଥିବା ବେଳେ ଆଇନକୁ କୃଷି ବିରୋଧୀ ବୋଲି ବିବେଚନା କରାଯିବା ସହ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଥଲା ।
ଆନ୍ଦୋଳନର ଗତିଶୀଳତା:-
୨୦୨୦ ମସିହା ସେପ୍ଟେମ୍ବର ୨୫ ତାରିଖରେ ପ୍ରଥମେ ଏହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ଡାକରା ଦିଅନ୍ତି ବିଭିନ୍ କୃଷକ ସଂଗଠନ । ଉତ୍ତର ଭାରତରେ ବିଭିନ୍ନ ସ୍ଥାନରେ ରେଳରୋକ କରିବା ସହ ଆନ୍ଦୋଳନର ସୂତ୍ରପାତ କରିଥଲେ କୃଷକ ସଂଗଠନ । ପ୍ରାଥମିକ ଭାବେ ଏଥିରେ ୧୮ ରାଜନୈତିକ ଦଳ ଓ ୧୦ ଟ୍ରେଡ ୟୁନିୟନ ମଧ୍ୟ ଅଂଶ ଗ୍ରହଣ କରି ଏହି କୃଷକ ସଂଗଠନକୁ ସମର୍ଥନ ଦେବା ସହ ଦେଶବ୍ୟାପୀ ଆନ୍ଦୋଳନକୁ କ୍ରିୟାଶୀଳ କରିଥିଲେ ।
ସେହିମାସ ୨୬ ତାରିଖରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରନ୍ତି ଆନ୍ଦୋଳନରତ କୃଷକ । ପରେ ସେମାନଙ୍କୁ ନୂଆଦିଲ୍ଲୀରେ ପ୍ରବେଶ କରିବାରୁ ରୋକିବା ପାଇଁ ହରିୟାଣା ସରକାର ରାଜରାସ୍ତାରେ ପୋଲିସ ବାରିକେଡ ବଢାଇବା ସହ ଆନ୍ଦୋଳନରତ ଚାଷୀଙ୍କୁ ଦିଲ୍ଲୀରେ ପ୍ରବେଶ କରିବାରୁ ରୋକିଥିବା ଦେଖିବାକୁ ମିଳେ । ଏହି ଆନ୍ଦୋଳନରେ ଏକାଧିକ ସଂଗଠନ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହାର ନେତୃତ୍ବ ନେବା ସହ ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତ ଆନ୍ଦୋଳନର ସବୁଠୁ ବଡ ଚେହେରା ଭାବେ ଉଭା ହୁଅନ୍ତି ।
ଆନ୍ଦୋଳନରେ ସାମିଲ ହୋଇଥିବା କିଛି ପ୍ରମୁଖ କୃଷକ ସଂଗଠନ ଓ ଚାଷୀ ନେତା:-
ଭାରତ କିସାନ ୟୁନିଅନ
ଇନ୍ଦୋରରେ କିସାନ ସ୍ୱରାଜ ସଂଗଠନ
ଜୟ କିଷାନ ଆନ୍ଦୋଳନ
ସମଗ୍ର ଭାରତ କିଷାନ ସଭା
କର୍ଣ୍ଣାଟକ ରାଜ୍ୟ ରାୟଥା ସାଙ୍ଗ
ଜାତୀୟ ମିଳିତ ମଞ୍ଚ
ଲୋକ ସଂଘର୍ଷ ମୋର୍ଚ୍ଚା
ଅଲ୍ ଇଣ୍ଡିଆ କିଷାନ ଖେତ ମଜଦୁର ସଗଂଠନ
କିଷାନ ମଜଦୁର କମିଟି
ରାଷ୍ଟ୍ରୀୟ କିସାନ୍ ମଜଦୁର ସାଙ୍ଗଥାନ୍
ଅଲ ଇଣ୍ଡିଆ କିସାନ ମଜଦୁର ସଭା
କ୍ରାନ୍ତିକାରୀ କିସାନ୍ ୟୁନିଅନ୍
ଲୋକ ସଂଘର୍ଷ ମୋର୍ଚ୍ଚା
ଭାରତ କିଷାନ ମହାସଭା
ପଞ୍ଜାବ କିଷାନ ୟୁନିଅନ
ଜାମହୋରି କିଷାନ ସଭା
କିଷାନ ସଙ୍ଘର୍ଷ ସମିତି
ତେରାଇ କିଷାନ ସଭା
ଏହି ସଂଗଠନ ମାନଙ୍କ ବ୍ୟତୀତ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ପରି ପରିବହନ ସଂସ୍ଥା ମଧ୍ୟ ଦେଶବ୍ୟାପୀ ଏହି ଆନ୍ଦଳନକୁ ସମର୍ଥନ ଦେଇଥିଲା । ଭାରତ କିସାନ ୟୁନିଅନର ନେତା ତଥା ପରର୍ତ୍ତୀ ସମୟରେ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାଏତ ଓ ବଲବୀର ସିଂ ରାଜୱାଲ ପ୍ରମୁଖ ଆନ୍ଦୋଳନର କାର୍ଯ୍ୟପନ୍ଥା ସ୍ଥିର କରିଥିଲେ ।
କେନ୍ଦ୍ର- କୃଷକ ସଂଗଠନ ଆଲୋଚନା:-
ଆନ୍ଦୋଳନ ବ୍ୟାପକ ହେବା ସହ ସରକାରଙ୍କ ଉପରେ ମଧ୍ୟ ଚାପ ବଢିବାରେ ଲାଗିଥିଲା । କେନ୍ଦ୍ର ସରକାର ଏହି ଆନ୍ଦୋଳନରତ ସଂଗଠନର ନେତୃମଣ୍ଡଳୀଙ୍କ ସହ ମୁକ୍ତ ଆଲୋଚନା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । କେନ୍ଦ୍ର-କୃଷକ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଆଇନରେ କୌଣସି ଆଂଶିକ ପରବର୍ତ୍ତନ ପରିବର୍ତ୍ତେ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବି କରିଥିଲେ କୃଷକ ।
26 ଜାନୁୟାରୀ ଟ୍ରାକ୍ଟର ରାଲି ଓ ଦିଲ୍ଲୀ ହିଂସା:-
ରାଜଧାନୀ ଦିଲ୍ଲୀକୁ ପ୍ରବେଶ ଉଦ୍ୟମ କରି ବିଫଳ ହେବା ପରେ କୃଷକ ସଂଗଠନମାନେ ଦିଲ୍ଲୀ ଓ ସୀମାନ୍ତ ରାଜ୍ୟର ସୀମା, ସିଙ୍ଘୁ, ଟିକିରି ଓ ଗାଜିପୁରରେ ଆନ୍ଦୋଳନ ଜାରି ରଖିଥିଲେ । ୨୬ ଜାନୁୟାରୀ ସାଧାରଣତନ୍ତ୍ର ଦିବସରେ ଶାନ୍ତିପୂର୍ଣ୍ଣ ଭାବେ ଏକ ଚ୍ରାକ୍ଟର ରାଲିରେ ସଂସଦ ଅଭିମୁଖେ ଯାତ୍ରା କରିବା ପାଇଁ ଅନୁମତି ମାଗିଥିଲେ କୃଷକ ସଂଗଠନ । ପରେ କେନ୍ଦ୍ର ସରକାର ଓ ଦିଲ୍ଲୀ ପୋଲିସ ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଓ ନିର୍ଦ୍ଦିଷ୍ଟ ମାର୍ଗ ଚୟନ କରାଯାଇ ଶାନ୍ତିପୂର୍ଣ୍ଣ ରାଲି କରିବା ପାଇଁ ଅନୁମତି ମିଳିଥିଲା ।
କିନ୍ତୁ ପୂର୍ବ ପ୍ରସ୍ତୁତି ଠାରୁ ଅଣାୟତ ହୋଇଥିଲା କୃଷକଙ୍କ ଟ୍ରାକ୍ଟର ରାଲି । ସରକାର ଓ ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ମାର୍ଗ ପରିବର୍ତ୍ତେ ଦିଲ୍ଲୀର କେନ୍ଦ୍ରସ୍ଥଳ ଲାଲକିଲ୍ଲା ଅଭିମୁଖେ ବାହାରି ଥିଲା ରାଲିର କିଛି ଅଂଶ । ସେଠାରେ ପୋଲିସ ସହ ଖଣ୍ଡଯୁଦ୍ଧ ହେବା ସହ ଉଭୟ ପକ୍ଷରୁ ଏକାଧିକ ଆହତ ମଧ୍ୟ ହୋଇଥିଲେ । ଏହି ହିଂସାରେ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ବ ପୋଲିସ କର୍ମୀ ଆହତ ହୋଇଥିବା ବେଳେ କିଛି ଆନ୍ଦୋଳନକାରୀ ମଧ୍ୟ ଆହତ ହୋଇଥଲେ ।
ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ଚାଷୀନେତାଙ୍କ ସମେତ ହିଂସାରେ ଲିପ୍ତ ଥିବା ଅନ୍ୟ ଆନ୍ଦୋଳନକାରୀଙ୍କୁ ଗିରଫ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା ପୋଲିସ । ଏହି ହିଂସା ପରେ କିଛି କୃଷକ ସଂଗଠନ ଆନ୍ଦୋଳନରୁ ଓହରି ମଧ୍ୟ ଯାଇଥିଲେ । ଲାଲକିଲ୍ଲା ହିଂସାକୁ ରାଜନୈତିକ ସ୍ତରରେ ମଧ୍ୟ ନିନ୍ଦା କରାଯାଇଥିଲା । କୃଷକ ସଂଗଠନମାନେ ଏହାକୁ ସରକାରଙ୍କ ପ୍ରାୟୋଜିତ ହିଂସା ଓ ଏହା ଏକ ଷଡଯନ୍ତ୍ର ବୋଲି କହିଥିଲେ । କିଛି ସଂଗଠନ ଆନ୍ଦୋଳନରୁ ଓହରି ଯାଇଥିଲେ ସୁଦ୍ଧା ସଂଯୁକ୍ତ କିଷାନ ମୋର୍ଚ୍ଚା ସହ ଅନ୍ୟ କିଛି ସଂଗଠନ ଏହି ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଭାବେ ଜାରି ରଖିବା ନେଇ ଘୋଷଣା କରିଥିଲେ । ପୂର୍ବପରି ସିଂଘୁ ସୀମା, ଗାଜିପୁର ସୀମା ଓ ଟିକିରି ବର୍ଡରେ ଆନ୍ଦୋଳନ ଜାରି ରହିଥିଲା ।
୨୬ ଯାନୁୟାରୀ ଦିଲ୍ଲୀ ଅଭିମୁଖେ ଟ୍ରାକ୍ଟର ରାଲି ମୌସୁମୀ ଅଧିବେଶନରେ ମଧ୍ୟ ଶାନ୍ତିପୂର୍ଣ୍ଣ ପ୍ରତିବାଦ:-
2021 22 ଜୁଲାଇରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ 200 କୃଷକ ପ୍ରତିଦିନ ସଂସଦ ବାହାରେ ବିରୋଧ କରିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପୁନର୍ବାର ଅନୁମତି ମାଗିଥିଲା । ଅନୁମତି କ୍ରମେ ସେଠାରେ ମଧ୍ୟ କିଛି କୃଷକ ସଂଗଠନ ଧାରଣାରେ ବସିଥିଲେ । ସେହିପରି ସେପ୍ଟେମ୍ବର 5ରେ, ଉତ୍ତରପ୍ରଦେଶର ମୁଜାଫରନଗର ସହରରେ ଏକ ପ୍ରଦର୍ଶନ ସମାବେଶରେ 500,000 ରୁ ଅଧିକ କୃଷକ ଯୋଗ ଦେଇ ପୁଣି ଥରେ ସେମାନଙ୍କର ଏକାତାର ପରିଚୟ ଦେବା ସହ ସରକାରଙ୍କୁ ପୁଣି ଚାପ ପକାଇଥିଲେ ।
ଆଇନ ପ୍ରତ୍ୟାହାର ଘୋଷଣା
ବର୍ଷବ୍ୟାପି ଚାଲିଥିବା ଆନ୍ଦୋଳନର ପ୍ରଭାବ ହ୍ରାସ ପାଇବା ପରିବର୍ତ୍ତେ ଜାରି ରହିଥିଲା, ଯାହା ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାରେ ଲାଗିଥିଲା । ନଭେମ୍ବର ଶେଷ ଭାଗରେ (17 ନଭେମ୍ବର) ଏହି ୩ ଆଇନକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିା ସହ ଆନ୍ଦୋଳନରତ ସମସ୍ତ କୃଷକଙ୍କୁ ଘରକୁ ଫେରିବାକୁ ନିବେଦନ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଚାଷୀ ସ୍ବାଗତ କରିବା ସହ ଆନୁଷ୍ଠାନିକ ଭାବେ ଏହି ଆଇନକୁ ପ୍ରତ୍ୟାହାର କରାନଥିବା ପର୍ଯ୍ୟନ୍ତ ଧାରଣାସ୍ଥଳ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ଏହା ପରେ ରାଜନୀତି ମଧ୍ୟ ଜୋର ଧରିବାରେ ଲାଗିଥିଲା । ସରକାରଙ୍କ ପ୍ରତ୍ୟାହାର ନିଷ୍ପତ୍ତି ପରେ ବିରୋଧୀ ଦଳମାନେ ଏଥିରେ ରାଜନୈତିକ ଗନ୍ଧ ବାରିଥିଲେ । ଆଗକୁ ଉତ୍ତର ପ୍ରେଦେଶ ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ସହ ଉପ ନିର୍ବାଚନ ଫଳାଫଳରେ ଚିନ୍ତିତ ହୋଇ ସରକାର ଭୋଟ ବ୍ୟାଙ୍କ ବଞ୍ଚାଇବା ପାଇଁ ଶେଷରେ ଏହି ବିବାଦୀୟ ଆଇନକୁ ପ୍ରତ୍ୟାହାର ବାଧ୍ୟ ହେଲେ ବୋଲି କହି ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ।
ହଟିଲା କୃଷି ଆଇନ, ଘରକୁ ଫେରିଲେ ଚାଷୀ ସଂସଦରେ ପାରିତ ହେଲା ଉଚ୍ଛେଦ ବିଲ: -
2021 ନଭେମ୍ବର ୨୯ ତାରିଖରେ ଶୀତ ଅଧିବେଶନରେ ଲୋକସଭାରେ ଆଗତ ହୋଇଥିଲା ଏହି ବିବାଦୀୟ ଆଇନ ପ୍ରତ୍ୟାହାର ବିଲ । ଏହାକୁ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହରେ ଆଗତ କରିଥିଲେ । ବିରୋଧୀଙ୍କ ଚର୍ଚ୍ଚା ପାଇଁ ହଟ୍ଟଗୋଳ ମଧ୍ୟରେ ମାତ୍ର କିଛି ସମୟ ବ୍ୟବଧାନରେ ଏହା ଲୋକସଭାରେ ଓ ପରେ ରାଜ୍ୟସଭାରେ ପାରିତ ହୋଇଥିଲା । ପରେ ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ଏକ କମିଟି ଗଠନ କରିବାକୁ କହିଥିଲେ କେନ୍ଦ୍ର ସରକାର । ଏହି କମିଟି ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସୁନିଶ୍ଚିତ କରିବା ଓ କୃଷକଙ୍କ ଅନ୍ୟ ଦାବି ନେଇ ସରକାରଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା ସରକାର ସ୍ପଷ୍ଟ କରିଥିଲେ ।
ହଟିଲା କୃଷି ଆଇନ, ଘରକୁ ଫେରିଲେ ଚାଷୀ ଚାଷୀ ବିଜୟ ଯାତ୍ରା-
ସଂସଦରେ ଏହି ଆଇନ ବିଧିବଦ୍ଧ ଭାବେ ପ୍ରତ୍ୟାହୃତ ହେବା ପରେ ଚାଷୀ ଘର ବାହୁଡା ପାଇଁ ପ୍ରସ୍ତୁତି କରିଥିଲେ । ଚଳିତ ମାସ ତେବେ 11 ତାରିଖରେ ଏକ ବିଜୟ ଯାତ୍ରାରେ ଘରକୁ ଫେରିଛନ୍ତି ଚାଷୀ । ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶ ସମେତ ଏକାଧିକ ରାଜ୍ୟରୁ ଚାଷୀମାନେ ଦିଲ୍ଲୀ ମୀମାରେ ପ୍ରାୟ ଦେଢ ବର୍ଷ ଧରି ଧାରଣାରେ ରହିବା ପରେ ଶେଷରେ ଘରକୁ ଫେରିଛନ୍ତି । ବର୍ଷଜାକ ଚର୍ଚ୍ଚାରେ ଥିବା ଚାଷୀ ଆନ୍ଦୋଳନକୁ କିଏ ବିଜୟ ବୋଲି କହୁଥିବାବେଳେ କିଏ ସରକାରଙ୍କ ହାର ବୋଲି କହୁଛି । ଅନ୍ୟ ପଟେ କିଛି ବ୍ୟକ୍ତି ଚାଷୀଙ୍କୁ ଭ୍ରମିତ କରି ଏହା ଏକ ରାଜନୈତିକ ଅସ୍ଥିରତା ବୋଲି ମଧ୍ୟ ମତ ପ୍ରକାଶ କରିଛନ୍ତି । ଏସବୁ ମଧ୍ୟରେ ଚାଷୀ ଆନ୍ଦୋଳନ ୨୦୨୧ ର ଏକ ପ୍ରମୁଖ ତଥା ଚର୍ଚ୍ଚିତ ଘଟଣା ହୋଇ ମନେ ରହିବ ।
ହଟିଲା କୃଷି ଆଇନ, ଘରକୁ ଫେରିଲେ ଚାଷୀ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ